ଭୁବନେଶ୍ବର: ସକ୍ରିୟ ମୌସୁମୀ ଯୋଗୁ ବାହୁଡ଼ାରେ ବି ବର୍ଷା ହେବ। ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଟ୍ରଫ୍ ଏବେ ଦକ୍ଷିଣ-ପୂର୍ବ ରାଜସ୍ଥାନରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ କେନ୍ଦ୍ରୀୟ ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି।
ଏହା ପ୍ରଭାବରେ ଆଜି ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୮୯.୮ ମିମି ବର୍ଷା ହୋଇଯାଇଛି। ଏଥିସହ ବୌଦ୍ଧରେ ୩୫ ମିମି, ନୟାଗଡ଼ରେ ୩୩ ମିମି, ସୋନପୁରରେ ୩୨ ମିମି ଓ ବଲାଙ୍ଗୀରେ ୩୦.୫ ମିମି ବର୍ଷା ରେକର୍ଡ ହୋଇଛି। ଆସନ୍ତାକାଲି ସୋନପୁର, ବରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ାରେ ଘଣ୍ଟାପ୍ରତି ଝଟ୍କା ପବନର ବେଗ ୩୦ରୁ ୪୦ କିମି ରହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୪ ତାରିଖ ଦିନ ସୋନପୁର, ବରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ।