ଝାରସୁଗୁଡ଼ା: ଫେବ୍ରୁଆରି ମାସର ୧୦ ଦିନ ହୋଇନି। ଏବେଠୁ ନଦୀ, ପୋଖରୀ ଓ ଅନ୍ୟାନ୍ୟ ଜଳାଶୟ ଶୁଖିଗଲାଣି। ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତମ ଜୀବନରେଖା କୁହାଯାଉଥିବା ଇବ୍, ଭେଡ଼େନ୍ ନଦୀ ଓ ଓଡ଼ିଶା-ଛତିଶଗଡ଼ ସୀମାନ୍ତ କେଲୋ ନଦୀରେ ମରୁଭୂମିର ଭ୍ରମ ସୃଷ୍ଟିହେଲାଣି। ଗତବର୍ଷ ଗ୍ରୀଷ୍ମପ୍ରବାହ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତବର୍ଷ ଫେବ୍ରୁଆରି ମାସରୁ ତାପମାତ୍ରା ୩୬ ଡିଗ୍ରି ପାର୍ ହୋଇ ସାରିଲାଣି। ଏଭଳି ସ୍ଥିତିରେ ଚଳିତବର୍ଷ ମେ’-ଜୁନ୍ ମାସ ସମୟରେ ତାପମାତ୍ରା ଶୀର୍ଷରେ ଥିବା ବେଳକୁ ଜଳକଷ୍ଟ ଉତ୍କଟ ହେବ ବୋଲି ଆଶଙ୍କା ଉପୁଜିଛି।
ଝାରସୁଗୁଡ଼ା ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ ଓ ଖଣି ଖନନ ଯୋଗୁଁ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି।
ଯାହା ବି ଜଳାଶୟ ରହିଛି ସେଗୁଡ଼ିକର ଠିକ୍ ପରିଚାଳନା ହୋଇ ପାରୁ ନଥିବାରୁ ଅଣମୌସୁମୀ ଋତୁରେ ସେଠାରେ ପାଣି ରହିପାରୁନି। ବର୍ଷାଦିନେ ଜଳ ସଂରକ୍ଷଣର କୌଣସି ବ୍ୟବସ୍ଥା ନଥିବାରୁ ଇବ୍, ଭେଡ଼େନ୍, କେଲୋ ନଦୀର ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବାହିତ ହୋଇଯାଉଛି। ସେପଟେ, ବର୍ଷର ଅନ୍ୟ ସମୟରେ ଏହି ନଦୀ ଉପରେ ନିର୍ଭରଶୀଳ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ଘରକୁ ଘର ଜଳଯୋଗାଣ ପାଇଁ ଝାରସୁଗୁଡ଼ା ମ୍ୟୁନିସିପାଲଟି ଇବ୍ ନଦୀ ପାଣି ଉପରେ ପ୍ରାୟ ୫୦ ପ୍ରତିଶତ ନିର୍ଭରଶୀଳ ରହୁଛି। ଯଦିଓ ପଞ୍ଚପଡ଼ାଠାରେ ବାଲିବନ୍ଧ ବାନ୍ଧି ଜନସ୍ବାସ୍ଥ୍ୟ ବିଭାଗ ପାଣି ଉଠାଉଛି, କିନ୍ତୁ ନଦୀର ପ୍ରାକୃତିକ ଜଳସ୍ରୋତ ଶୁଖି ଚାଲିଥିବାରୁ ଆଉ ଦିନ କେଇଟାରେ ସେହି ବନ୍ଧରୁ ବି ପାଣି ଶୁଷ୍କ ହୋଇଯିବା ଆଶଙ୍କା ଦେଖାଦେଲାଣି। ଏଭଳି ସ୍ଥିତିରେ ଝାରସୁଗୁଡ଼ା ପୌରାଞ୍ଚଳରେ ଜଳଯୋଗାଣ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ସହରର ପୁରୁଣାବସ୍ତି ପୋଖରୀ ଉପରେ ଅଞ୍ଚଳର ହଜାର ହଜାର ଲୋକେ ନିର୍ଭରଶୀଳ। ଏହି ପୋଖରୀର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ସରକାରୀ ପଦକ୍ଷେପ କେବଳ ଘୋଷଣାରେ ସୀମିତ ରହିଯାଇଛି। ଫଳସ୍ବରୂପ ଏହି ପୋଖରୀରେ ଥିବା ପାଣି ଶୁଖିଯିବା ସହ ସେଠାରେ ଥିବା ଦଳଗୁଡ଼ିକ ବି ମରି ସାରିଲେଣି।
ଅନ୍ୟପକ୍ଷରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଲଖନପୁର ବ୍ଲକ୍ର ୬ଟି ପଞ୍ଚାୟତର ଜୀବନରେଖା ହେଉଛି କେଲୋ ନଦୀ। କିନ୍ତୁ ରାୟଗଡ଼ ନିକଟରେ ୨୦୧୪-୧୫ ମସିହାରେ ଛତିଶଗଡ଼ ସରକାର କେଲୋ ନଦୀ ଉପରେ ଡ୍ୟାମ୍ ନିର୍ମାଣ କରିବା ପରଠାରୁ ଏହି ନଦୀର ତଳମୁଣ୍ଡରେ ରହୁଥିବା ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେବଳ ଏହି ନଦୀ ନୁହେଁ, ମହାନଦୀର ସ୍ଥିତି ବି ଅନୁରୂପ ରହିଛି। ବର୍ଷାଦିନରେ କୂଳ ଲଂଘୁଥିବା ମହାନଦୀରେ ଏବେଠୁ ଜଳସ୍ରୋତ କ୍ଷୀଣ ହେବାକୁ ଲାଗିଥିବା ବେଳେ ନଦୀକୂଳିଆ ଲୋକେ ପାଣି ପାଇଁ ଆଉଟୁପାଉଟୁ ହେଲେଣି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମାର୍ଚ୍ଚ ମାସ ସୁଦ୍ଧା ଘରକୁ ଘର ଜଳଯୋଗାଣ ଯୋଜନା ପୁଣି ବିଳମ୍ବିତ ହେଲେ ଏଥର ଗ୍ରୀଷ୍ମଦିନରେ ଲୋକେ ପିଇବା ପାଣି ପାଇଁ ମଧ୍ୟ ହନ୍ତସନ୍ତ ହେବେ।