‘ୟାସ୍‌’କୁ ବର୍ଷେ ବିତିଲା, ତଥାପି ବାବୁଙ୍କ ନିଦ ଭାଙ୍ଗିଲାନି

ଲୁଣି ପାଣିରେ ଏବେ ବି ଉଛୁଳୁଛି ଏକର ଏକର ଚାଷଜମି

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀକୋଣା ପଞ୍ଚାୟତ ଚାରିଗୋଛିଆ ଅଞ୍ଚଳରେ ମୁକୁଳା ନଦୀବନ୍ଧ ପାଇଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ୫୦୦ରୁ ଊର୍ଦ୍ଧ୍ବ ପରିବାର। ୟାସ ବାତ୍ୟାକୁ ଇତିମଧ୍ୟରେ ବର୍ଷେ ପୂରିଯାଉଥିବା ବେଳେ ନା ସ୍ଥାନୀୟ ଲୋକ ପ୍ରତିନିଧି ନା ପ୍ରଶାସନ କେହି ସେମାନଙ୍କ ଦୁଃଖ ବୁଝିଲେ ନାହିଁ। ଫଳରେ ଏବେବି ନାହିଁନଥିବା ଅସୁବିଧାରେ ଦିନ କାଟୁଛନ୍ତି। ଏକର ଏକର ଚାଷଜମିରେ ପ୍ରତିଦିନ ବୁଢ଼ାବଳଙ୍ଗ ନଦୀରେ ଆସୁଥିବା ଲୁଣିଜୁଆର ମାଡ଼ି ଚାଷ ଅନୁପୋଯୋଗୀ ହୋଇପଡ଼ିଛି। ଅନ୍ୟପକ୍ଷରେ ଦୁର୍ବଳ ନଦୀବନ୍ଧକୁ ପଥରପ୍ୟାଚିଂ କରିବା ଆଳ‌ରେ କୋଟିକୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି।

ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ସମେତ ବଣଚକ ଓ ଖଣ୍ଡକାଳୀ ଅଞ୍ଚଳରେ ୫୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। କିନ୍ତୁ ବୁଢ଼ାବଳଙ୍କ ନଦୀରେ ଯେତେ ବଡ଼ ବନ୍ୟା ଆସିଥିଲେ ବି ସେମାନେ କେବେ ଅଧିକ କ୍ଷୟକ୍ଷତିର ସମ୍ମୁଖୀନ ହୋଇନଥିଲେ। ଏହାର ମୂଳ କାରଣ ଥିଲା ବୁଢ଼ାବଳଙ୍ଗ ନଦୀର ଆଡ଼ିବନ୍ଧ। କିନ୍ତୁ ଏହି ଆଡ଼ିବନ୍ଧଟି ଦୁର୍ବଳ ହୋଇଥିବାରୁ ଗ୍ରାମବାସୀ ଏହାକୁ ପଥର ପ୍ୟାଚିଂ ସହ ଉଚ୍ଚା କରିବାକୁ ଦାବି କରିଆସୁଥିଲେ। ୨୦୧୮-୧୯ ଆର୍ଥିକବର୍ଷରେ ସେଠା‌ରେ ଏକ ପଥରବନ୍ଧ ପ୍ରକଳ୍ପ ନିର୍ମାଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ୧ କୋଟି ୭୬ ଲକ୍ଷ ୪୭ ହଜାର ୯୩୯ ଟଙ୍କାର ଆର୍ଥିକ ଅନୁଦାନ ମିଳିଥିଲା ଏବଂ ୨୦୧୮ ନଭେମ୍ବର ୨୭ ତାରିଖରେ ଉକ୍ତ ପଥରବନ୍ଧ ପ୍ରକଳ୍ପର କାମ ଆରମ୍ଭ ହୋଇ ୨୦୧୯ ମସିହା ଜୁଲାଇ ୨୬ ତାରିଖରେ ସମ୍ପୂର୍ଣ୍ଣ ହୋଇଥିଲା।

