୫ ମାସ ହେଲା ମିଳୁନି ପିହୁ, ପରିବାରର ଧାରଣା

ଆତ୍ମାହୁତି ଉଦ୍ୟମ ପୂର୍ବରୁ ଲଣ୍ଠନ, ଦିଆସିଲି ଛଡ଼ାଇନେଲା ପୁଲିସ

ଯାଜପୁରସଦର: ପିହୁ ନି‌ଖୋଜକୁ ୫ ମାସ ପୂରିବାକୁ ଯାଉଛି। କୁନି ଝିଅକୁ ଖୋଜିଖୋଜି ନୟାନ୍ତ ହେଲେଣି ପରିବାର। ଥାନା ଠାରୁ ଆରମ୍ଭ କରି ଏସ୍‌ପି ଅଫିସ ପର୍ଯ୍ୟନ୍ତ ଯାଇ ଗୁହାରି କରିଛନ୍ତି। ସବୁଠି କେବଳ ଆଶ୍ବାସନା ମିଳୁଛି କିନ୍ତୁ ପିହୁ ମିଳୁନି। ଏଭଳି ସ୍ଥିତିରେ ଆଜି ପିହୁର ପରିବାର ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପିହୁ ନମିଳିଲେ ଆତ୍ମାହୁତି ଦେବେ ବୋଲି ତାଙ୍କ ମା’ ମୋନାଲିସା ସ୍ଥିର କରିଥିଲେ। ଏକ ବ୍ୟାଗ୍‌ ଭିତରେ ଲଣ୍ଠନ ଏବଂ ଦିଆସିଲି ଲୁଚାଇ ରଖିଥିଲେ। ତେବେ କୌଣସି ଅଘଟଣ ପୂର୍ବରୁ ପୁଲିସ ଲଣ୍ଠନ ଏବଂ ଦିଆସିଲିକୁ ଜବତ କରି ନେଇଥିଲା। ଏହି ଘଟଣା ଆଜି ଯାଜପୁରରେ ଆଲୋଡ଼ନ ସୃଷ୍ଟି କରିଛି। ପରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପହଞ୍ଚିି ନିଖୋଜ ପିହୁଙ୍କୁ ଉଦ୍ଧାର ପାଇଁ ନୂତନ ଏସ୍‌ପିଙ୍କ ସହ ଆଲୋଚନା କରାଯାଇଛି। ପୁଲିସ ପିହୁଙ୍କୁ ଖୋଜିବା ପାଇଁ ଉଦ୍ୟମ ଚଳାଇଛି ବୋଲି କହି ଆଶ୍ବାସନା ଦେବାରୁ ସପରିବାର ଧାରଣାରୁ ହଟିଥିଲେ।

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ନିର୍ମଳ ନାୟକଙ୍କ ଝିଅ ମୋନାଲିସା ଦୁଇ କୁନି ପିଲାଙ୍କୁ ନେଇ ବାପ ଘରେ ରହି ଆସୁଥିଲେ। ଅଗଷ୍ଟ ୯ ତାରିଖ ଦିନ ମୋନାଲିସାଙ୍କ ୨ ବର୍ଷର ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ପରିବାର ପକ୍ଷରୁ ଏ ନେଇ ବିଂଝାରପୁର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି ପିହୁକୁ ଠାବ କରିବାରେ ପୁଲିସ ସଫଳ ହୋଇପାରିନି। ପିହୁର ପରିବାର ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ। ଶିଶୁ ନିଖୋଜକୁ ନେଇ ଆଲୋଡ଼ନ ସୃଷ୍ଟି ହେବା ପରେ ଡିସେମ୍ବର ୧୫ ତାରିଖରେ ରାଜ୍ୟ ଶିଶୁ ସୁରକ୍ଷା ଆ‌ୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ପୁଲିସ, ପ୍ରଶାସନ ଏବଂ ପିହୁର ପରିବାରକୁ ଭେଟି ଆଲୋଚନା କରିଥିଲେ। ଆବଶ୍ୟକସ୍ଥ‌ଳେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରାଯିବ ବୋଲି କହିଥିଲେ। ଇତିମଧ୍ୟରେ ୨୦ ଦିନ ବିତିଥିଲେ ମଧ୍ୟ ଏ ଦିଗରେ କୌଣସି ଅଗ୍ରଗତି ହୋଇନି। ଏଭଳି ସ୍ଥିତିରେ ଆଜି ପିହୁର ପିତା ମାତା ଏବଂ ଆଈ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ସମୟରେ ଟାଉନ୍‌ ପୁଲିସ ପହଞ୍ଚି ପିହୁର ମା’ ବ୍ୟାଗରେ ଲୁଚାଇ ରଖିଥିବା ଲଣ୍ଠନ ଏବଂ ଦିଆସିଲିକୁ ନେଇଯାଇଥିଲେ। ମୋନାଲିସା କହିଛନ୍ତି ଯେ ପିହୁକୁ ଖୋଜିବା ପାଇଁ ଆମେ ପୁଲିସ, ପ୍ରଶାସନ ନିକଟରେ ବାରମ୍ବାର ନେହୁରା ହୋଇଛୁ। ପୁଲିସ ପ୍ରଥମେ ଏହାକୁ ଗୁରୁତ୍ବ ନଦେଇ ଚୁପ୍‌ ରହିଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଖୋଜାଖୋଜି କରୁଥିବା ପୁଲିସ ଅଧିକାରୀମାନେ କହୁଛନ୍ତି । ପ୍ରଶାସନ କୌଣସି ପଦକ୍ଷେପ ନଦେଲେ ସପରିବାର ନବୀନ ନିବାସ ଆଗରେ ଧାରଣା ଦେବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର