କୋରେଇ ଷ୍ଟେସନରେ ଉଦ୍ଧାର ଓ ମରାମତି କାର୍ଯ୍ୟ ଏକ ବଡ଼ ଅପରେସନ ଥିଲା: ପୂର୍ବତଟ ରେଳପଥ

ଭୁବନେଶ୍ବର: ଯାଜପୁର ଜିଲ୍ଲା କେରାଇ ରେଳ ଷ୍ଟେସନରେ ଗତକାଲି ସକାଳୁ ଘଟିଥିବା ଦୁର୍ଘଟଣା ପରେ ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ଡାଉନ୍‌ଲାଇନ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। ରାତି ୮ଟା ସୁଦ୍ଧା ଓଭର ହେଡ଼ ଇକ୍ୟୁପମେଣ୍ଟ ଅନ୍ ହୋଇଥିଲା। ସେହିପରି ରାତି ସାଢେ ୧୧ଟା ପାଖାପାଖି ଅଫ୍‌ଲାଇନ ଫିଟ୍ ହୋଇ ଯାଇଥିଲା। ଏହାସହ ଉଭୟ ଅପ୍ ଆଣ୍ଡ ଡାଉନ ରେଳ ଲାଇନ ଚଳାଚଳ ପାଇଁ ପ୍ରସ୍ତୁତ ହୋଇଥିଲା । ଏହା ଏକ ବଡ଼ ଅପରେସନ ଥିଲା । ଆଉ ରେଳବାଇ ସବୁବେଳେ ଏଭଳି ଅପରେସନ ପାଇଁ ପ୍ରସ୍ତୁତ ଥାଏ । ସିଆରଏସ ବା କମିସନର ଅଫ ରେଲୱେ ସେଫଟିକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏହା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ସ୍ଵାଧୀନ ତଦନ୍ତକାରୀ ସଂସ୍ଥା । ଦୁର୍ଘଟଣାର ଅନେକ କାରଣ ଥାଇପାରେ । କିନ୍ତୁ ବର୍ତ୍ତମାନ ଗୁଜବ ଉପରେ ବିଶ୍ୱାସ କରିବା ଠିକ୍ ହେବ ନାହିଁ । ଟେକନିକାଲ ଇନକ୍ୱାରି ହେଲେ ଆଗକୁ ଏଭଳି ଘଟଣାର ପୁନରାବୃତ୍ତିକୁ ରୋକାଯାଇପାରିବ । ୧୦ରୁ ୧୨ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବ ସିଆରଏସ । ଏହାପରେ ଦୁର୍ଘଟଣାର ବାସ୍ତବ କାରଣ ଜଣାପଡିବ ।

ଯାତ୍ରୀବାହୀ ଟ୍ରେନ ଗୁଡ଼ିକରେ ସୁରକ୍ଷା ଦୃଷ୍ଟିରୁ ଏଲଏଚବି ବା ଲିଙ୍କେ ହଫମ୍ୟାନ ବସ୍କ କପଲିଙ୍ଗ ଥିବା କୋଚ ବ୍ୟବହାର କରାଯାଉଛି। ଏହି କୋଚ ଗୁଡ଼ିକ ଦୁର୍ଘଟଣା ହେଲେ ଗୋଟିଏ ଉପରେ ଆଉ ଗୋଟିଏ ଚଢିବ ନାହିଁ । ମାଲବାହୀ ଟ୍ରେନରେ ଏହି ସୁରକ୍ଷା ବ୍ୟବସ୍ଥା ନାହିଁ । କିନ୍ତୁ ଆଗାମୀ ଦିନରେ ଏ ନେଇ ରେଳବାଇ ପଦକ୍ଷେପ ନେବ ବୋଲି ପୂର୍ବତଟ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ ବିଶ୍ବଜିତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,  ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ସୋମବାର ସକାଳେ ମାଲବାହୀ ଟ୍ରେନ୍‌ର ୧୪ଟି ୱାଗନ ଲାଇନଚ୍ୟୁତ ହୋଇ ଯାତ୍ରୀ ବିଶ୍ରାମାଗାର ଓ ଟିକେଟ୍ କାଉଣ୍ଟର ଉପରେ ମାଡ଼ି ଯାଇଥିଲା। ଫଳରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଥିଲେ। ୱାଗନ ଧକ୍କାରେ ଭୁଶୁଡ଼ି ପଡ଼ିଥିବା ବିଶ୍ରାମାଗାର ଛାତତଳେ ଏମାନେ ଚାପି ହୋଇଯାଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ‌ଡାକ୍ତରଖାନାକୁ ନିଆଯାଇଥିଲା। ଦୁର୍ଘଟଣା ପରେ କୋଲକାତା-ଚେନ୍ନାଇ ପୂର୍ବତଟ ରେଳପଥ ଦିନତମାମ ବନ୍ଦ ରଖାଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଥିଲା। ଲାଇନ୍‌ଚ୍ୟୁତ ହୋଇଥିବା ୱାଗନ ଗୁଡ଼ିକୁ ହଟାଇବାରେ ଏକାଧିକ ମେସିନ ନିୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର