ଆଇଟିଆର୍‌ ତଥ୍ୟ ଚୋରି ମାମଲା: ରାତିରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ କଲ୍‌

ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିଥା’ନ୍ତେ ଅଭିଯୁକ୍ତ!
ପାଇଲଟ୍‌ ବିହୀନ ବିମାନର ବି ବିକ୍ରି ହୋଇଛି ତଥ୍ୟ!

କଟକ : ଆଇଏସ୍‌ଆଇ ଯୁବତୀ ଏଜେଣ୍ଟକୁ ବାହା ହେବାପାଇଁ ଆଇଟିଆର୍‌ ତଥ୍ୟ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ଠିକା ଏସି ଅପରେଟର ବସନ୍ତ ବେହେରାକୁ ନିଶା ଘାରିଥିଲା। ୫୨ ବର୍ଷ ବୟସ୍କ ବସନ୍ତ ସେହି ଯୁବତୀର ମାୟାଜାଲରେ ସଂପୂର୍ଣ୍ଣ ଫସି ଯାଇଥିଲା। ଯୁବତୀ ଜଣକ ନିଜକୁ ଇ˚ଲଣ୍ତରେ ରହୁଥିବା ତଥା ପ୍ରତିରକ୍ଷା ରିସର୍ଚ୍ଚ ସ୍କଲାର‌ ବୋଲି କହୁଥିଲା। ସେ ହିଁ ଦୁବାଇର ଏକ ବ୍ୟାଙ୍କ୍‌ ଆକାଉଣ୍ଟରୁ ବସନ୍ତ ଆକାଉଣ୍ଟକୁ ୩୮ ହଜାର ଟଙ୍କା ପଠାଇଥିଲା। ବସନ୍ତ ସହିତ ଆଉ ଜଣେ ଆଇଟିଆର କର୍ମଚାରୀ ବି ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରେମ ଜାଲରେ ଫାସ ପକାଇ ଉକ୍ତ ପାକିସ୍ତାନୀ ମହିଳା ଏଜେଣ୍ଟ ଚାନ୍ଦିପୁରରେ ପରୀକ୍ଷା ହେଉଥିବା ‘ପାଇଲଟ୍‌ବିହୀନ’ ବିମାନର ତଥ୍ୟ ଚୋରି କରି ନେଇଥିବା ବି ଏବେ ସନ୍ଦେହ କରାଯାଉଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଯୁଦ୍ଧରେ ବ୍ୟବହୃତ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସହିତ ପାଇଲଟ୍‌ ଲେସ୍‌ ଏୟାରକ୍ରାଫ୍ଟ (ପାଇଲଟ୍‌ ବିହୀନ ବିମାନ)ର ପରୀକ୍ଷା ବି କରାଯାଏ। ଏବେ ଚାନ୍ଦିପୁରରେ ‘ପାଇଲଟ୍‌ ବିହୀନ’ ବିମାନର ତଥ୍ୟ ଗିରଫ ହୋଇଥିବା ୫ ଅଭିଯୁକ୍ତ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କୁ ବିକ୍ରି କରିଥିବା ସନ୍ଦେହ କରାଯାଉଛି। ବାୟୁସେନାର ୩ ଅଧିକାରୀ ଏହି ପ୍ରସ˚ଗକୁ ନଜରରେ ରଖି ସେମାନଙ୍କୁ ଜେରା କରୁଛନ୍ତି। ବାୟୁସେନାର ଅଧିକାରୀଙ୍କ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏ ସ˚କ୍ରାନ୍ତରେ ହସ୍ତଗତ ହୋଇଥିବ ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ କହିଛନ୍ତି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଆଇଟିଆର‌୍‌ (ସମନ୍ବିତ ପରୀକ୍ଷଣ କେନ୍ଦ୍ର)ର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ କାର୍ଯ୍ୟରତ ୫ କର୍ମଚାରୀଙ୍କ ରିମାଣ୍ତ ଅବଧି ଆଉ ମାତ୍ର ଦୁଇ ଦିନ ଥିବାବେଳେ ଆଜି ଅନେକ ଚାଞ୍ଚଲ୍ୟକର ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।

ପାକିସ୍ତାନୀ ଗୁଇନ୍ଦା ସ˚ସ୍ଥା ଆଇଏସଆଇର ମହିଳା ଏଜେଣ୍ଟ ୫ଟି ନକଲି ଫେସବୁକ ଆକାଉଣ୍ଟ ୨୦୨୦ ଫେବ୍ରୁଆରିରୁ ଖୋଲି ଏମାନଙ୍କ ସହ ସଂପର୍କରେ ଥିବା କୁହାଯାଉଛି। ପ୍ରଥମ ଆକାଉଣ୍ଟରେ ସେ ନିଜକୁ ବେଙ୍ଗାଲୁରର ବାସିନ୍ଦା ଏବଂ ଇ˚ଲଣ୍ତରେ ରହୁଥିବା କହିଥିଲା। ଦ୍ବିତୀୟ ଆକାଉଣ୍ଟରେ ନିଜକୁ ରାଜସ୍ଥାନୀ କହିଥିବାବେଳ ଇ˚ଲଣ୍ତର ଲିଭରପୁଲ୍‌ ସହରରେ ଡିଫେନ୍ସ ଷ୍ଟଡି କରୁଥିବା କହିଥିଲା। ତୃତୀୟ ଆକାଉଣ୍ଟରେ ସେ ଚଣ୍ଡୀଗଡ଼ ଡିଫେନ୍ସ ଏକାଡେମିରେ ଲୋୟର ଡିଭିଜନ୍‌ କ୍ଲର୍କ ଥିବା କହିଥିଲା। ଚତୁର୍ଥ ଆକାଉଣ୍ଟର ଆଣ୍ତାମାନ୍‌ ନିକୋବର ଦ୍ବୀପପୁଞ୍ଜର ପୋର୍ଟବ୍ଲେୟାର ସହରରେ ନର୍ସ ଥିବା କହିଥିଲା। ପଞ୍ଚମ ଆକାଉଣ୍ଟରେ ନିଜକୁ ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ତିଆ(ପିଟିଆଇ)ର ଅଧିକାରୀ ଭାବେ ପରିଚୟ ଦେଇଥିଲା। ଏହି ପାକିସ୍ତାନୀ ମହିଳା ଏଜେଣ୍ଟ ଉଭୟ ହିନ୍ଦୀ ଓ ଇ˚ରାଜୀ ଭାଷାରେ କଥା ହେଉଥିଲା। ସବୁଠାରୁ ରୋଚକ କଥା ହେଉଛି ଜଣେ ମହିଳା ଭିନ୍ନ ଭିନ୍ନ ଆକାଉଣ୍ଟରୁ ଆଇଟିଆରର ୫ କର୍ମଚାରୀଙ୍କ ସହିତ କଥା ହେଉଥିଲେ ମଧ୍ୟ ମହିଳାଙ୍କ ସହିତ ଏଭଳି ସମ୍ପର୍କ ଯୋଡ଼ିଥିବା ଘଟଣା ଏହି ୫ କର୍ମଚାରୀ କେହି କାହାକୁ ନକହି ଗୁପ୍ତ ରଖିଥିଲେ। ମହିଳା ଜଣକ ବିଳମ୍ବିତ ରାତିରେ ଅଶ୍ଳୀଳ ଭିଡିଓ କଲ୍‌ କରି ଏମାନଙ୍କୁ ପ୍ରଭାବିତ ବି କରିଥିବା କୁହାଯାଉଛି।

ଯେଉଁ କମ୍ପ୍ୟୁଟର ଏବ˚ ମୋବାଇଲରୁ ପାକିସ୍ତାନୀ ମହିଳା ଏଜେଣ୍ଟ ୫ଟି ଫେସବୁକ ଆକାଉଣ୍ଟ ଖୋଲିଥିଲା, ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଉକ୍ତ କମ୍ପ୍ୟୁଟର ଏବ˚ ମୋବାଇଲର ଆଇପି(ଇଣ୍ଟରନେଟ୍‌ ପ୍ରୋଟକଲ୍‌) ଜାଣିବା ପାଇଁ ଫେସବୁକ ସହିତ ଯୋଗାଯୋଗରେ ଅଛି। ଫେସବୁକ ହିଁ ସ୍ପଷ୍ଟ କରିବ ଏହି ଆକାଉଣ୍ଟ କେଉଁ ଠିକଣାରୁ ଖୋଲି ନିୟନ୍ତ୍ରଣ କରାଯାଉଥିଲା। ହ୍ବାଟସଆପ୍‌ ସହିତ ବି ଯୋଗାଯୋଗରେ ରହିଛି କ୍ରାଇମବ୍ରାଞ୍ଚ। ଉଭୟ ସ˚ସ୍ଥାର ସହାୟତାରେ କ୍ରାଇମବ୍ରାଞ୍ଚ ମହିଳାର ଠିକଣା ଚିହ୍ନଟ ପାଇଁ ଉଦ୍ୟମ କରୁଛି। ଅଧିକ ପ୍ରମାଣ କ୍ରାଇମବ୍ରାଞ୍ଚର ହସ୍ତଗତ ହେଲେ ଏହି ମାମଲା ଏନଆଇଏ(ଜାତୀୟ ତଦନ୍ତକାରୀ ସ˚ସ୍ଥା) ହାତକୁ ଯିବାର ସମ୍ଭାବନା ରହିଛି। ଅନ୍ୟପଟେ ୟୁକେରୁ ଆସିଥିବା ଫୋନ୍‌ ନମ୍ବରକୁ ନେଇ କ୍ରାଇମବ୍ରାଞ୍ଚ ଦ୍ବନ୍ଦ୍ବରେ ପଡ଼ିଛି। ହନିଟ୍ରାପ୍‌ କରୁଥିବା ପାକିସ୍ତାନର ଆଇଏସଆଇ ଏଜେଣ୍ଟ କେବେ ହେଲେ ପାକିସ୍ତାନ ନମ୍ବରରୁ ଫୋନ୍‌ କରୁନ ଥିବାବେଳେ ଏମାନେ ବାହାର ଦେଶର ଫୋନ୍‌ ନମ୍ବରରୁ ଫୋନ୍‌ କରି ନଜର ହଟାଇବା ପାଇଁ ଏଭଳି ଉଦ୍ୟମ କରୁଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ଅନ୍ୟପଟେ ରସୁଲଗଡ଼ ଫରେନସିକ୍‌ ସାଇନ୍ସ ଲାବରେଟୋରିରେ ଅଭିଯୁକ୍ତଙ୍କ ୫ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ଲାପଟପ୍‌କୁ ଯାଞ୍ଚ କରାଯାଉଛି। ଅନେକ ଡାଟା ଏଥିରୁ ଡିଲିଟ୍‌ ହୋଇଥିବା ସନ୍ଦେହ କରାଯାଉଛି। ଲାବରେଟୋରି ରିପୋର୍ଟ ଆସିଲେ ପୁଣି ଏହି ୫ ଜଣଙ୍କୁ ଅଧିକ ଦିନ ରିମାଣ୍ତରେ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ଯୋଜନା କରିଛି।

ସମ୍ବନ୍ଧିତ ଖବର