ଭୁବନେଶ୍ବର : ଅଣପଞ୍ଜିକୃତ ଲୋନ୍ ଆପ୍ ଜରିଆରେ ପ୍ରାୟ ଦେଢ଼ଲକ୍ଷ ଲୋକଙ୍କଠାରୁ ୬.୫୭କୋଟି ଟଙ୍କା ଠକେଇ କରିବା ଘଟଣାରେ ଇଓଡବ୍ଲୁକୁ ସଫଳତା ମିଳିଛି। ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଚଢ଼ଉ କରି ଇଓଡବ୍ଲୁ କୋକୋ ଓ ଜୋଜୋ ଆପ୍‌ର ମୂଳ ସଂସ୍ଥା ଆଇଡବ୍ଲୁଟି ଇଣ୍ଡିଆର ମାଲିକ ମହମ୍ମଦ ଜାଭେଦ୍ ସୈଫିକୁ ଗିରଫ କରିବା ପରେ ଗାଜିଆବାଦ ସିଜେଏମ୍ କୋର୍ଟରେ ହାଜର କରାଇଛି। ପରେ ୩ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଅଭିଯୁକ୍ତ ଜାଭେଦକୁ ଭୁବନେଶ୍ବରକୁ ଆଣିବାକୁ ଅନୁମତି ପାଇଛି।

Advertisment

ଇଓଡବ୍ଲୁ ତଦନ୍ତରୁ ଜଣାପଡ଼ିଛି ଯେ କୋକୋ ଓ ଜୋଜୋ ଭଳି ଭାରତରେ ପ୍ରଚଳିତ ୧୩୭ଟି ଆପ୍‌ ଆର୍‌ବିଆଇର ‘ଏନ୍‌ବିଏଫ୍‌ସି’ ଅଧୀନରେ ପଞ୍ଜିକୃତ ହୋଇନାହିଁ। କିନ୍ତୁ ଏହି ଅଣପଞ୍ଜିକୃତ ଆପ୍‌ଗୁଡ଼ିକ ଲୋକଙ୍କୁ ଋଣ ସୁବିଧା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଉଛି। ପ୍ରତିଶ୍ରୁତି ମୁତାବକ ଆପ୍ ଡାଉନଲୋଡ୍ କରିବାପରେ ଆକାଉଣ୍ଟ ଓ ନିଜର ବ୍ୟକ୍ତିଗତ ତଥ୍ୟ ଡିପୋଜିଟ୍ କରିବା ପରେ ଆକାଉଣ୍ଟ୍‌କୁ ୩ରୁ ୫ହଜାର ଟଙ୍କା ଆସୁଥିଲା। ଏହି ଟଙ୍କା ଆସିବା ପରେ ମାତ୍ର ୭ଦିନ ଭିତରେ ମୂଳ ଟଙ୍କା ସହିତ ୫ଗୁଣ ସୁଧ ଟଙ୍କା ଫେରସ୍ତ ପାଇଁ ଋଣଗ୍ରହୀତାଙ୍କୁ କୁହାଯାଉଥିଲା। ଟଙ୍କା ନଦେଲେ ଫଟୋ ଓ ବ୍ୟକ୍ତିଗତ ତଥ୍ୟ ଭାଇରାଲ୍ କରିବାକୁ ଧମକ ଦିଆଯାଉଥିଲା। ଇଓଡବ୍ଲୁରେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଏହି ୨ ଆପ୍‌ର ମୂଳ ସଂସ୍ଥା ଆଇଡବ୍ଲୁଟି ଓ ମହାଗ୍ରାମ୍ ପେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ଚାରିଟି ଆକାଉଣ୍ଟ ଅଚଳ କରି ପ୍ରାୟ ୬କୋଟି ୫୭ଲକ୍ଷ ଟଙ୍କା ଜବତ କରିଛି।