ଆଇଟିଆର୍‌ର ତଥ୍ୟ ବିକ୍ରି ମାମଲା: ପାକିସ୍ତାନରୁ ଟଙ୍କା ୟୁପି ଆସିଛି

ଟଙ୍କାର ମାଧ୍ୟମ ବାଂଲାଦେଶୀ ବ୍ୟାଙ୍କ, ଏଜେଣ୍ଟ୍‌ଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ

କଟକ : ଭାରତୀୟ ପ୍ରତିରକ୍ଷା ବିଭାଗର ‘ବ୍ରହ୍ମାସ୍ତ୍ର’ କୁହାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌ ଏବ˚ ଅନ୍ୟ କ୍ଷେପଣାସ୍ତ୍ର ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା ଚର୍ଚ୍ଚା ସାରାଦେଶରେ ଚହଳ ସୃଷ୍ଟି କରିଥିବାରୁ ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଆଜି କ୍ରାଇମବ୍ରାଞ୍ଚରେ ପହଞ୍ଚିଛନ୍ତି ଭାରତୀୟ ବାୟୁସେନାର ତିନିଜଣିଆ ଟିମ୍‌। କ୍ଷେପଣାସ୍ତ୍ର ସମ୍ପର୍କିତ ଯାନ୍ତ୍ରୀକ ଜ୍ଞାନକୌଶଳ ସ˚କ୍ରାନ୍ତ ତଥ୍ୟ ଚାନ୍ଦିପୁର ଆଇଟିଆର‌ (ସମନ୍ବିତ ପରୀକ୍ଷଣ କେନ୍ଦ୍ର) ୩ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଗିରଫ ୫ ଅଭିଯୁକ୍ତ ପାକିସ୍ତାନକୁ ବିକ୍ରି କରିଥିବା ଯେଉଁ ଚର୍ଚ୍ଚା ସୃଷ୍ଟି କରିଥିଲା, ଏହାର ତଦନ୍ତ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀମାନେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଆରମ୍ଭ କରିଛନ୍ତି। ପାକିସ୍ତାନୀ ଏଜେଣ୍ଟ୍‌ ଲିଙ୍କରେ ଗିରଫ ୫ ଅଭିଯୁକ୍ତଙ୍କୁ ବାୟୁସେନାର ବରିଷ୍ଠ ଅଧିକାରୀମାନେ ମାରାଥନ୍‌ ଜେରା କରିଛନ୍ତି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ବି ସେମାନଙ୍କୁ ଜେରା କରିଛି। ଆସନ୍ତାକାଲି ସୁଦ୍ଧା କ୍ରାଇମବ୍ରାଞ୍ଚ ବଡ଼ଧରଣର ଖୁଲାସା କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚାନ୍ଦିପୁର ଆଇଟିଆର୍‌ର ୪ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ରବିବାରଠାରୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଥିବାବେଳେ ସୋମବାର ରିମାଣ୍ତ୍‌ର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ମୁଖ୍ୟତଃ ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ସମ୍ପର୍କ, ଟଙ୍କା କାରବାର ଓ ଅନ୍ୟ ସହଯୋଗୀଙ୍କ ବିଷୟରେ ତଥ୍ୟ ହାସଲ କରିଛି। ମୋଟାମୋଟି ଭାବେ ପାକିସ୍ତାନ ଆଇଏସ୍‌ଆଇ ଲିଙ୍କ୍‌ରେ ଆଇଟିଆର‌ର ଏହି କର୍ମଚାରୀମାନେ ଫେସବୁକ୍‌ ମାଧ୍ୟମରେ ସମ୍ପର୍କ ଯୋଡ଼ିଥିଲେ। ପୂରା କାରବାର ଉତ୍ତରପ୍ରଦେଶର ହ୍ୟାଣ୍ତଲର‌ ନିୟନ୍ତ୍ରଣ କରୁଥିଲା। ପାକିସ୍ତାନରୁ ଫୋନ୍‌ କଲ୍‌ ଓ ଟଙ୍କା ଉତ୍ତରପ୍ରଦେଶ ଆସୁଥିଲା। ଚାନ୍ଦିପୁର ଆଇଟିଆର୍‌ରୁ କେଉଁ ତଥ୍ୟ ଚୋରି କରିବାର ଅଛି, ସେ ସମ୍ପର୍କରେ ଉତ୍ତରପ୍ରଦେଶରୁ ଫୋନ୍‌ କରି ହ୍ୟାଣ୍ତଲର‌ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା। ଆଇଟିଆର୍‌ କର୍ମଚାରୀଙ୍କ ନିକଟକୁ ଟଙ୍କା ବି ସିଧାସଳଖ ପାକିସ୍ତାନରୁ ଆସିନାହିଁ। ଉତ୍ତରପ୍ରଦେଶର ହ୍ୟାଣ୍ତଲର‌ ମାଧ୍ୟମରେ ଆସିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ରିମାଣ୍ତ୍‌ର ତୃତୀୟ ଦିନରେ ଏମାନଙ୍କ ନିକଟକୁ ଟଙ୍କା କାରବାରର ଶୈଳୀ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି। ପାକିସ୍ତାନୀ ହ୍ୟାଣ୍ଡଲର୍‌ଙ୍କ ଜରିଆରେ ଏମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ କିଛି ଟଙ୍କା ଆସିଥିବା ବେଳେ ଆଉ କିଛି ଟଙ୍କା ‘ସ୍ଲିପର‌୍‌ ସେଲ୍‌’ର ସଦସ୍ୟଙ୍କ ମାଧ୍ୟମରେ ଆସିଥିବା କ୍ରାଇମବ୍ରାଞ୍ଚ ଜେରା ସମୟରେ ଜାଣିବାକୁ ପାଇଛି।

ବାଲେଶ୍ବରରେ ଥିବା କିଛି ବାଂଲାଦେଶୀ ଶରଣାର୍ଥୀ ଏହି ‘ସ୍ଲିପର‌ ସେଲ୍‌’ ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ତେଣୁ ଏବେ କ୍ରାଇମବ୍ରାଞ୍ଚର ଟାର୍ଗେଟରେ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି। କିଛି ବ୍ୟାଙ୍କ୍‌ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିବାବେଳେ ନିର୍ଦ୍ଦିଷ୍ଟ ଭାବେ କେତେଜଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ପାକିସ୍ତାନୀ ଟଙ୍କା ଆସିଛି, ସେ ନେଇ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତଥ୍ୟ ମଗାଯାଇଛି। ଆସନ୍ତାକାଲି ସୁଦ୍ଧା ଏହି ଟଙ୍କା କରାବାରର ତଥ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଯୋଗାଇବାର ସମ୍ଭାବନା ରହିଛି। ତେବେ ଉଭୟ ବ୍ୟାଙ୍କ୍‌ ଓ ବାଂଲାଦେଶୀ ଶରଣାର୍ଥୀଙ୍କ ମାଧ୍ୟମରେ ଆସିଥିବା ଟଙ୍କାର ପରିମାଣ ଏକାଠି କଲା ପରେ ହିଁ ଜଣାପଡ଼ିବ ଯେ ପାକିସ୍ତାନରୁ ମୋଟ କେତେ ଟଙ୍କା ଆଇଟିଆର୍‌ର ତଥ୍ୟ ଚୋରି ବାବଦରେ ଗିରଫ ୫ କର୍ମଚାରୀଙ୍କୁ ମିଳିଥିଲା ବୋଲି ସମ୍ପୃକ୍ତ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି। ଟଙ୍କା କାରବାର ପଛରେ ସାମିଲ ବାଂଲାଦେଶୀ ଶରଣାର୍ଥୀଙ୍କୁ ଠାବ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍‌ ଏବେ ତନାଘନା ଚଳାଇଛି।

ଅନ୍ୟପଟେ ଭାରତୀୟ ବାୟୁସେନାର ତଦନ୍ତକାରୀ ଟିମ୍‌ ଆଜି ଦିନତମାମ କ୍ରାଇମବ୍ରାଞ୍ଚରେ ଏହି ୫ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜେରା କରିଥିଲା। ଆଇଟିଆର‌ ୩ ନମ୍ବର ଲଞ୍ଚ ପ୍ୟାଡରୁ ବିଭିନ୍ନ ସମୟରେ ଛଡ଼ାଯାଇଥିବା କ୍ଷେପଣାସ୍ତ୍ରର ଭେଦ କରିବାର କ୍ଷମତା, କେଉଁ କ୍ଷେପଣାସ୍ତ୍ର କେତେବେଳେ ଛଡ଼ାଯାଉଥିଲା, ଗୋଳାବାରୁଦ ଗୋଦାମ, ଘାଟିର ଅବସ୍ଥିତି ସମ୍ପର୍କିତ ତଥ୍ୟ ଏମାନେ ପାକିସ୍ତାନକୁ ଉତ୍ତରପ୍ରଦେଶର ହ୍ୟାଣ୍ତଲର‌୍‌ ମାଧ୍ୟମରେ ବିକ୍ରି କରିଛନ୍ତି। ଯେହେତୁ କ୍ଷେପଣାସ୍ତ୍ର ସ˚କ୍ରାନ୍ତ ଜ୍ଞାନ ପୁଲିସ ନିକଟରେ ନାହିଁ, ସେଥିପାଇଁ ଭାରତୀୟ ବାୟୁସେନାକୁ ତଦନ୍ତରେ ସହଯୋଗ କରିବାକୁ ସାମିଲ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ତେଣୁ ବାୟୁସେନାର ଅଧିକାରୀ ପହଞ୍ଚି ନିର୍ଦ୍ଦିଷ୍ଟ ଭାବେ କ୍ଷେପଣାସ୍ତ୍ର ସ˚କ୍ରାନ୍ତ କେଉଁ ତଥ୍ୟ ଏମାନେ ମୋବାଇଲରେ ରେକର୍ଡ କରିଛନ୍ତି, ସେ ନେଇ ପଚରାଉଚରା କରାଯାଇଥିଲା। ବାୟୁସେନା ଅଧିକାରୀମାନେ ମଧ୍ୟ ଏହି ମାମଲାର ତଦନ୍ତଭାର ଗ୍ରହଣ କରିଥିବା କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ବିଶୋଇଙ୍କ ସହିତ ଆଲୋଚନା କରିଥିଲେ। ଏନ୍‌ଆଇଏ ଅଧିକାରୀ ମଧ୍ୟ ଗିରଫ ୫ ଅଭିଯୁକ୍ତଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିବା କୁହାଯାଉଛି। ପାକିସ୍ତାନ୍‌ ଲିଙ୍କ୍‌ ନେଇ ଉତ୍ତରପ୍ରଦେଶର ହ୍ୟାଣ୍ତଲର‌ ମାଧ୍ୟମରେ ପ୍ରମାଣ ଯୋଗାଡ଼ ହେଉଛି। ପ୍ରମାଣ ଯୋଗାଡ଼ ପରେ ଏନ୍‌ଆଇଏ ଏହି ମାମଲାର ତଦନ୍ତଭାର ଗ୍ରହଣ କରିବାର ସମ୍ଭାବନା ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର