ଭୁବନେଶ୍ବର: ଲଗାତାର ୧୦ ଦିନ ହେଲା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍)। ଏପ୍ରିଲରେ ଓଡ଼ିଶାରେ ସ୍ବାଭାବିକ ଭାବେ ୧ରୁ ୩ ଦିନ ହିଟ୍ୱେଭ୍ ଅନୁଭୂତ ହେଉଥିବା ବେଳେ ଏଥର ସବୁ ରେକର୍ଡ ଭାଙ୍ଗିଛି। ଏପ୍ରିଲ ୨୪ ତଥା ଆଜି ସୁଦ୍ଧା ଚଳିତ ମାସରେ ୧୨ ଦିନ ଗ୍ରୀଷ୍ମ ପ୍ରବାହ ହୋଇଛି। ଏପ୍ରିଲ ୫ ଓ ୬ରେ ପ୍ରଥମ ପର୍ଯ୍ୟାୟ ହିଟ୍ୱେଭ୍ ହୋଇଥିବା ବେଳେ ଏପ୍ରିଲ ୧୫ରୁ ଏପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ହିଟ୍ୱେଭ୍ ଜାରି ରହିଛି। ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହିଟ୍ୱେଭ୍ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଗ୍ରୀଷ୍ମ ସିଜିନ୍ରେ ଓଡ଼ିଶାରେ ୧୧ଟି ହିଟ୍ୱେଭ୍ ଦିନ ରହିଥାଏ। ୨୦୨୩ରେ ତାହା ୧୭ ଦିନରେ ପହଞ୍ଚିଥିଲା। ସେଥିରୁ ଜୁନ୍ ମାସରେ ୧୨ ଓ ଏପ୍ରିଲରେ ୫ଟି ଦିନ ହିଟ୍ୱେଭ୍ ସ୍ଥିତି ଉପୁଜିଥିଲା। ଚଳିତ ମାସ ଶେଷ ହେବାକୁ ଆହୁରି ୬ ଦିନ ବାକି ଥିବାରୁ ଏଥର ସବୁ ରେକର୍ଡ ଭାଙ୍ଗିବାର ଆଶଙ୍କା ପ୍ରକାଶ ପାଇଛି।
ଆସନ୍ତା ୫ ଦିନରେ ବଢ଼ିବ ୪ ଡିଗ୍ରି
୨୬ରୁ ୨୮ ଯାଏ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର ଓ ନୂଆପଡ଼ା ଉତ୍ତପ୍ତ ସହର
ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କିଛି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍ୱେଭ୍) ତଥା କିଛି ସ୍ଥାନରେ ହିଟ୍ୱେଭ୍ ସ୍ଥିତି ଲାଗିରହିବାର ସମ୍ଭାବନା ରହିଛି। ୨୫ରୁ ୨୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ତାପମାତ୍ରା ୪୦ରୁ ୪୩ ଡିଗ୍ରି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୧ରୁ ୪୫ ଡିଗ୍ରି ମଧ୍ୟରେ ରହିବ। ସର୍ବନିମ୍ନ ତଥା ରାତିର ତାପମାତ୍ରା ଉପକୂଳରେ ୨୬ରୁ ୨୮ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୪ରୁ ୨୭ ଡିଗ୍ରି ମଧ୍ୟରେ ରହିବ। ଗୁରୁବାର ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସିଭିଅର ହିଟ୍ୱେଭ୍ ହୋଇପାରେ। ମାତ୍ର ୨୬ରୁ ୨୮ ତାରିଖ ମଧ୍ୟରେ ସାରା ଓଡ଼ିଶାରେ ହିଟ୍ୱେଭ୍ ଲାଗିରହିବ। ଭଦ୍ରକ, ମୟୂରଭଞ୍ଜ, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ଡେଇଁଯିବା ନେଇ ପୂର୍ବାନୁମାନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିପାଗ କେନ୍ଦ୍ରର ମୁଖ୍ୟ ମନୋରମା ମହାନ୍ତି କହିଛନ୍ତି ଯେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉତ୍ତର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ହିଟ୍ୱେଭ୍ ଲାଗିରହିବ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସିଭିଅର ହିଟ୍ୱେଭ୍ ସ୍ଥିତି ଉପୁଜିପାରେ। ପରବର୍ତ୍ତୀ ୪ ଦିନ ରାଜ୍ୟର ବହୁ ସ୍ଥାନରେ ହିଟ୍ୱେଭ୍ ସହ ସିଭିଅର ହିଟ୍ୱେଭ୍ ହେବାର ସମ୍ଭାବନା ରହିଛି। ଗଜପତି, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପାରଦ ୪୫ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିପାରେ। ତାହାକୁ ନଜରରେ ରଖି ୱାର୍ଣ୍ଣିଂ ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ବର ସମେତ ନୂଆପଡ଼ାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରି ରହିଥିଲା। ୨୪ଟି ସହରରେ ପାରଦ ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ନୂଆପଡ଼ା, ଭୁବନେଶ୍ବର ବ୍ୟତୀତ ଝାରସୁଗୁଡ଼ାରେ ୪୩.୧, ବାରିପଦା ଓ ପାରଳାଖେମୁଣ୍ଡିରେ ୪୨.୫, ଚାନ୍ଦବାଲି, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ୪୨.୨, ଟିଟିଲାଗଡ଼, ଯାଜପୁର ଓ ଢେଙ୍କାନାଳର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରହିଥିଲା।