ଶେରଗଡ଼/ହିଞ୍ଜିଳିକାଟୁ: କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସମରଝୋଳରେ ଆୟୋଜିତ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରି ସମବେତ କର୍ମୀ ଓ ଜନତାଙ୍କୁ ଉଦ୍ବୋଧନ ଦେଇ ଭୂପେନ୍ଦ୍ର କହିଥିଲେ, ଓଡ଼ିଶା ୨୫ ବର୍ଷ ହେଲା ଗୋଟିଏ ସରକାରକୁ ଶାସନର ସୁଯୋଗ ଦେଇ ଆସୁଛି। କିନ୍ତୁ ବିଜେପିକୁ ଥରେ ସୁଯୋଗ ଦେଲେ ଓଡ଼ିଶାରେ ବିକାଶ ଦୁଇଗୁଣ ହେବ। ସଂପ୍ରତି ଦେଶରେ ଅନ୍ୟାନ୍ୟ ରାଜ୍ୟରେ ବି ସରକାର ପରିବର୍ତ୍ତନ ହେବା ସହ ବିଜେପି କ୍ଷମତାସୀନ ହୋଇପାରିଛି। ଓଡ଼ିଶାରେ ସରକାର ବଦଳାଇବାର ସମୟ ଆସିଛି। ବିଜେପି ନିଶ୍ଚିତ ଭାବେ ଏଠାରେ ସରକାର ଗଢ଼ିବ। ଡବଲ୍ ଇଞ୍ଜିନ୍ ସରକାର ପାଇଁ ଓଡ଼ିଶାବାସୀ ଆସନ୍ତା ୨୦ ତାରିଖରେ ବିଜେପିକୁ ଭୋଟ୍ ଦିଅନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।
ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସର୍ବାଧିକ ଯୁବକଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁନି। ରାଜ୍ୟର ୩୫ ପ୍ରତିଶତ ଜମିକୁ ଜଳସେଚିତ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁନି। ଫଳରେ ଏଠାରେ ଦାଦନ ସମସ୍ୟା ଏକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଛିଡ଼ା ହୋଇଛି। ସବୁଠୁ ଉଦ୍ବେଗର ବିଷୟ ହେଉଛି, ଓଡ଼ିଶାରେ ଜଳ ଜୀବନ ମିସନ୍ ଯୋଜନାରେ କେନ୍ଦ୍ର ସରକାର ୧୦ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ। ତଥାପି ରାଜ୍ୟ ସରକାର ଜଳ ସୁପରିଚାଳନା କ୍ଷେତ୍ରରେ ବିଫଳ ହୋଇଛନ୍ତି। ଆଜି ବି ପ୍ରତି ଘରକୁ ପାଇପ୍ ଯୋଗେ ଜଳଯୋଗାଣ ହୋଇପାରୁନି। ହିଞ୍ଜିଳିକାଟୁ ବ୍ଲକ୍ର ସାରୁ ପଞ୍ଚାୟତ ହେଉଛନ୍ତି ଏହାର ଏକ ଜ୍ବଳନ୍ତ ଉଦାହରଣ। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଓଡ଼ିଶାର ଏକ ପ୍ରମୁଖ ପରିବା ହବ୍ ହୋଇଥିଲେ ହେଁ ଏଠାରେ ଆଜି ପର୍ଯ୍ୟନ୍ତ ଶୀତଳଭଣ୍ଡାର ସୁବିଧା ନାହିଁ। ଫଳରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଜେପି କ୍ଷମତାକୁ ଆସିଲେ ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା, ଧାନ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା ମୂଲ୍ୟ ବୃଦ୍ଧି, ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ସହାୟତା, ହିଞ୍ଜିଳିକାଟୁରେ ଶୀତଳଭଣ୍ଡାର ପ୍ରତିଷ୍ଠା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ବ ଦିଆଯିବ ବୋଲି ଭୂପେନ୍ଦ୍ର କହିଛନ୍ତି।
ସେହିପରି ଗଞ୍ଜାମରେ ରାଜନୈତିକ ହିଂସା ଓ ବିଜେପି କର୍ମୀ ଏବଂ ନେତାଙ୍କ ଉପରେ ଆକ୍ରମଣକୁ ସେ ନିନ୍ଦା କରି କହିଛନ୍ତି, ଏଭଳି ଘଟଣା ରାଜ୍ୟ ଏବଂ ଦେଶର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ପାଇଁ ବିଜେପି ନିର୍ବାଚନ ଲଢ଼ୁଛି। ତେବେ ଏଭଳି ଆକ୍ରମଣ ଏବଂ ହିଂସାରେ ବିଜେପି ଭୟଭୀତ ହେବନି। ନିର୍ବାଚନ କମିସନ୍ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିବା ଆବଶ୍ୟକ। ଆସିକା ସାଂସଦ ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ, ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ଶିଶିର ମିଶ୍ର, ଘୁମୁସର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ ସ୍ୱାଇଁ, ଗୋପାଳପୁର ବିଧାନସଭା ପ୍ରାର୍ଥୀ ବିଭୂତି ଭୂଷଣ ଜେନା, ନିର୍ବାଚନମଣ୍ଡଳୀ ପ୍ରଭାରୀ ଗୋପାଳ ଗୌଡ଼, ହିଞ୍ଜିଳି ପୌରାଞ୍ଚଳ ସଭାପତି ସନ୍ତୋଷ ପାଣିଗ୍ରାହୀ, ମାଧବ ଗୌଡ଼, ପୀତବାସ ପଣ୍ଡା, ସରୋଜ ସାବତ ଓ ଜୟନ୍ତୀ ପଢ଼ିଆରୀ ପ୍ରମୁଖ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhfhsshfshfshf.jpg)