ଶାମାଖୁଣ୍ଟା: ବନ୍ଧୁଙ୍କ ସହଯୋଗରେ ନିଜକୁ ନିଜେ ଅପହରଣ ଯୋଜନା କରି ୫୦ ଲକ୍ଷ ଟଙ୍କା ହଡ଼ପ କରିବା ଯୋଜନା ମହଙ୍ଗା ପଡ଼ିଲା। ଟଙ୍କା ଲୋଭରେ ସୁଯୋଗ ଦେଖି ତଣ୍ଟି କାଟି ହତ୍ୟା କଲା ବନ୍ଧୁ। ସହଯୋଗୀ ଦ୍ବାରା ଦରପୋଡ଼ା ଶବକୁ ନଈପଠାରେ ପୋତିଦେଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛି ମୟୂରଭଞ୍ଜଜିଲ୍ଲା ବାରିପଦା ସଦର ଥାନା ପୁଲିସ।
ଗତକାଲି ବାରିପଦା ଗୁମୁଡ଼ି ନିକଟ ବୁଢ଼ାବଳଙ୍ଗ ନଦୀପଠାରୁ ଜଣେ ଅଜଣା ଯୁବକଙ୍କ ଦରପୋଡ଼ା ଗଳିତ ଶବ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ ତଦନ୍ତକୁ ତ୍ବରାନ୍ବିତ କରିଥିଲା ପୁଲିସ। ମୃତ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ମୁରଲୀଧର ସ୍ୱାଇଁଙ୍କ ପୁଅ ଚନ୍ଦନ କୁମାର ସ୍ୱାଇଁ (୩୨) ବୋଲି ଜଣାପଡ଼ିଥିଲା। ଚନ୍ଦନଙ୍କ ପରିଚୟ ମିଳିଯିବା ପରେ ଘଟଣାର ପେଡ଼ି ଖୋଲିଯିବା ସହ ୨ ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍ ଜାମବଣି ଅଞ୍ଚଳର ଆଶିଷ ସିଂ (୨୪) ଓ କଲିଆ ଓରଫ୍ କର୍ମା ସିଂ (୨୨)ଙ୍କ ପାଖରେ ପହଞ୍ଚି ଯାଇଥିଲା ପୁଲିସ।
ଆଶିଷଙ୍କ ବୟାନ ଅନୁଯାୟୀ; ସେ ଓ ଚନ୍ଦନ ବେଙ୍ଗାଲୁରୁର ଏକ ପୋଷାକ ତିଆରି କାରଖାନାରେ ୩ ବର୍ଷ ହେବ କାର୍ଯ୍ୟ କରୁଥିଲେ। ଏହି କାରଖାନାଟି ଦାଦାଙ୍କର ହୋଇଥିବା ବେଳେ ସେଠାରେ ସୁପର୍ଭାଇଜର ଭାବେ କାର୍ଯ୍ୟ ତଦାରଖ କରୁଥିଲେ ପୁତୁରା ଚନ୍ଦନ। ତେବେ ନିଜ ଦାଦାଙ୍କ ସମ୍ପତ୍ତି ଦେଖି ତାଙ୍କର ଲୋଭ ହୋଇଥିଲା ଏବଂ ଦାଦାଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ଝଡ଼ାଇବା ପାଇଁ ନିଜକୁ ନିଜେ ଅପହରଣର ନାଟକ ରଚିଥିଲେ। ଏହି ଯୋଜନାରେ ସେ ଆଶିଷକୁ ସାମିଲ କରିବା ସହ ୨ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ଏହି ଯୋଜନାର କିଛି ଦିନ ପରେ ଆଶିଷ ଘରକୁ ପଳାଇ ଆସିଥିଲେ ଏବଂ ଚନ୍ଦନଙ୍କୁ ବାରିପଦା ଡାକିଥିଲେ।
ଗତ ୨୧ ତାରିଖ ସକାଳେ ଚନ୍ଦନ ବାରିପଦାରେ ପହଞ୍ଚିବା ପରେ ଆଶିଷ ଓ ତା’ର ସହଯୋଗୀ କଲିଆ ଏକ ସ୍କୁଟିରେ ଚନ୍ଦନଙ୍କୁ ଧରି ଶିମିଳିପାଳର ଲୁଲୁଙ୍ଗ, ସୀତାକୁଣ୍ଡ ଓ ବାଲଡ଼ିହା ବନ୍ଧ ବୁଲିବାକୁ ଯାଇଥିଲେ। ସନ୍ଧ୍ୟାରେ ଆଶିଷଙ୍କ ଗାଁ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀପଠାକୁ ୩ ଜଣ ମଦ ପିଇବା ପାଇଁ ଯାଇଥିଲେ। ଚନ୍ଦନ ଓ କଲିଆ ମଦ ପିଇଥିବା ବେଳେ ଆଶିଷ ମଦ ପିଇ ନଥିଲେ। ଚନ୍ଦନଙ୍କୁ ନିଶା ଚଢ଼ିଯିବା ପରେ ସୁଯୋଗ ଦେଖି ଆଶିଷ ପିଆଜ କାଟିବା ପାଇଁ ଆଣିଥିବା ଧାରୁଆ ଛୁରିରେ ଚନ୍ଦନଙ୍କ ତଣ୍ଟିକାଟି ହତ୍ୟା କରିଥିଲେ। ପରେ ସ୍କୁଟିରୁ ପେଟ୍ରୋଲ୍ କାଢ଼ି ମୃତଦେହକୁ ଜାଳି ଦେଇଥିଲେ। ହେଲେ ପେଟ୍ରୋଲ୍ କମ୍ ଥିବାରୁ ଶବଟି ପୂରା ଜଳି ନଥିଲା। ତେଣୁ ଏକ କୋଦାଳି ଆଣି ନଦୀପଠାରେ ଗାତଖୋଳି ଦରପୋଡ଼ା ଶବକୁ ଉଭୟ ମିଶି ପୋତି ଦେଇଥିଲେ। ଏହା ପରେ ଚନ୍ଦନଙ୍କ ଦାଦାଙ୍କୁ ଆଶିଷ ମେସେଞ୍ଜର୍ ଜରିଆରେ ଫୋନ୍ କରି ଚନ୍ଦନଙ୍କ ମୁଣ୍ଡ ଜାମିନ ପାଇଁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ଏହାସହିତ ଭୁବନେଶ୍ୱରରେ ଟଙ୍କା ପହଞ୍ଚାଇବା ପାଇଁ କହି ଏକ ଲୋକେସନ୍ ବି ଦେଇଥିଲେ। ଅନ୍ୟପଟେ ଚନ୍ଦନଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ୨୫ ତାରିଖରେ ଭୁବନେଶ୍ବର ଖାରବେଳନଗର ଥାନାରେ ୫୫୫/୨୪ରେ ଏକ ମାମଲା ରଜୁ ହୋଇଥିଲା। ବାରିପଦା ସଦର ଥାନା ପୁଲିସ ଉକ୍ତ ମେସେଞ୍ଜର୍ କଲ୍କୁ ଆଧାର କରି ଆଜି ଆଶିଷ ଓ କଲିଆକୁ ବାଲେଶ୍ବରରୁ ଗିରଫ କରିଛି। ଉଭୟଙ୍କୁ ଘଟଣାସ୍ଥଳକୁ ନିଆଯାଇ ସିନ୍ ରିକ୍ରିଏସନ୍ ପରେ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରିଣୀ ମଧୁମିତା ମହାନ୍ତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/28/tWYMtLJIX8rza6dUSvVn.jpg)
