ବାଲେଶ୍ବର: ଓଡ଼ିଶାର ଜଣେ ଦକ୍ଷ ରାଜନେତା, ଆଇନଜୀବୀ ଓ ଲେଖକ ଭାବେ ବେଶ୍‌ ଜଣା‌ଶୁଣା ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ। ଏବେ ସେ ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ଭାବେ ସେବାରତ। ଶ୍ରୀ ହରିଚନ୍ଦନ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମରୁବତାସ, ମହାସଂଗ୍ରାମର ନାୟକ, ବକ୍ସି ଜଗବନ୍ଧୁ, ସଂଘର୍ଷ ସରି ନାହିଁ ପରି ପୁସ୍ତକର ସେ ହେଉଛନ୍ତି ଜନକ। ମହାମହିମ ଶ୍ରୀ ହରିଚନ୍ଦନ ଶନିବାର ବାଲେଶ୍ବର ଗସ୍ତରେ ଆସିଥିଲେ। ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତିଙ୍କ ଜୟନ୍ତୀରେ ଯୋଗଦେଇଥିଲେ। ଏହି ଅବସରରେ ତାଙ୍କ ସହ ଫକୀରମୋହନଙ୍କୁ ନେଇ ଆଲୋଚନା କରିଥିଲେ ‘ସମ୍ବାଦ’ ପ୍ରତିନିଧି କବିତା ପାତ୍ର।

Advertisment

ମହାମହିମ ରାଜ୍ୟପାଳ ନୁହେଁ, ଜଣେ ସାରସ୍ବତ ସାଧକ ଭାବେ ଆପଣ ଫକୀରମୋହନଙ୍କୁ କେମିତି ଦେଖନ୍ତି?

ଫକୀରମୋହନ ସେନାପତି ହେଉଛନ୍ତି ଜଣେ ଅନନ୍ୟ ପ୍ରବକ୍ତା ଓ ସ୍ରଷ୍ଟା। ଯେତେବେଳେ ଓଡ଼ିଆଙ୍କୁ ଆକ୍ରମଣ ଚାଲିଥିଲା, ଓଡ଼ିଆ ଭାଷାକୁ ଧ୍ବଂସ କରି ଅନ୍ୟ ଭାଷାକୁ ଲୋକଙ୍କ ଉପରେ ଲଦି ଦେବାକୁ ଚେଷ୍ଟା କରାଯାଉଥିଲା; ସେତେବେଳେ ଫକୀରମୋହନ ସଂଗ୍ରାମ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ଲେଖିବା ଆରମ୍ଭ କଲେ। ତାଙ୍କ ଲେଖା ବିପ୍ଳବ ସୃଷ୍ଟି କଲା। ଫକୀରମୋହନ ନଥିଲେ ଆଜି ଓଡ଼ିଆ ଭାଷା ନଥାନ୍ତା। ଆଧୁନିକ ଓଡ଼ିଆ ସାହିତ୍ୟର ସେ ହେଉଛନ୍ତି ଜନକ।

କୁହାଯାଏ ଫକୀରମୋହନ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ। ଆମେ ତାଙ୍କ ସ୍ମୃତିରକ୍ଷା ପାଇଁ ଯାହା କରିଛୁ, ଯଥେଷ୍ଟ କି?

ଆଦୌ ନୁହେଁ। ଫକୀରମୋହନ ଓଡ଼ିଆ ଭାଷାକୁ ରକ୍ଷା କରିଥିଲେ। ବିଶ୍ବ ସାହିତ୍ୟ ସହ ତୁଳନା କଲା ଭଳି ସାହିତ୍ୟ ସୃଷ୍ଟି କରିଯାଇଛନ୍ତି। ହେଲେ ଓଡ଼ିଆ ଜାତି ତାଙ୍କୁ ଯେଉଁଭଳି ସମ୍ମାନ କରିବା କଥା, ତାହା କରିନାହିଁ। ଏବେ ସମୟ ଆସିଛି, ସେହି ମହାନ ପୁରୁଷ ତଥା ଦିଗ୍‌ଦ୍ରଷ୍ଟାଙ୍କୁ ଉପଯୁକ୍ତ ସମ୍ମାନ ଦେବାର।

ଫକୀରମୋହନଙ୍କ ସାହିତ୍ୟ ସମାଜଧର୍ମୀ, ସଂସ୍କାରଧର୍ମୀ ଥିଲା। ଆଜିର ସାହିତ୍ୟରେ ଏ କ୍ଷେତ୍ର ଅନୁର୍ବର ବୋଲି ଅଭିଯୋଗ ହୁଏ। ଆପଣଙ୍କ ମତ କ’ଣ?

ସାହିତ୍ୟ ସମାଜର ହିତ ସାଧନ କରିଥାଏ। ଅନେକ ଲୋକ ଭାବନ୍ତି, ସବୁ ଲେଖା ସାହିତ୍ୟ। କିନ୍ତୁ ଏହା ଠିକ୍‌ ନୁହେଁ। ଯେଉଁ ଲେଖା ଦ୍ବାରା ସମାଜର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଥାଏ, ବିପ୍ଳବର ସୂତ୍ରପାତ ହୁଏ; ସେହି ଲେଖା ହିଁ ପ୍ରକୃତ ସାହିତ୍ୟ। ମାତୃଭୂମି ପ୍ରତି କ’ଣ ଅବଦାନ ରହିବା ଦରକାର, ପ୍ରତ୍ୟେକ ସାହିତ୍ୟିକ ଭାବିବା ଉଚିତ। ଫକୀରମୋହନଙ୍କ ପାଖରେ ଏସବୁ ଗୁଣ ଥିଲା। ଫଳରେ ତାଙ୍କ ଲେଖା ଓଡ଼ିଆ ସାହିତ୍ୟକୁ ନୂଆ ଦିଗ ଦେଖାଇଛି।

ଓଡ଼ିଆ ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଆମର ଆଗାମୀ ପ‌ଦକ୍ଷେପ କ’ଣ ହେବା ଦରକାର?

ଓଡ଼ିଆ ଜାତି ବୀର ଜାତି। ଏ ଜାତିର ଗୌରବମୟ ଅତୀତ ରହିଛି। ସାହିତ୍ୟରେ ନିଜ ମାଟି ପାଇଁ ଜାତିପ୍ରେମର ବହ୍ନି ଜାଗରିତ ହେବା କଥା। ହେଲେ ଆଜିର ସାହିତ୍ୟରେ ତାହା ଦେଖାଯାଉ ନାହିଁ। ସାହିତ୍ୟ ଦୀପ ନିର୍ବାପିତ ହେବା ପରି ଲାଗୁଛି। ଜାଗରଣ ସୃଷ୍ଟି କରିପାରୁଥିବା ସାହିତ୍ୟ ଏବେ ମହରଗ। ତେଣୁ ଆମ ସାହିତ୍ୟିକଙ୍କ କଲମ ଆହୁରି ଶାଣିତ ହେବା ଦରକାର। ସାହିତ୍ୟିକମାନଙ୍କ ମନରେ ପ୍ରବୃତ୍ତିବାଦୀ ଚେତନା ଜାଗ୍ରତ ହେବାର ଆବଶ୍ୟକତା ରହିଛି।

ଯୁବ ସାହିତ୍ୟିକଙ୍କୁ ଆପଣ କ’ଣ ପରାମର୍ଶ ଦେବେ?

ସାହିତ୍ୟ ମାଧ୍ୟମରେ ସମାଜ ପରିବର୍ତ୍ତନ ସମ୍ଭବ। ଏବେର ଯୁବ ସାହିତ୍ୟିକ ବିପ୍ଳବୀ ହେବା ଦରକାର। ସେମାନଙ୍କ ସାହିତ୍ୟ ଶାଣିତ ହେବା ଆବଶ୍ୟକ।

ବାଲେଶ୍ବରକୁ ନେଇ ଆପଣଙ୍କର କିଛି ଅଭିଜ୍ଞତା?

ବାଲେଶ୍ବର ମାଟିରୁ ବହୁତ କିଛି ଶିଖିଛି। ଓଡ଼ିଶା ତଥା ମାତୃଭାଷାର ସୁରକ୍ଷା ପାଇଁ ବାଲେଶ୍ବରର ଅବଦାନ ଅତୁଳନୀୟ। ବାଲେଶ୍ବରର ସଂସ୍କୃତି, ସାହିତ୍ୟ, ପରମ୍ପରା ମୋତେ ପ୍ରଭାବିତ କରେ। ଯେଉଁ ମାଟିରେ ଫକୀରମୋହନ ସେନାପତି ଜନ୍ମ ହୋଇଛନ୍ତି, ସେ ମାଟି ସବୁକ୍ଷେତ୍ରରେ ଆଗୁଆ ହେଉ। ମୁଁ ସବୁବେଳେ ଏହା ଆଶା କରିବି।