ଆଇଟିଆର୍‌ ଆତଙ୍କବାଦ୍‌ ଲିଙ୍କ୍: ଡଙ୍ଗାରେ ଆସୁଥିଲା ଟଙ୍କା!

୪ ଜିଲ୍ଲାରେ ଶରଣାର୍ଥୀଙ୍କ ଯାଞ୍ଚ ଆରମ୍ଭ

ଦିନ ୧୧ଟାରୁ ରାତିଯାଏ ଜେରା
ହ୍ବାଟସ୍‌ଆପ୍ କଲ୍ କରୁଥିଲେ ବସନ୍ତ, ସଚିନ

କଟକ : ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ କାମ କରୁଥିବା ଚାନ୍ଦିପୁର ଆଇଟିଆର୍‌ର ୫ କର୍ମଚାରୀଙ୍କ ନିକଟକୁ ଡଙ୍ଗାରେ ଟଙ୍କା ଆସିଥିବା କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ କରୁଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଟଙ୍କା କାରବାର ସମ୍ପର୍କରେ ସେଭଳି ସୁରାଗ୍ ମିଳି ନ ଥିବା ବେଳେ ପ୍ରମାଣ ନ ରଖିବା ପାଇଁ ବାଂଲାଦେଶରୁ ଜଳପଥରେ ଟଙ୍କା ଆସିଥିବା ସନ୍ଦେହ କରାଯାଉଛି। ଏହି ସନ୍ଦେହ ପଛର ସତ୍ୟାସତ୍ୟ କ୍ରାଇମବ୍ରାଞ୍ଚ ଯାଞ୍ଚ ଆରମ୍ଭ କରିଦେଇଛି। ବାସ୍ତବରେ ଡଙ୍ଗାରେ ଟଙ୍କା ଆସିଛି କି କଲିକତାରୁ କେହି ‘ସ୍ଲିପର୍ ସେଲ୍ ସେମାନଙ୍କୁ ନିୟମିତ ଟଙ୍କା ଆଣିକି ବାଲେଶ୍ବରରେ ଦେଉଥିଲା, ସେ ସମ୍ପର୍କରେ ଆଜି କ୍ରାଇମବ୍ରାଞ୍ଚ୍‌ର ଏକ ସ୍ବତନ୍ତ୍ର ଟିମ୍ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ ୫ ଜଣଙ୍କୁ ପୃଥକ ଜେରା କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ୨୦୧୫ରେ ଆଇଟିଆର୍‌ର ଠିକା କର୍ମଚାରୀ ଈଶ୍ବର ବେହେରା ଗିରଫ ମାମଲାରେ ତା ନିକଟକୁ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ପାକିସ୍ତାନୀ ଆଇଏସ୍‌ଆଇ ଏଜେଣ୍ଟ ଟଙ୍କା ପଠାଉଥିବା କ୍ରାଇମବ୍ରାଞ୍ଚ୍‌ ହାତରେ ପ୍ରମାଣ ମିଳିଥିଲା। କିନ୍ତୁ ଏଥର କାର୍ପଟଦାର ବସନ୍ତ ବେହେରା ସମେତ ଗିରଫ ୫ ଜଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ବର୍ତ୍ତମାନ ସୁଦ୍ଧା ଟଙ୍କା କାରବାର ସ୍ପଷ୍ଟ କରିପାରୁ ନାହିଁ କ୍ରାଇମବ୍ରାଞ୍ଚ। ପାକିସ୍ତାନୀ ଆତଙ୍କବାଦୀ ବାଂଲାଦେଶ ମାଧ୍ୟମରେ ଏହି ୫ ଜଣଙ୍କ ନିକଟରୁ ଜଳପଥରେ ଟଙ୍କା ପଠାଇଥିବା ଯେଉଁ ସନ୍ଦେହ କରାଯାଉଛି, କ୍ରାଇମବ୍ରାଞ୍ଚ ଟିମ୍ ଏବେ ଏହି ୫ ଜଣଙ୍କୁ ଟଙ୍କା କାରବାରର ଅସଲ ମାଧ୍ୟମ ସଂକ୍ରାନ୍ତରେ ପଚରାଉଚରା କରୁଛି। ଶନିବାର ରାତି ପ୍ରାୟ ୯ଟା ୩୦ରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଏହି ୫ଜଣ ପହଞ୍ଚିଥିବା ପରେ ଆଜି ଦିନ ପ୍ରାୟ ୧୧ଟାରୁ ଜେରା ଆରମ୍ଭ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କ ନେତୃତ୍ବରେ ଏକ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଏହି ୫ ଜଣଙ୍କୁ ଜେରା କରିଛି। କରିତକର୍ମା ଚାନ୍ଦିପୁର ଥାନା ଝାମ୍ପୁରା ଶ୍ରୀକୋଣ ଅଞ୍ଚଳର ବସନ୍ତ ବେହେରା ଓ ଉତ୍ତରପ୍ରଦେଶର ସଚିନ କୁମାର ଛେତାଙ୍କୁ ଅଧିକ ସମୟ ଜେରା କରାଯାଇଥିଲା। ଏମାନେ ନିୟମିତ ଉତ୍ତରପ୍ରଦେଶର ପାକିସ୍ତାନୀ ହ୍ୟାଣ୍ଡଲର୍‌ ସହିତ ହ୍ବାଟସ୍‌ଆପ୍ ଚାଟିଂ କରିଥିବା କୁହାଯାଉଛି।

ସେମାନଙ୍କ ନିକଟରୁ ଜବତ ୪ ମୋବାଇଲ୍ ଫୋନ୍ ଓ ଗୋଟିଏ ଲାପଟପ୍‌ କ୍ରାଇମବ୍ରାଞ୍ଚ ଖୁବ ଶୀଘ୍ର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟାରିକୁ ପଠାଇବ। ମୋବାଇଲ୍‌ ଓ ଲାପଟପ୍‌ ମାଧ୍ୟମରେ ଆଇଟିଆରର କି ପ୍ରକାର ଫଟୋ ଓ ଭିଡିଓ ଗଲା ଏକବର୍ଷ ଭିତରେ ରେକର୍ଡ ହୋଇ ପଠାଯାଇଛି, ମୁଖ୍ୟତଃ ସେ ସମ୍ପର୍କରେ ଲାବ୍ ମାଧ୍ୟମରେ କ୍ରାଇମବ୍ରାଞ୍ଚ ତଥ୍ୟ ସଂଗ୍ରହ କରିବ। ଉତ୍ତରପ୍ରଦେଶର ହ୍ୟାଣ୍ଡଲର୍ ସହିତ ସେମାନେ ଯାହା କଥାବାର୍ତ୍ତା ହୋଇଛନ୍ତି, ତାର ଭଏସ୍‌ ରେକର୍ଡିଂ କ୍ରାଇମବ୍ରାଞ୍ଚକୁ ଜବତ କରିବା କଷ୍ଟକର ହୋଇପାରେ। ଏମାନେ ପ୍ରାୟତଃ ହ୍ବାଟସ୍‌ଆପ୍‌ରେ କଥାବାର୍ତ୍ତା କରିଥିବାରୁ ଭଏସ୍ ରେକର୍ଡ ସଂଗ୍ରହ କ୍ରାଇମବ୍ରାଞ୍ଚ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ବାଲେଶ୍ବର ଚାନ୍ଦିପୁର ଆଇଟିଆର୍‌ରେ ଦ୍ବିତୀୟ ଥର ଏଭଳି ଆତଙ୍କବାଦୀ ଲିଙ୍କ୍ ସାମନାକୁ ଆସିଥିବା ବେଳେ ବାଂଲାଦେଶର ଭୂମିକାକୁ ନେଇ ବି ଚର୍ଚ୍ଚା ହେଉଛି। ଏପ୍ରକାର ସ୍ଥିତିରେ ପୁଲିସ ବିଭାଗ ଏବେ ଉପକୂଳ ଓଡ଼ିଶାରେ ଥିବା ବାଂଲାଦେଶୀଙ୍କୁ ଟାର୍ଗେଟ୍ କରିଛି। ବାଲେଶ୍ବର, ଭଦ୍ରକର ଚାନ୍ଦବାଲି, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଖରିନାସୀ, ଜମ୍ବୁ, ଜଗତସିଂହପୁର ଜିଲ୍ଲା ପାରାଦୀପ ନୋଳି ଅଞ୍ଚଳରେ ନିର୍ଦ୍ଦିଷ୍ଟ ଭାବେ କେତେସଂଖ୍ୟାରେ ବାଂଲାଦେଶୀ ବେଆଇନ ଭାବେ ରହୁଛନ୍ତି, ସେ ନେଇ ଜିଲ୍ଲାଓ୍ବାରୀ ଖୋଳତାଡ଼ ଆରମ୍ଭ ହୋଇଛି। ଆଇଟିଆର୍ ମାମଲାରେ ବାଂଲାଦେଶୀଙ୍କ ସମ୍ପୃକ୍ତି ସନ୍ଦେହ ହେଉଥିବାରୁ ଏମାନଙ୍କ ତାଲିକ ପ୍ରସ୍ତୁତ କରାଯାଉଛି। କେଉଁ ଜିଲ୍ଲାରେ କେତେ ସଂଖ୍ୟାରେ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି ଏବଂ ସେମାନଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବରିଷ୍ଠ ଅଧିକାରୀସ୍ତରରେ ତନାଘନା ଆରମ୍ଭ ହୋଇଥିବା ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର