୨ ମାସ ହେଲା ପାଣି ପାଇଁ ହାହାକାର

ଆନନ୍ଦପୁର : ଗ୍ରୀଷ୍ମଋତୁରେ ଉତ୍କଟ ଜଳସଂକଟ। ଏଭଳି ସମସ୍ୟା ଯୋଗୁ ଗତ ଦୁଇମାସରୁ ଅଧିକ ସମୟ ହେଲା ଲୋକମାନେ ଦହଗଞ୍ଜ ହେଉଛନ୍ତି। ମାତ୍ର ଶୁଣିବାକୁ କେହିନାହିଁ। ଆନନ୍ଦପୁର ବ୍ଳକ ଧକୋଠା ପଞ୍ଚାୟତର ଭାଲୁକୁମା ଓ କୋଳିମାଟି ପଞ୍ଚାୟତର ଟିକିରା ଗ୍ରାମରେ ପିଇବାପାଣି ପାଇଁ ଲୋକମାନେ ହଟହଟାର ସମ୍ମୁଖୀନ ହେଉଛନ୍ତି। କେଉଁଠି ନଳକୂପରୁ ପାଣି ସଂଗ୍ରହ ପାଇଁ ଘଣ୍ଟାଘଣ୍ଟା ସମୟ ବିତୁଛି ତ ଆଉ କେଉଁଠି ଲୋକମାନେ ନଦୀରୁ ପିଇବାପାଣି ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଧକୋଠା ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଥିବା ଟାଙ୍କିରୁ ୧୦ନମ୍ବର ୱାର୍ଡ଼ ମାର୍ଶାପାଳ ରାସ୍ତାକଡ଼ ସାହିକୁ ପାନୀୟ ଜଳଯୋଗାଣ କରାଯାଇଥିଲା। ୩ଟି ଷ୍ଟାଣ୍ଡପୋଷ୍ଟରୁ ଲୋକମାନେ ଗତ କିଛିବର୍ଷ ହେଲା ୱାର୍ଡର ୨୫ରୁ ଊର୍ଦ୍ଧ୍ବ ପରିବାର ପିଇବାପାଣି ସଂଗ୍ରହ କରୁଥିଲେ। ତିନିମାସ ତଳେ ରାଜପଥ ନିର୍ମାଣ କରୁଥିବା ଏଆରଏସ୍ଏସ୍ କମ୍ପାନି ପାଣି ପାଇପ୍ ଯାଇଥିବା ରାସ୍ତାକୁ ତାଡ଼ି ଦେଇଥିଲା। ତାଡ଼ି ଦେବାପ‌ରେ କଛିଦିନ ସେଠାରେ ପାଣି ଭାସିଥିଲା। ପରେ ପାଇପକୁ ଲୋକମାନେ ବନ୍ଦ କରି ଦେଇଥିଲେ। ଲୋକମାନେ ଏନେଇ ଠିକାସଂସ୍ଥାକୁ କହିବାରୁ ଏହା ସେମାନଙ୍କ କାମ ନୁହେଁ ବୋଲି କହିଥିଲେ। ଏପଟେ ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ କେବଳ ଖୋଳା ଯାଇଥିବା ସ୍ଥାନ ପରିଦର୍ଶନ କରି ନିଜର ଦାୟିତ୍ବ ଶେଷ କରିଛନ୍ତି। ଠିକାସଂସ୍ଥା, ଗ୍ରାମ୍ୟ ଜଳଯୋଗାଣ ବିଭାଗ, କିମ୍ବା ଧକୋଠା ପଞ୍ଚାୟତ କେହି ଏଦିଗରେ ତତ୍ପରତା ପ୍ରକାଶ କରୁ ନଥିବାବେଳେ ଗତ ତିନିମାସ ହେଲା ସ୍ଥାନୀୟ ଲୋକମାନେ ପିଇବାପାଣି ପାଇଁ ଡହଳବିକଳ ହେଉଛନ୍ତି।

ସେଠ‌ାରେ ଥିବା ଏକମାତ୍ର ନଳକୂପରୁ ସାହିର ବାସିନ୍ଦା ବହୁକଷ୍ଟରେ ପିଇବାପାଣି ସଂଗ୍ରହ କରୁଛନ୍ତି। ନଳକୂପରୁ କମ୍ ପରିମାଣର ପାଣି ବାହାରୁଥିବାରୁ ଲୋକମାନଙ୍କ ଦୁର୍ଦ୍ଦଶା ପରିଲକ୍ଷିତ ହୋଇଛି। ସ୍ନାନଶୌଚ ପାଇଁ ଲୋକମାନେ ୨କିମି ଦୂର ବୈତରଣୀ ନଦୀକୁ ଯାଉଥିବାବେଳେ କେତେକ ପିଇବାପାଣି ମଧ୍ୟ ନଦୀଶଯ୍ୟାରୁ ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ପିଇବାପାଣି ପାଇଁ ବାଇକରେ ଏକକିମି ଦୂରକୁ ଯାଉଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ଏପଟେ ଗତ ତିନିମାସ ହେଲା ଲୋକମାନେ ପାଣିପାଇଁ ହଟହଟାର ସମ୍ମୁଖୀନ ହେଉଥିବାବେଳେ ପଞ୍ଚାୟତ ତରଫରୁ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବା ଗୁରୁତର ଅଭିଯୋଗ ହୋଇଛି।

ସେହିପରି ଆଦିବାସୀ ବହୁଳ ଟିକିରା ଗ୍ରାମରେ ଦୁଇଟି ନଳକୂପ ରହିଥିଲେ ମଧ୍ୟ ଗ୍ରୀଷ୍ମଋତୁରେ ପାଣି ସମସ୍ୟା ଦେଖାଦେଇଛି। ନଳକୂପରୁ ଅଳ୍ପଅଳ୍ପ ପାଣି ବାହାରୁଥିବାରୁ ମହିଳାମାନେ ଘଣ୍ଟାଘଣ୍ଟା ଧରି ଜଗିରହି ପାଣି ନେବାକୁ ପଡୁଛି। କେତେକ ସ୍ଥାନୀୟ ମୂଷଳ ନଦୀକୁ ସ୍ନାନ ଶୌଚ ହେବାକୁ ଯାଉଥିବା ପ୍ରକାଶ କରିଛନ୍ତି। ପଞ୍ଚାୟତର ଶେଷ ସୀମାରେ ଜଙ୍ଗଲ ମଧ୍ୟରେ ଥିବା ଏହି ଗ୍ରାମର ସମସ୍ୟା କାହା ଦୃଷ୍ଟିରେ ପଡୁନାହିଁ। କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର