ଏମ୍‌ସ ଭୁବନେଶ୍ୱରରେ ଅଧ୍ୟୟନ : ଆଇଭରମେକ୍ଟିନ୍ କମାଉଛି ୭୩ % ପର୍ଯ୍ୟନ୍ତ କରୋନା ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର : ଆଇଭରମେକ୍ଟିନ୍ (କୃମି ନାଶକ)ର ୨ଟି ଡୋଜ୍ ୭୩ ପ୍ରତିଶତ କରୋନା ସଂକ୍ରମଣ ଆଶଙ୍କାକୁ ହ୍ରାସ କରିବାରେ ସଫଳ ହେଉଛି। ଏମ୍‌ସ ଭୁବନେଶ୍ବରରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ସେପ୍ଟେମ୍ବର ୨୦ରୁ ଅକ୍ଟେବାର ୧୯ ତାରିଖରେ ଏହି ଅଧ୍ୟୟନ ହୋଇଥିଲା। ଅଧ୍ୟୟନରେ ୭୨ଘଣ୍ଟା ବ୍ୟବଧାନରେ ଅଂଶଗ୍ରହଣକାରୀଙ୍କୁ ଆଇଭରମେକ୍ଟିନ୍ ପ୍ରଦାନ କରାଯାଇଥିଲା। ଗୋଟିଏ କେ.ଜି ଓଜନ ପାଇଁ ୩ଶହ ମାଇକ୍ରୋଗ୍ରାମ୍‌ର ଅନୁପାତରେ ଏହି ଡୋଜ୍ ପ୍ରସ୍ତୁତ ହୋଇଥିବା ବେଳେ ଏହାର ଦୁଇଟି ଡୋଜ୍ ୭୩ ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମଣକୁ ହ୍ରାସ କରିବାରେ ସଫଳ ହେଉଥିବା ନଜରକୁ ଆସିଥିଲା। ତେବେ ଏହାକୁ ଲୋକମାନଙ୍କ କ୍ଷେତ୍ରରେ ବ୍ୟବହାର କରିବା ପୂର୍ବରୁ ଅଧିକ ‌ଗବେଷଣାର ଆବଶ୍ୟକତା ରହିଛି ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି।

୧ମାସ ଅଧ୍ୟୟନ ସମୟ ଭିତରେ ଏମ୍‌ସ ଭୁବନେଶ୍ବର ୯୦୪ଜଣ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ହୋଇଥିବା ବେଳେ ତହିଁରୁ ୨୩୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୬୭୦ ନେଗେଟିଭ୍‌ଙ୍କ ମଧ୍ୟରୁ ୩୭୨ଜଣଙ୍କୁ ଏହି ଅଧ୍ୟୟନରେ ସାମିଲ କରାଯାଇଥିଲା। ଏଥିରେ ଅଂଶଗ୍ରହଣକାରୀଙ୍କ ହାରାହାରି ବୟସ ପ୍ରାୟ ୩୦ବର୍ଷ ଥିବା ବେଳେ ତହିଁରୁ ଦୁଇ ତୃତୀୟାଂଶ ପୁରୁଷ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କୋଭିଡ ୱାର୍ଡ କିମ୍ବା କୋଭିଡ ସ୍କ୍ରିନିଂ ଓପିଡି ବା ବହିର୍ବିଭାଗରେ କାର୍ଯ୍ୟ କରୁଥିଲେ। ତେବେ ୭୨ ଘଣ୍ଟା ବ୍ୟବଧାନରେ ଦୁଇ ଡୋଜ୍‌ର ଆଇଭରମେକ୍ଟିନ୍ ୭୩ ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମଣ ଆଶଙ୍କାକୁ ହ୍ରାସ କରିଥିଲା। ଏପରିକି ଗୋଟିଏ ଡୋଜ୍ ନେଇଥିବା ଆଇଭରମେକ୍ଟିନ୍ ପ୍ରୋଫାଇଲିକ୍ସିସ୍‌ ଅଂଶଗ୍ରହଣକାରୀଙ୍କ କ୍ଷେତ୍ରରେ ସଂକ୍ରମଣ ହ୍ରାସ ନେଇ ବିଶେଷ ଫରକ ଦେଖିବାକୁ ମିଳି ନ ଥିବା ଅଧ୍ୟୟନରେ ଜଣାପଡ଼ିଥିଲା। ଏମ୍‌ସର ୧୨ଜଣ ଡାକ୍ତର ଏହି ଅଧ୍ୟୟନରେ ସାମିଲ ଥିଲେ।

ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ର କହିଛନ୍ତି, ଆଇସିଏମ୍‌ଆର ପୂର୍ବରୁ ଏହି ଔଷଧକୁ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ଦେଇଥିଲା। ମାତ୍ର ୧୦ ଦିନ ପୂର୍ବରୁ ଏହାକୁ ପ୍ରତ୍ୟାହାର କରି ନେଇଥିଲା। ଯଦି ଏମ୍‌ସର ଅଧ୍ୟୟନରେ ଏହା ପ୍ରୋଫାଇଲିକ୍ସ୍ ବା ସଂକ୍ରମିତ ହୋଇ ନ ଥିବା ରୋଗୀଙ୍କ କ୍ଷେତ୍ରରେ ସଂକ୍ରମଣର ସମ୍ଭାବନାକୁ କମାଇବାରେ ସଫଳ ହୋଇଛି, ତାହାଲେ ଏକ ଶୁଭ ସୂଚନା। ଆଇଭରମେକ୍ଟିନ୍ ଏକ କୃମି ନାଶକ ପୁରୁଣା ଔଷଧ। ଏଥିରେ କିଛି ଆଣ୍ଟି ଭାଇରାଲ ଗୁଣ ରହିଥିବାରୁ କାରଣରୁ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ସରକାର ନିଜ କୋଭିଡ୍‌ ଚିକିତ୍ସା ପ୍ରୋଟୋକଲରେ ଏହାକୁ ସାମିଲ କରିଛନ୍ତି। ସେହିପରି ଏହି ଔଷଧକୁ ୧୪ଦିନ ବ୍ୟବଧାନରେ ନେଲେ ଏହା କରୋନା ସଂକ୍ରମଣ ନିୟନ୍ତ୍ରଣରେ ସଫଳ ହେଉଥିବା ଅଷ୍ଟ୍ରେଲିଆର ଏକ ଡାକ୍ତରୀ ଦଳ କିଛିଦିନ ପୂର୍ବରୁ ସୂଚନା ଦେଇଛନ୍ତି। ଆଇଭରମେକ୍ଟିନ୍ ଏକ ଶସ୍ତା ବଟିକା ଓ ଏହାର ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ତେଣୁ ବହୁ ସଂଖ୍ୟାରେ ଲୋକମାନଙ୍କୁ ଏହାକୁ ଦିଆଯାଇ ପାରିବ ବୋଲି ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.