ଆଇଟିଆଇରେ ଛାତ୍ରୀଙ୍କ ହାର ମାତ୍ର ୭%

୨୦%ରେ ପହଞ୍ଚାଇବା ପାଇଁ ଅଟକଳ ୩୨ କୋଟି

ରାଉରକେଲା : ମହିଳା ସଶକ୍ତିକରଣ ଲକ୍ଷ୍ୟରେ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ଓ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ହାର ମାତ୍ର ୭ ପ୍ରତିଶତ। ୨୦୨୦ ସୁଦ୍ଧା ଏହାକୁ ୨୦%ରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ‘ସୁଦକ୍ଷା’ ଯୋଜନାରେ ୫୦୦୦ ଛାତ୍ରୀଙ୍କୁ ସରକାରୀ ଆଇଟିଆଇରେ ତାଲିମ ଦେବେ। ସେମାନଙ୍କ ନାମଲେଖାରୁ ଆରମ୍ଭ କରି ରାଜ୍ୟ ତଥା ରାଜ୍ୟ ବାହାରେ ସେମାନଙ୍କ ଶିକ୍ଷା ପରବର୍ତ୍ତୀ ତାଲିମ (ଆପ୍ରେଣ୍ଟିସ୍‌) ନିମନ୍ତେ ପ୍ରାୟ ୩୨ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ସଂକଳ୍ପ ଅନୁଯାୟୀ ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ଆଇଟିଆଇ ଛାତ୍ରୀଙ୍କ ପାଇଁ ‘ସୁଦକ୍ଷା’ ଯୋଜନାରେ ପ୍ରୋତ୍ସାହନ ମିଳିବ।

ଏହି ଯୋଜନାରେ ଆଇଟିଆଇରେ ଛାତ୍ରୀଙ୍କ ମୁଣ୍ଡପିଛା ଦୁଇ ବର୍ଷର ନାମଲେଖା ଫି ବାବଦରେ ୫,୬୦୦ ଟଙ୍କା, ହଷ୍ଟେଲ୍‌ ସିଟ୍‌ ଭଡ଼ା ବାବଦରେ ବର୍ଷକୁ ୧୫୦୦ ଟଙ୍କା, ଛାତ୍ରୀ ନିବାସରେ ରହିବା, ଖାଇବା ଓ ବ୍ୟବହାର୍ଯ୍ୟ ସାମଗ୍ରୀ ବାବଦରେ ମୁଣ୍ଡପିଛା ବାର୍ଷିକ ୧୮୦୦୦ ଟଙ୍କା ସରକାର ବହନ କରିବେ। ଦିବାଧ୍ୟାୟୀ ଛାତ୍ରୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ। ଆଇଟିଆଇ ପାସ୍‌ ପରେ ରାଜ୍ୟ ମଧ୍ୟରେ ଆପ୍ରେଣ୍ଟିସ୍‌ ପାଇଁ ଛାତ୍ରୀଙ୍କୁ ବର୍ଷକୁ ୧୨,୦୦୦ ଟଙ୍କା ଓ ରାଜ୍ୟ ବାହାରେ ଆପ୍ରେଣ୍ଟିସ୍‌ କାଳୀନ ଖର୍ଚ୍ଚ ବାବଦରେ ୧୮,୦୦୦ ଟଙ୍କା ଲେଖାଏଁ ସହିତ ପ୍ରଥମ ମାସର ଭତ୍ତା ବାବଦରେ ୫୦୦୦ ଟଙ୍କା ସରକାର ଦେବେ। ପାଞ୍ଚ ହଜାର ଛାତ୍ରୀଙ୍କ ପାଇଁ ଏ ବାବଦରେ ରାଜକୋଷରୁ ପାଖାପାଖି ୩୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି।

ସମ୍ବନ୍ଧିତ ଖବର