ଏତେ ବଡ଼ ଧୋକା?

ଇତିଶ୍ରୀଙ୍କୁ ନ୍ୟାୟ ଦେବାରେ ରାଜ୍ୟ, କେନ୍ଦ୍ର ବିଫଳ

ଷଡ଼ଯନ୍ତ୍ରକାରୀ ଧରାପଡିଲା, ହତ୍ୟାକାରୀ ଖସିଗଲା
ସନ୍ଦେହ ଘେରରେ ରାଜ୍ୟ ପ୍ରଶାସନର ଭୂମିକା

ଭୁବନେଶ୍ୱର : ସ୍ଥାନୀୟ ପୁଲିସ ବିଫଳ ହେଲା। ରାଜ୍ୟ ସରକାରଙ୍କ ଅନୁସନ୍ଧାନକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ମଧ୍ୟ। ଶେଷରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଦିଆଗଲା ଦାୟିତ୍ୱ। ସେମାନେ ମଧ୍ୟ ହାତ ଟେକିଦେଲେ। ତାହାହେଲେ କିଏ ମାରିଲା ରାୟଗଡ଼ା ଜିଲ୍ଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ? ଓଡ଼ିଶାର ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ଏହି ମାମଲାର ଏଭଳି ଦୁଃଖଦ ପରିସମାପ୍ତି ଏବେ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି। ଏହା ସମଗ୍ର ବ୍ୟବସ୍ଥା ଉପରେ ପ୍ରଶ୍ନ ଠିଆ କରାଇଲାଣି।

ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କୁ କ୍ରାଇମବ୍ରାଞ୍ଚ ଧରିଲା ଓ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ହେଲେ ଅନୁସନ୍ଧାନ ପ୍ରକ୍ରିୟା ଏଭଳି ବିଚିତ୍ର ଥିଲା ଯେ ନା ହତ୍ୟାକାରୀକୁ କେହି ଖୋଜି ପାଇଲେ ନା ଷଡ଼ଯନ୍ତ୍ରକାରୀ ମୁହଁରୁ ହତ୍ୟାକାରୀର ନାଁ ଓଗାଳିପାରିଲେ।

ଇତିଶ୍ରୀ ମାମଲାକୁ ନେଇ ରାଜ୍ୟର ପ୍ରାୟ ସବୁ ରାଜନୈତିକ ଦଳ ଓ ସ୍ୱେଚ୍ଛାସେବୀ ସଂସ୍ଥା ଏକାଠି ହୋଇଥିଲେ। ଜଣେ ମହିଳାର ସ୍ୱାଭିମାନକୁ ନେଇ ରାଜନେତା ଓ ସାମାଜିକ କର୍ମୀଙ୍କ ଲଢେଇ ରାଜ୍ୟର ହଜାର ହଜାର ମହିଳାଙ୍କ ମନରେ ଭରସା ସୃଷ୍ଟି କରିଥିଲା। ହେଲେ ସମୟର ସ୍ରୋତରେ ଏହି ଆନ୍ଦୋଳନ ପ୍ରଭାବ ହରାଇଲା ଓ ଇତିଶ୍ରୀଙ୍କୁ ନ୍ୟାୟଦାବି ପବନରେ ମିଳାଇଗଲା। ଏ ନେଇ ଚାପ ସୃଷ୍ଟି କରିବା ପରିବର୍ତେ ଆଜି କିନ୍ତୁ ବିଭିନ୍ନ ରାଜନୈତିକ ଦଳ ନେତା ପରସ୍ପର ବିରୋଧରେ କାଦୁଅଫିଙ୍ଗା ଆରମ୍ଭ କରିଛନ୍ତି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ମାମଲାର ପାରିପାର୍ଶ୍ୱିକ ପରିସ୍ଥିତି ବୟାନ କରୁଛି ଯେ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥାଇପାରେ। କାରଣ ଘଟଣାଟି ଗୋଟିଏ ଅଞ୍ଚଳ ଓ ଜଣକୁ ନେଇ ଘଟିଛି। ଏଣୁ ସ୍ୱାଭାବିକ ଭାବେ ମାମଲାରେ ବିଶେଷକିଛି ଜଟିଳତା ନଥିଲା। କାହିଁକି ଉଭୟ ତଦନ୍ତକାରୀ ସଂସ୍ଥା ଏତେ ସମୟ ନେଲେ ତାହା ବୁଝିହେଉନାହିଁ। ସମ୍ଭବତଃ ପ୍ରଥମ
ଦିନ ସ୍ଥାନୀୟ ପୁଲିସ ଯେତିକି ପ୍ରମାଣ ସଂଗ୍ରହ କରିବା କଥା, ତାହା ପାରିନି। ଆରୁଷି ହତ୍ୟା ମାମଲାରେ ବି ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଯେହେତୁ ଏଭଳି ଏକ ସଙ୍ଗିନ ମାମଲାର ପ୍ରତ୍ୟକ୍ଷଦର୍ଶୀ କେହି ନାହାନ୍ତି, ଏଣୁ ମୁଖ୍ୟ ଅଭିଯୁକ୍ତ ନ ଧରିପାରିବାର ବିଫଳତା ଯୋଗୁଁ ଷ଼଼ଡ଼ଯନ୍ତ୍ରକାରୀ ମଧ୍ୟ ଉପରକୋର୍ଟରେ ଖସିଯିବା ବିଚିତ୍ର ନୁହେଁ। କାରଣ ଷଡ଼ଯନ୍ତ୍ରକାରୀ କାହାକୁ ଲଗାଇ ଏହି ହତ୍ୟାକାଣ୍ଡ ଭିଆଇଲେ ବା ଇତିଶ୍ରୀଙ୍କୁ ହତ୍ୟା କରିବା ଲାଗି ପରିବେଶ ସୃଷ୍ଟି କଲେ, ସେକଥାକୁ ରାଜ୍ୟ ଓ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ପଦାକୁ ଆଣିବାରେ ସକ୍ଷମ ହୋଇ ପାରିନାହାନ୍ତି। ତଦନ୍ତରେ ଡୋରି ବନ୍ଧା ହୋଇଯିବା କାରଣରୁ ସମୁଦାୟ ମାମଲାଟି ଏବେ ଦିଗହରା ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି କରିଛି।

କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ନ୍ୟାୟ ପାଇଁ ବାରମ୍ବାର ଦୌଡି ଦୌଡି ବିଫଳ ହୋଇଥିଲେ ଇତିଶ୍ରୀ। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଶାସନ ବ୍ୟବସ୍ଥାର ଶୀର୍ଷ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ସେ। ଏ ଦିଗଟିକୁ ଅନୁସନ୍ଧାନ କରିବା ଲାଗି ଦାୟିତ୍ୱ ଦିଆଯାଇଥିଲା ବରିଷ୍ଠ ଆଇଏଏସ୍‌ ଅଫିସର ରାଜେଶ ବର୍ମାଙ୍କୁ। ଶ୍ରୀ ବର୍ମା ଯେଉଁ ରିପୋର୍ଟ ଦେଇଥିଲେ, ତାହାର ଅପମୃତ୍ୟୁ ଘଟିଛି। ସରକାର ଠୋସ୍‌ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରିବା ପରିବର୍ତେ ସାମାନ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେଇଛନ୍ତି।

ଏବେ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି। ହତ୍ୟାକାରୀ କଣ ଏତେ ଶକ୍ତିଶାଳୀ ଯେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ଦକ୍ଷତାକୁ ଦଳିଦେଲା? ନା ଆଉ କିଛି ବାଧ୍ୟବାଧକତା ଉଭୟ କ୍ରାଇମବ୍ରାଞ୍ଚ ଓ ସିବିଆଇର ବାଟ ଓଗାଳିଲା? ମୃତ୍ୟୁ ପୂର୍ବରୁ ଇତିଶ୍ରୀ ଶାସକ ଦଳର ନେତାଙ୍କ ସଂପୃକ୍ତି ଆଡ଼କୁ ଆଙ୍ଗୁଳି ଉଠାଇଥିଲେ। ଚର୍ଚ୍ଚାକୁ ଆସିଥିଲା ପୂର୍ବତନ ବିଜେଡି ସାଂସଦ ଜୟରାମ ପାଙ୍ଗିଙ୍କ ନାଁ। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବା ବେଳେ ବିଜେପି ଓ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଅଭିଯୋଗ ଆଣିଥିଲେ ଯେ ତଦନ୍ତକାରୀ ସଂସ୍ଥା ଏହି ଦିଗଟି ପ୍ରତି ଆଖିବୁଜି ଦେଉଛି ଓ ସୁରକ୍ଷା ଦେଉଛନ୍ତି ଶ୍ରୀ ପାଙ୍ଗିଙ୍କୁ। ହେଲେ ଯେତେବେଳେ ମାମଲାକୁ ନେଇ ସିବିଆଇ ତନାଘନା ଆରମ୍ଭ କଲା, କାକତାଳୀୟ ନ୍ୟାୟରେ ହେଉ ପଛେ ହେଉ, ପାଙ୍ଗି ଯୋଗ ଦେଲେ ବିଜେପିରେ। ଏବେ ବିଜେଡି, କଂଗ୍ରେସ ସମାନ ଅଭିଯୋଗ ଆଣିଛନ୍ତି। ନେତାଙ୍କ କାଦୁଅ ଫିଙ୍ଗା ଭିତରେ ଅଭିଯୁକ୍ତ ହଜିଯିବା ଓ ଇତିଶ୍ରୀଙ୍କୁ ମୃତ୍ୟୁ ମୁହଁକୁ ଟାଣିନେଇଥିବା ଅଧିକାରୀ ଖସିଯିବା ଘଟଣା ଶାସନ ବ୍ୟବସ୍ଥାର ଏକ କଳଙ୍କିତ ଅଧ୍ୟାୟ ନୁହେଁ ତ ଆଉ କଣ, ଏ ନେଇ ଏବେ ଆଲୋଚନା ଜୋର ଧରିିଛି।

ସମ୍ବନ୍ଧିତ ଖବର