ଆଇଟିଆର୍‌ ତଥ୍ୟ ଲିକ୍‌ ମାମଲା: ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ

କଟକରେ ସପ୍ତାହେ ଧରି ମାରାଥନ ଜେରା କରିବ ସ୍ବତନ୍ତ୍ର ଟିମ୍‌

ବାଲେଶ୍ବର/କଟକ : ବାଲେଶ୍ବର ଚାନ୍ଦିପୁରସ୍ଥିତ ଆଇଟିଆରରୁ ଗୁପ୍ତତଥ୍ୟ ଲିକ୍‌ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ଶନିବାର ୭ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ୍‌। କଟକଠାରେ ଘଟଣାର ସତ୍ୟାସତ୍ୟ ଏବଂ ଅଧିକ ଖୋଳତାଡ଼ ପାଇଁ ଅଭିଯୁକ୍ତମାନଙ୍କୁ ମାରାଥନ୍‌ ଜେରା କରାଯିବ ବୋଲି ବାଲେଶ୍ବର ଆସିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆଇଟିଆର୍‌ ତଥ୍ୟ ଲିକ୍‌ ହୋଇଥିବା ନେଇ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ସୂଚନା ଦେବାପରେ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଆଇଟିଆର୍‌ର ୪ ଜଣ ଠିକା କର୍ମଚାରୀ ଏବଂ ୧୫ ତାରିଖରେ ଆଇଟିଆର୍‌ରେ କାର୍ଯ୍ୟରତ ଜଣେ ସ୍ଥାୟୀ ପ୍ରତିରକ୍ଷା କର୍ମଚାରୀ ଗିରଫ ହୋଇଥିଲେ। ଗିରଫ ୪ ଠିକା କର୍ମଚାରୀ ବସନ୍ତ ବେହେରା, ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଞ୍ଜନ ନାୟକ, ସେକ୍‌ ମୁସାଫିର ଏବଂ ସ୍ଥାୟୀ କର୍ମଚାରୀ ସଚିନ କୁମାର ଛେତା।

ଶନିବାର ରିମାଣ୍ଡ ମିଳିବା ପରେ ଅପରାହ୍ନରେ କ୍ରାଇମବ୍ରାଞ୍ଚ ଗିରଫ ୫ ଜଣଙ୍କୁ କଟକ କାର୍ଯ୍ୟାଳୟକୁ ଆଣିଛି। ଆଜିଠାରୁ ରିମାଣ୍ଡ ଅବଧି ଆରମ୍ଭ ହେଉଥିବା ବେଳେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏମାନଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଟିମ୍ ଜେରା କରିବ। ଆବଶ୍ୟକ ପଡ଼ିଲେ ଏନଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା)ର ଦୁଇ ଜଣିଆ ଟିମ୍ ବି ଏମାନଙ୍କୁ ଜେରା କରିବେ।

ମିଳିଥିବା ସୂଚନା ଅନୁସାରେ, ୫ ଜଣଙ୍କ ଏସି ଅପରେଟର୍ ବସନ୍ତ ବେହେରା ଓ ଉତ୍ତରପ୍ରଦେଶର ଗାଡ଼ି ଡ୍ରାଇଭର ସଚିନ୍ କୁମାର ଛେତାଙ୍କ ଉପରେ କ୍ରାଇମବ୍ରାଞ୍ଚର ଅଧିକ ନଜର ରହିଛି। ସଚିନ୍ ସିଧାସଳଖ ହ୍ୟାଣ୍ଡଲର୍ ସହିତ ଯୋଗାଯୋଗରେ ଥିବା ସନ୍ଦେହ କରାଯାଉଛି। ଆଇଟିଆରର ଗୋପନୀୟ ତଥ୍ୟ ବଦଳରେ ହ୍ୟାଣ୍ଡଲର୍ ଏମାନଙ୍କୁ ଦେଇଥିବା ଟଙ୍କା କେଉଁ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ରହିଛି, ସେ ନେଇ କ୍ରାଇମବ୍ରାଞ୍ଚ ଅଧିକ ଗୁରୁତ୍ବ ଦେଇଛି। ହ୍ୟାଣ୍ଡଲର ସହିତ ଏହି ୫ ଜଣ ହ୍ବାଟସଆପରେ ଯେଉଁ ଚାଟ୍ କରିଥିଲେ, ଏହି ଚାଟ୍ ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ହ୍ବାଟସଆପରେ କଥା ହୋଇଥିବାର କଲ୍ ଡିଟେଲ୍ ବି କ୍ରାଇମବ୍ରାଞ୍ଚ ଜବତ କରିଛି। କିନ୍ତୁ ଟଙ୍କା କାରବାର ପ୍ରମାଣ ମିଳିଲେ ହିଁ ଏମାନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଅଧିକ ସହଜ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର