ବାତ୍ୟା ପ୍ରଭାବିତ ଅଂଚଳରେ ଘରକୁ ଘର ଯାଇ ଆଇଟିଆଇ ପିଲା ବିଦ୍ୟୁତ୍‌ ସଂଯୋଗ ଦେବେ: ସଂଜୟ ସିଂହ

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ସବୁ ପ୍ରମୁଖ ଅଂଚଳରେ ୧୦୦ ପ୍ରତିଶତ ଜଳ ଯୋଗାଣ ହୋଇପାରିଛି। ଏପର୍ଯ୍ୟନ୍ତ ଭୁବନେଶ୍ୱରର ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ମିଳିପାରିଛି। ପୂର୍ବ ଟାର୍ଗେଟ ଅନୁଯାୟୀ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ, ୧୨ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ବିଦ୍ୟୁତ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ବାତ୍ୟା ପୁନରୁଦ୍ଧାର ନେଇ ସୂଚନା ଓ ଲୋକ ସମ୍ପର୍କ ସଚିବ ସଂଜୟ ସିଂହ ଏହି ସୂଚନା ଦେଇଛନ୍ତି। ପୁରୀରେ ୧୨ ତାରିଖ ସୁଦ୍ଧା ବଡ଼ ଦାଣ୍ଡରେ ବିଜୁଳି ଦେବାକୁ କାମ ଚାଲିଛି।

ସେହିଭଳି ୧୫ତାରିଖ ସୁଦ୍ଧା ପୁରୀରୁ କୋଣାର୍କ ସହରକୁ ବିଦ୍ୟୁତ ସଂଯୋଗ କରାଯିବ। ସଂଯୋଗ ଦିଆଦିବା ପରେ ମଧ୍ୟ ଘରକୁ ବିଦ୍ୟୁତ ପହଂଚିବାରେ ସମସ୍ୟା ଥାଇପାରେ। ଏଥିପାଇଁ ୫୦୦ ଆଇଟିଆଇ ପିଲାଙ୍କୁ ଟିମ କରି ଘରକୁ ଘର ପଠାଯିବ। ଆଇଟିଆଇ ପିଲା ଘରକୁ ଘର ଯାଇ ବିଦ୍ୟୁତ ସଂଯୋଗ ଦେବେ।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପରିମଳ ପାଇଁ ପୁରୀରେ ୪୧୦ ଜଣ କର୍ମଚାରୀ ଓ ୪୦ ଜଣ ଯନ୍ତ୍ରୀ ନିୟୋଜିତ ଅଛନ୍ତି। ଭୁବନେଶ୍ୱରରେ ୧୫୦ ଜଣ ଯନ୍ତ୍ରୀ ଓ ୩୨୦୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି। ପୁରୀ, କୋଣାର୍କ, ନିମାପଡ଼ା, ଭୁବନେଶ୍ୱରରେ ଜଳ ଯୋଗାଣ ସ୍ୱାଭାବିକ ହୋଇପାରିଛି। ସେହିପରି ବିସିଡିଡି-୧ ଡିଭିଜନରେ ୩୭ ହଜାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଖୋର୍ଦ୍ଧା ଓ ପୁରୀରେ ୮୫ଟି ଜେନସେଟ୍‌ ଯୋଗାଯାଇଛି। ପ୍ରଭାବିତ ୨୩୬୪ ଜଳଯୋଗାଣ କେନ୍ଦ୍ରରୁ ୧୫୫୦ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୩ଟି ସହରାଞ୍ଚଳରେ ୬୨୧ ଅଫିସର ଓ ୫୨୦୦ କର୍ମଚାରୀ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର