ଯାଜପୁର: ଯାଜପୁର ଜିଲ୍ଲା ବିଂଝାପୁର ନିର୍ବାଚନମଣ୍ଡଳୀ ସିଂହପୁରଠାରେ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯାଜପୁର ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ବ ପାଇଁ ଏକ ଆହ୍ବାନ, ଏଥିରେ ସନ୍ତୁଳନ ରଖିବା ନିମନ୍ତେ ଜନଜାଗରଣର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରକୃତି ଆମର ସମସ୍ତ ଆବଶ୍ୟକତା ପୂରଣ କରୁଥିବାରୁ ବର୍ତ୍ତମାନ ପ୍ରକୃତି ମାତା’ର ଋଣ ଶୁଝିବାର ସମୟ ଆସିଛି। ଆଗାମୀ ପିଢ଼ି ପାଇଁ ଏହା ଆମର ଉତ୍ତରଦାୟିତ୍ୱ ବୋଲି ଡ. ବେହେରା କହିଥିଲେ। ‘ସମ୍ବାଦ’ ପକ୍ଷରୁ ଏଭଳି ଉଦ୍ୟମକୁ ସେ ପ୍ରଶଂସା କରିବା ସହ ନଦୀ ଝରଣା, ପାହାଡ଼, ଜଙ୍ଗଲ ଓ ବିସ୍ତୀର୍ଣ୍ଣ ଚାଷଜମିରେ ଭରପୂର ଯାଜପୁର ଜିଲ୍ଲାର ପରିବେଶ ଏବେ ବିଭିନ୍ନ କାରଣରୁ ବିଗିଡ଼ିଯାଇଛି। ଏଠାକାର ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣ, ଜଳ ସଂରକ୍ଷଣ ଏବଂ ପ୍ଲାଷ୍ଟିକ ବର୍ଜନର ଆବଶ୍ୟକତା ଥିବା ମତ ଦେଇଥିଲେ। 

ବିଂଝାରପୁରରେ ପରିବେଶ ପଞ୍ଚାୟତ

Advertisment

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା କଂଗ୍ରେସ ନେତା ପଦ୍ମାକର ଗୁରୁ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସରକାର, ବିଭିନ୍ନ ସଂଗଠନ, ବିଭିନ୍ନ ବ୍ୟକ୍ତିବିଶେଷ ଦୀର୍ଘବର୍ଷ ଧରି ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏହାର ସଫଳ ରୂପାୟନ ହୋଇପାରୁନାହିଁ। ପରିବେଶ ସୁରକ୍ଷା ଲାଗି ସାମୂହିକ ପ୍ରୟାସ ଆବଶ୍ୟକ। ଏଥିପାଇଁ ସଚେତନତା ଜରୁରୀ ବୋଲି ସେ କହିଥିଲେ। ସେହିପରି ଦିନକୁଦିନ ସ୍ବଚ୍ଛ ଜଳ ଓ ସ୍ବଚ୍ଛ ବାୟୁ ମିଳିବା ‌ଯେମିତି ସ୍ବପ୍ନ ହୋଇଗଲାଣି। ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ପରିବେଶ ଅସୁରକ୍ଷିତ ହୋଇପଡ଼ିଛି। ପରିବେଶକୁ ନଷ୍ଟ କରି  ବିକାଶ କାର୍ଯ୍ୟ କରିବା ଉଚିତ୍‌ ନୁହେଁ। ‘ସମ୍ବାଦ’ ପକ୍ଷରୁ ରାଜ୍ୟର ପ୍ରତିଟି କୋଣରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିଶ୍ଚିତ ଭାବେ ପରିବେଶ ପ୍ରତି ଏକ ଜନଜାଗରଣ ସୃଷ୍ଟି କରିବ। ତେଣୁ ପରିବେଶ ଅନୁକୂଳ ବିକାଶ ଲାଗି ସରକାର ଯତ୍ନବାନ ହେବା ଉଚିତ ବୋଲି ଶ୍ରୀଗୁରୁ ମତବ୍ୟକ୍ତ କରିଥିଲେ। 

ରାମବାଗ ରିଜିଓନାଲ କଲେଜ ଅଧ୍ୟକ୍ଷ ତଥା ପରିବେଶବିତ୍‌ ଶାନ୍ତନୁ କୁମାର ନାୟକ ଜଳବାୟୁ ପରିବର୍ତ୍ତନର ସ୍ଥିତିକୁ ନେଇ ସାମୂହିକ ଚେତନାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ବ୍ୟାପକ ବୃକ୍ଷରୋପଣ ଓ ତାହାର ସୁରକ୍ଷା ହିଁ ଆଗାମୀ ଭବିଷ୍ୟତରେ ଆମକୁ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ଦେଇପାରିବ ବୋଲି ସେ କହିଥିଲେ। ଶିକ୍ଷାବିତ୍‌ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପଦ୍ମଚରଣ ଧଳ, ବିଂଝାରପୁର ସମ୍ବାଦ ସାହିତ୍ୟଘର ସଭାପତି ରବିନାରାୟଣ ସାମଲ, ସାହିତ୍ୟିକ ଜଗନ୍ନାଥ ଧଳ  ପରିବେଶ ସୁରକ୍ଷା ଲାଗି ବ୍ୟାପକ ବୃକ୍ଷରୋପଣ କରାଯିବା ଜରୁରୀ ବୋଲି ମତ ରଖିଥିଲେ। ସମସ୍ତେ ପରିବେଶ ପାଇଁ ଚିନ୍ତିତ ହେଲେ ଏହାର ସୁରକ୍ଷା ଲାଗି କେହି ଯତ୍ନବାନ ହେଉନାହାନ୍ତି। ଏଥିପାଇଁ  ଆତ୍ମସଚେତନତା ଆବଶ୍ୟକ। ‘ସମ୍ବାଦ’ ପକ୍ଷରୁ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମ ପ୍ରକୃତିମାତାକୁ ସୁରକ୍ଷା ଦେବା ପାଇଁ ଏକ ଆହ୍ବାନ। ଏଥିରେ ସମସ୍ତେ ସାମିଲ ହେବାକୁ ସେମାନେ ନିବେଦନ କରିଥିଲେ। ‘ସମ୍ବାଦ’ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ସଂଯୋଜନା କରିଥିଲେ। ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଅତିଥି ପରିଚୟ ଓ ମଞ୍ଚକୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ‘ସମ୍ବାଦ’ ସିଂହପୁର ପ୍ରତିନିଧି ଅନଙ୍ଗଉଦୟ ବେହୁରିଆ, ପାର୍ଥସ‌ାରଥି ବାରିକ, ପ୍ରଦୀପ ଜେନା, ବିଦ୍ୟାସାଗର ବେହେରା ପ୍ରମୁଖ ସହଯୋଗ କରିଥିଲେ। ପରିବେଶ କର୍ମୀ ଜାକିର ହୁସେନ୍‌ ଧନ୍ୟବାଦ ଦେଇଥିଲେ।