ବଲାଙ୍ଗୀର: ଅଦିନିଆ ବର୍ଷା ଚାଷୀର ନିଦ ହଜାଇ ଦେଇଛି। ଗତ ସପ୍ତାହେ ହେଲା ଜିଲ୍ଲାରେ ଲଗାତାର କୋହଲା ପାଗ ଲାଗି ରହିଛି। ରବିବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ପାଟଣାଗଡ଼ ବ୍ଲକ୍‌ ସମେତ ଆଉ କିଛି ଅଞ୍ଚଳରେ ଭଲ ବର୍ଷିଛି। ବର୍ଷା ଯୋଗୁଁ ବିଲରେ ଅମଳ ହେବାକୁ ଥିବା କପା ଭିଜିଛି। କିଛି ଅଞ୍ଚଳରେ କପା ଗଛ ଧରାଶାୟୀ ହୋଇଛି। କପା ପାଣିରେ ବତୁରି ଯାଇଛି। ଆଉ କିଛି ଦିନ ପରେ କପା କିଣା ଆରମ୍ଭ ହୋଇଥାନ୍ତା। କିନ୍ତୁ ବର୍ଷା ମାଡ଼ କପା ଚାଷୀକୁ ଦୁଃଖ ଦେଇଛି। ଅନ୍ୟପକ୍ଷରେ, ମଣ୍ଡିକୁ ଯିବା ପାଇଁ ପ୍ରସ୍ତୁତ ଶୁଖିଲା ଧାନ ବି ଭିଜିଛି। ଖଳା ଏବଂ ରାସ୍ତାରେ ଶୁଖୁଥିବା ଧାନ ଓଦା ହୋଇଯାଇଛି।

Advertisment

ଜିଲ୍ଲାରେ ୧୫୮ କ୍ରୟ କେନ୍ଦ୍ରରେ ଧାନ କିଣା ଚାଲିଛି। କିନ୍ତୁ ମଣ୍ଡି ହେଉ କି କ୍ରୟ କେନ୍ଦ୍ର, ଚାଷୀଙ୍କ ପାଇଁ ନ୍ୟୂନତମ ସୁବିଧା ଉପଲବ୍ଧ ନାହିଁ। ମଣ୍ଡି କିମ୍ବା କ୍ରୟ କେନ୍ଦ୍ରରେ ଛାଉଣି ବ୍ୟବସ୍ଥା ନାମକୁ ମାତ୍ର। ଛାଉଣି ତଳେ ଯେତେ ଧାନ ରହୁଛି, ତା’ର ଚାରି ଗୁଣା ଖୋଲା ଆକାଶ ତଳେ ପଡ଼ି ରହୁଛି। ଚାଷୀଙ୍କୁ ତାର୍‌ପୋଲିନ ଯୋଗାଇ ଦିଆଯାଇଛି। କିନ୍ତୁ ଅସରାଏ ବର୍ଷାରେ ତାହା ଧାନକୁ ସୁରକ୍ଷା ଦେବା ଅସମ୍ଭବ। ଧାନର ଏଫ୍‌ଏକ୍ୟୁ ମାନ ଯାହା ବି ଥାଉ ବିନା ୪ କିଲୋ କଟ୍‌ନିରେ ତାକୁ ମିଲର୍‌ କିଣୁନାହିଁ। ଏବେ ବର୍ଷା ଯୋଗୁଁ ଆର୍ଦ୍ରତା ବଢ଼ିଥିବାରୁ ଧାନର କଟ୍‌ନିଛଟ୍‌ନି ଆହୁରି ବଢ଼ିବା ନିଶ୍ଚିତ। ସୁବର୍ଣ୍ଣପୁର ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିବାରୁ ବିଶେଷ କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ କୋହଲା ପାଗ ଲାଗିରହିଥିବାରୁ ବିଭିନ୍ନ ଫସଲ ପ୍ରଭାବିତ ହୋଇଛି। ଚାଷୀମାନେ ଚିନ୍ତାରେ ଥିବା କହିଛନ୍ତି।