ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନ ନିଲମ୍ବିତ

ଭୁବନେଶ୍ୱର: ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ (ଏନଏସୟୁଆଇ)ରୁ ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ତାଙ୍କୁ ଏନଏସୟୁଆଇର ପ୍ରାଥମିକ ସଦସ୍ୟ ପଦରୁ ଏନଏସୟୁଆଇର ଜାତୀୟ ସମ୍ପାଦକ ମୋଥା ରେହିତ ନିଲମ୍ବିତ କରିଛନ୍ତି।

ତେବେ ନିକଟରେ ଇତିଶ୍‌ ସଂଗଠନରେ ବିଶୃଙ୍ଖଳା କରୁଥିବା ନେଇ ରାଜ୍ୟ ଏନଏସୟୁଆଇରୁ ଦିଲ୍ଲୀ ଦରବାରକୁ ଅଭିଯୋଗ ଯାଇଥିଲା । ଏପରିକି କିଛି ଛାତ୍ର ନେତାଙ୍କୁ ନେଇ ଦଳ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ ମଧ୍ୟ ଇତିଶଙ୍କ ନାଁରେ ରହିଥିବା ସଂଗଠନ ସୂତ୍ରରୁ ଖବର ମିଳିଛି । ତେଣୁ ଛାତ୍ର କଂଗ୍ରେସ ବା ଏନଏସୟୁଆଇର ଜାତୀୟସ୍ତରରେ ଏହା ମୁଣ୍ଡବିନ୍ଧା କରିଛି । ତେଣୁ ତୁରନ୍ତ ଏନଏସୟୁଆଇର ଜାତୀୟ ସମ୍ପାଦକ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଅନ୍ୟପଟେ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବାକୁ ଶକ୍ତି ଗୋଟାଉଥିବା ହାତ ଯେତେବେଳେ ଛାତ୍ର ନେତା ଓ ଯୁବକଙ୍କୁ ନେଇ ଆଗାମୀ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ବଳ କଷୁଛି, ଠିକ୍‌ ସେତିକିବେଳେ ସଂଗଠନରେ ଏଭଳି ବିଶୃଙ୍ଖଳିତ ଛାତ୍ରନେତାଙ୍କୁ ବିଦା କରି ସ୍ୱଚ୍ଛଭାବମୂର୍ତ୍ତି ତିଆରି କରିବାକୁ ଉଦ୍ୟମ କରୁଥିବା ରାଜନୈତିକ ବିଶେଷଜ୍ଞ କହିଛନ୍ତି ।

ସମ୍ବନ୍ଧିତ ଖବର