କିନ୍ତୁ ଦୁଃଖ ଓ ପରିତାପର ବିଷୟ ଗତବର୍ଷ ୟାସ ବାତ୍ୟାରେ ଉକ୍ତ ପଥରବନ୍ଧଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇ ବିରାଟ ଘାଇ ସୃଷ୍ଟି ହେଲା। ଆଉ ତା ପରେ ଚାରିଗୋଛିଆ, ବଣଚକ ଓ ଖଣ୍ଡକାଳୀ ଶହଶହ ଏକର ଚାଷଜମି, ଘରଦ୍ବାର, ଚିଙ୍ଗୁଡ଼ିଘେରି ସବୁକିଛି ଲୁଣିପାଣିରେ ମାସମାସ ଧରି ବୁଡ଼ି ରହିଲା। ଲୋକମାନେ ଚାଷବାସ ଓ ଜୀବିକା ହରାଇ ଏକପ୍ରକାର ସର୍ବସ୍ବାନ୍ତ ହୋଇଗଲେ। ସେମାନଙ୍କ ଦୁଃଖରେ ଦୁଃଖୀ ହେବାକୁ ତଥା ସମବେଦନା ଜଣାଇବାକୁ ଚାରିଗୋଛିଆ ଅଞ୍ଚଳକୁ ନେତା, ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ଅଧିକାରୀ ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ଯାଏ ସଭିଙ୍କ ସୁଅ ଛୁଟିଲା। ଚାରିଗୋଛିଆ ଅଞ୍ଚଳବାସୀ ମାଳମାଳ ପ୍ରତିଶ୍ରୁତି ପାଇଲେ। ତୁରନ୍ତ ସେମାନଙ୍କ ସମସ୍ୟା ସୁଧାରିବାକୁ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଗଲା।

ହେଲେ ଏହି ବର୍ଷେ ଭିତରେ ଉକ୍ତ ଅଞ୍ଚଳର କଣ ସ୍ଥିତି ବଦଳିଛି ତାହା କେହି ଆଖିରେ ନଦେଖିଲେ ବିଶ୍ବାସ କରିପାରିବ ନାହିଁ। ଥରେ କୋଟି କୋଟି ଟଙ୍କାର ନଦୀବନ୍ଧ ସଜାଡ଼ିଲେ ତାହା ଗୋଟିଏ ବାତ୍ୟାରେ ଭୁଶୁଡ଼ିଗଲା। ତା ପରେ ଯେଉଁ ପୁଣିଥରେ ସଜାଡ଼ିବାକୁ ଯେଉଁ ଅନୁଦାନ ଆସିଲା ଏବେ ତାହା ମଧ୍ୟ ବିଭାଗୀୟ ଅଧିକାରୀ ଓ କାମ ନେଇଥିବା ସଂସ୍ଥା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି। ନଦୀବନ୍ଧ ପୂର୍ବଭଳି ମୁକୁଳା ଥିବାରୁ ବୁଢ଼ାବଳଙ୍ଗ ନଦୀରେ ପ୍ରତିଦିନ ଜୁଆର ଆସି ଏହି ଅଞ୍ଚଳର ୩୦ରୁ ୪୦ ଏକର ଜମିରେ ଲୁଣି ପାଣି ମାଡ଼ି ଯାଉଛି। ବାରମ୍ବାର ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଓ ଜଳସେଚନ ବିଭାଗକୁ ଏବାବଦରେ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଅଞ୍ଚଳର ମୁଖ୍ୟ ଜୀବିକା ଥିବା ଚାଷ ଆଉ ହେବାର ସମ୍ଭାବନା ନଥିବାରୁ ଲୋକେ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଆଗକୁ ବର୍ଷାଦିନ ଆସୁଥିବାରୁ ମୁକୁଳା ନଦୀବନ୍ଧ ନସଜାଡ଼ିଲେ ପରିସ୍ଥିତି ସଙ୍ଗିନ ହେବ। ବେଳ ଥାଉ ଥାଉ ସଜାଗ ହେବାକୁ ବିପର୍ଯ୍ୟୟ ମୁକାବିଲା ବୈଠକରେ ସାଂସଦ, ବିଧାୟକ ଓ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ନିର୍ଦ୍ଦେଶ ଦେଉଥିବା ବେଳେ କାହିଁକି ଏହା କାର୍ଯ୍ୟକାରୀ ହେଉନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ସରପଞ୍ଚ କମଳ କୁମାର ସାହୁଙ୍କୁ ଏ ବାବଦରେ ପଚାରିବାରୁ ଲୋକଙ୍କ ସମସ୍ୟା ବାବଦରେ ସେ ପ୍ରଶାସନକୁ ଜଣାଇବା ସତ୍ତ୍ବେ କିଛି ସୁଫଳ ମିଳୁନଥିବା କହିଛନ୍ତି। ବର୍ଷାଦିନ ପୂର୍ବରୁ ଯଦି ଏହାର ସମାଧାନ କରାନଯାଏ, ତା’ ହେଲେ ଶ୍ରୀକୋଣା ଅଞ୍ଚଳବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର