ଆଇଟିଆର୍ ତଥ୍ୟ ଚୋରି ମାମଲା: କରାଚୀରେ ହନିଟ୍ରାପ୍‌ ହେଡକ୍ୱାର୍ଟର୍!

କଟକ : ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ କରାଚୀରେ ହନିଟ୍ରାପର ହେଡକ୍ବାର୍ଟର୍ ଖୋଲିଛି। କରାଚୀରୁ ହିଁ ପାକିସ୍ତାନ ଭାରତୀୟ ପ୍ରତିରକ୍ଷା ବିଭାଗକୁ ଟାର୍ଗେଟ୍ କରୁଛି। ହନିଟ୍ରାପର ହେଡକ୍ବାର୍ଟରରେ ପାକିସ୍ତାନୀ ଯୁବତୀ ଏବଂ ମହିଳାଙ୍କୁ ଭାରତୀୟ ଅଧିକାରୀଙ୍କ ସହିତ କିଭଳି କଥା ହୋଇ ମାୟାଜାଲରେ ଫସାଯିବ, ସେ ନେଇ ସ୍ବତନ୍ତ୍ର ତାଲିମ୍ ଦିଆଯାଉଥିବା କୁହାଯାଉଛି। ହନିଟ୍ରାପରେ ଫଶି ଥିବା ଚାନ୍ଦିପୁର ଆଇଟିଆରର ୫ କର୍ମଚାରୀ ଯେଉଁ ଯୁବତୀଙ୍କ ମାୟାଜାଲରେ ଫସିଥିଲେ ସେ ନିଜକୁ ଭାରତୀୟ ବୋଲି ପରିଚୟ ଦେଇଥିଲେ ବି ସେ ପାକିସ୍ତାନୀ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଯେଉଁ ଫୋନ୍ କଲ୍ ୟୁକେରୁ ଆସିଛି, ଉକ୍ତ ଫୋନ୍ କଲର ଲୋକେସନକୁ ନେଇ କ୍ରାଇମବ୍ରାଞ୍ଚ ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ପାକିସ୍ତାନ ନିଜ ଉପରୁ ନଜର ହଟାଇବା ପାଇଁ ଇଣ୍ଟରନ୍ୟାସନାଲ୍ ଗେଟୱେ ଦେଇ ୟୁକେ ନମ୍ବରରୁ ଫୋନ୍ କରିଥିବା ସନ୍ଦେହ କରାଯାଉଛି। ଫୋନ୍ ଆସିଥିବା ନମ୍ବର ଉପରେ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଅଧିକ ଖୋଳତାଡ଼ କରୁଥିବା ବେଳେ ଏ ସମ୍ପର୍କରେ ଖୁବଶୀଘ୍ର ସ୍ପଷ୍ଟ କରାଯିବା ନେଇ ସୂଚନା ମିଳିଛି।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ପ୍ରତିରକ୍ଷା ବିଭାଗ ସହିତ ବାୟୁସେନା, ନୌସେନାର କର୍ମଚାରୀଙ୍କୁ ବି ହନିଟ୍ରାପ୍ କରି ତଥ୍ୟ ଲିକ୍ କରିବାକୁ ସ୍ବତନ୍ତ୍ର ତାଲିମ୍ ଦେଉଛି। ଚାନ୍ଦିପୁର ଆଇଟିଆର୍ ମାମଲାରେ କ୍ରାଇମବ୍ରାଞ୍ଚ ଜବତ କରିଥିବା ୫ଟି ଫେସବୁକ ଆକାଉଣ୍ଟରେ ଯଦିଓ ଉକ୍ତ ମହିଳା ନିଜକୁ ଭାରତୀୟ ବୋଲି ଦାବି କରୁଛି, କିନ୍ତୁ ଏହି ଯୁବତୀ ପାକିସ୍ତାନର ବୋଲି ସନ୍ଦେହ କରାଯାଉଛି। କାରଣ କରାଚୀରେ ଥିବା ପାକିସ୍ତାନର ସ୍ବତନ୍ତ୍ର କଲ୍ ସେଣ୍ଟର ଏଭଳି ହନିଟ୍ରାପ୍ କାରବାରକୁ ନିୟନ୍ତ୍ରଣ କରୁଥିବା କୁହାଯାଉଛି। ଯୁବତୀମାନେ କିଭଳି ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଭାରତୀୟ ଅଧିକାରୀ ଓ କର୍ମଚାରୀଙ୍କ ସହିତ କଥା ହୋଇପାରିବେ ଓ ଅଶ୍ଳୀଳ ଫଟୋ ଦେଇ ନିଜଆଡ଼କୁ ଆକର୍ଷିତ କରିପାରିବେ, ସେ ନେଇ ସ୍ବତନ୍ତ୍ର ତାଲିମ୍ ଦିଆଯାଉଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ହନିଟ୍ରାପ୍ କରୁଥିବା ମହିଳା ଫେସବୁକରେ ବନ୍ଧୁତା କଲା ପରେ ଏମାନେ ପ୍ରତିରକ୍ଷା ସଂକ୍ରାନ୍ତ ଗୋପନୀୟ ତଥ୍ୟ ଫେସବୁକ ମେସେଞ୍ଜର କିମ୍ବା ଇ-ମେଲରେ କାରବାର କରନ୍ତି ନାହିଁ। ଏଥିରେ କାରବାର ହେଲେ ଟ୍ରାକ୍ ହେବାର ଯଥେଷ୍ଟ ଆଶଙ୍କା ରହିଛି। ହ୍ବାଟସଆପରେ ଡାଟା ଏନକ୍ରିପ୍ଟେଡ୍ ରହୁଥିବାରୁ ସେମାନେ ହ୍ବାଟସଆପରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ କାରବାର କରନ୍ତି। ହ୍ବାଟସଆପରେ ପରସ୍ପର ସହିତ ହୋଇଥିବା କଥାବାର୍ତ୍ତା କିମ୍ବା ତଥ୍ୟ କାରବାର ଦ୍ବାରା ତୃତୀୟ ବ୍ୟକ୍ତି ଜାଣିବା କଷ୍ଟକର ହେଉଥିବାରୁ ଚାନ୍ଦିପୁର ମାମଲାରେ ହ୍ବାଟସଆପ ମାଧ୍ୟମରେ ହିଁ ସମସ୍ତ କାରବାର ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ହ୍ବାଟସଆପରେ ଭିଡ଼ିଓ ଓ ଅଡ଼ିଓ କଲ୍ କରିଛନ୍ତି। ହ୍ବାଟସଆପରେ ଏମାନେ କଥା ହୋଇଥିବାରୁ ଉଭୟ ପାକିସ୍ତାନୀ ମହିଳା ଏଜେଣ୍ଟ ଓ ଆଇଟିଆରର ୫ କର୍ମଚାରୀଙ୍କ ଭିତରେ ହୋଇଥିବା କଥାବାର୍ତ୍ତାର ଅଡ଼ିଓ ରେକର୍ଡ ଏବେ କ୍ରାଇମବ୍ରାଞ୍ଚ ଖୋଜୁଛି। ଏହି କଥାବାର୍ତ୍ତା ହିଁ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ କୋର୍ଟରେ ସକ୍ଷମ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେମାନଙ୍କ ମୋବାଇଲରେ କଥାବାର୍ତ୍ତାର କିଛି ଭଏସ୍ ରେକର୍ଡିଂ ଥିବା ନେଇ କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ସେ ନେଇ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରେ ୨୦୨୦ ପରଠାରୁ ମୋବାଇଲର ସମସ୍ତ ଡାଟା ରିକଭର୍ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସାଇବର୍ ଅପରାଧୀଙ୍କ ଭଳି ହନିଟ୍ରାପ୍ କରୁଥିବା ମହିଳାମାନେ ପ୍ରତିରକ୍ଷା ବିଭାଗର କର୍ମଚାରୀଙ୍କ ମୋବାଇଲକୁ ଏକ ଆପ୍ଲିକେସନ୍ ଡାଉନଲୋଡ୍ ପାଇଁ ଲିଙ୍କ୍ ପଠାଇଥାନ୍ତି। ଏହି ଆପ୍ଲିକେସନ୍ ମୋବାଇଲରେ ଡାଉନଲୋଡ୍ କରିବା ପରେ ପାକିସ୍ତାନ ସମ୍ପୃକ୍ତ କର୍ମଚାରୀଙ୍କ ମୋବାଇଲର ସମସ୍ତ ତଥ୍ୟ ଚୋରି କରି ନେଇଥାଏ। ତେବେ ଚାନ୍ଦିପୁର ମାମଲାରେ ଏହି ୫ ଜଣଙ୍କ ମୋବାଇଲରେ ସେଭଳି ଆପ୍ଲିକେସନ୍ ଡାଉନଲୋଡ୍ ହୋଇଥିଲା କି ନାହିଁ, ତାହା ଜାଣିବା ପାଇଁ ଫରେନସିକ୍ ସାଇନ୍ସ ଲାବରେଟୋରି ସମସ୍ତ ଆପ୍ଲିକେସନ୍ ରିକଭର୍ କରୁଛି।

ଅନ୍ୟପଟେ ଗଲା ୧୮ ତାରିଖଠାରୁ ଆଇଟିଆରର ୫ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଆଣିଥିବା ୭ ଦିନିଆ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତେଣୁ କ୍ରାଇମବ୍ରାଞ୍ଚ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଅପରାହ୍ନରେ ବାଲେଶ୍ବର ଏସଡିଜେଏମଙ୍କ କୋର୍ଟରେ ହାଜର କରିବ। ୭ ଦିନିଆ ରିମାଣ୍ଡ ଅବଧି ସମୟରେ ଏହି ୫ ଅଭିଯୁକ୍ତଙ୍କ ନିକଟରୁ ପାକିସ୍ତାନୀ ମହିଳାଙ୍କ ଏଜେଣ୍ଟଙ୍କ ସହିତ ଟଙ୍କା କାରବାର, ଆଇଟିଆରର ପାଇଲଟ୍ ବିହୀନ ବିମାନର ଗୋପନୀୟ ତଥ୍ୟ ଲିକ୍, ଆଇଟିଆରର ଅନ୍ୟ କର୍ମଚାରୀଙ୍କ ସମ୍ପର୍କ, ଉତ୍ତରପ୍ରଦେଶର ହ୍ୟାଣ୍ଡଲରଙ୍କ ଠିକଣା ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ୫ ଅଭିଯୁକ୍ତଙ୍କ ପୃଥକ ବୟାନ ରେକର୍ଡ ହୋଇଥିବା ବେଳେ ଏହି ବୟାନର ସତ୍ୟାସତ୍ୟ ଯାଞ୍ଚ ସହିତ ପ୍ରମାଣ ସଂଗ୍ରହ କରାଯିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର