ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ନିଗମର ତଥ୍ୟ ମୁତାବକ ଗତ ୨୩/୦୮/୨୦୧୭ ମସିହା ସୁଦ୍ଧା ସୁବର୍ଣ୍ଣପୁର ଜିଲ୍ଲାର ୬ଟି ମିଲର୍ସଙ୍କ ନାଁରେ ୧୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଧାନ ହେରଫେର ଅଭିଯୋଗ ହୋଇଛି। ଏଥିପାଇଁ ଓଏସ୍‌ସିଏସ୍‌ସି ପକ୍ଷରୁ ସଂପୃକ୍ତ ମିଲର୍ସଙ୍କ ନାଁରେ ଓପିଡ଼ିଆର ଆକ୍ଟ ଅନୁଯାୟୀ ଅପରାଧିକ ମାମଲା ରୁଜୁ ହୋଇଥିଲା। ଏହା ସତ୍ବେ ପୁଣି ଏକ ମିଲ୍‌ ମାଲିକ ରାଜ୍ୟ ସରକାରଙ୍କ ଠାରୁ କଷ୍ଟମ୍‌ ମିଲିଂ ପାଇଁ ୪ ହଜାର କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଧାନ ନେଇ ହେରଫେର କରିଥିବା ବେଳେ ତତ୍କାଳୀନ ଜିଲ୍ଲା ଯୋଗାଣ ଅଧିକାରୀ ଅନୁକମ୍ପା ପ୍ରଦର୍ଶନ କରି ଲଗାତର ୬ ଥର ଧାନ ଉଠାଇବା ପାଇଁ ସୁଯୋଗ ଦେବା ଘଟଣା ପଛରେ ରହସ୍ୟ କ’ଣ ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି।

Advertisment

ଡୁଙ୍ଗୁରିପାଲି ବ୍ଳକ୍‌ ପିପିଲିପାଲିରେ ଥିବା ଇନ୍ଦୁରେଖା ରାଇସ୍‌ ମିଲ୍‌ କେତେକ ଚାଷୀଙ୍କ ଠାରୁ ଧାନ ନେଇ ତାଙ୍କର ପ୍ରାପ୍ୟ ଦେବାରେ ଅବହେଳା ପ୍ରଦର୍ଶନ କରିଥିଲେ। ତେଣୁ ସଂପୃକ୍ତ ଚାଷୀମାନେ ସୁବର୍ଣ୍ଣପୁର ଜିଲ୍ଲାପାଲ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପାଇଁ ଦାବି କରିଥିଲେ। ଏହାପରେ ସୁବର୍ଣ୍ଣପୁର ଜିଲ୍ଲା ସିଏସ୍‌ଓ ତଥା ପରିଚାଳକ ଓଏସ୍‌ସିଏସ୍‌ସି ପକ୍ଷରୁ ପତ୍ର ସଂଖ୍ୟା ୩୧/୧୦/୧୮ରେ ପରିଚାଳନା ନିର୍ଦ୍ଦେଶକ ଓଏସ୍‌ସିଏସ୍‌ସି ଲିଃ ଭୁବନେଶ୍ବରକୁ ବାଧ୍ୟତାମୂଳକ ଭାବେ ଦେୟ ଅସୁଲି ପାଇଁ ରାଜ୍ୟ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ପଠାଇବା ପାଇଁ ଚିଠି କରିଥିଲେ। ତଦନ୍ତକାରୀ ଦଳ ତା ୫/୬/୨୦୧୮ରେ ଇନ୍ଦୁରେଖା ରାଇସ୍‌ ମିଲରେ ଚଢ଼ଉ କରିଥିଲେ। ଏହାପରେ ମିଲ୍‌ ଖାତାରୁ ଜଣାପଡ଼ିଲା ଯେ ୪ ହଜାର ୬ ଶହ ୪୮ କ୍ବିଣ୍ଟାଲ ଧାନ ନିଅଣ୍ଟ ଥିଲା। ପ୍ରକୃତରେ ୫ହଜାର ୮ଶହ ୩୨ କ୍ବିଣ୍ଟାଲ ଧାନ ରହିବା କଥା। ବଳକା ଥିବା ୧ହଜାର ୩ କ୍ବିଣ୍ଟାଲ ଧାନକୁ ପଣ୍ଡକିଟାଲ୍‌ ସ୍ଥିତ ହନୁମାନ ରାଇସ୍‌ ମିଲ୍‌କୁ ଧାନ ନେବା ପାଇଁ ଯୋଗାଣ ନିଗମ ସଚିବ ତଦନ୍ତକାରୀ ଦଳକୁ ଅନୁମତି ଦେଲେ। ୪ ହଜାର ୬ ଶହ ୪୮ କ୍ବିଣ୍ଟାଲ କଷ୍ଟମ ମିଲିଂ ଧାନ ହେର୍‌ଫେର ନେଇ ରିପୋର୍ଟ ହେବାରୁ ତତ୍କାଳୀନ ଯୋଗାଣ ନିରୀକ୍ଷକ ନିଲମ୍ବିତ ହୋଇଥିଲେ। ଏହାସହ ଜିଲ୍ଲା ନିଗମ ନିର୍ଦ୍ଦେଶକ ପତ୍ର ସଂଖ୍ୟା ୩୪୧୯ ତା ୨୬/୯/୨୦୧୮ରେ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବଲାଙ୍ଗୀରକୁ ଇନ୍ଦୁରେଖା ରାଇସ୍‌ ମିଲର ବ୍ୟାଙ୍କ୍‌ ଗ୍ୟାରେଣ୍ଟି ପ୍ରତ୍ୟାହାର ପାଇଁ ଚିଠି ଲେଖିଥିଲେ। ଇନ୍ଦୁରେଖା ରାଇସ୍‌ ମିଲ୍‌ରୁ ବ୍ୟାଙ୍କ୍‌ ଗ୍ୟାରେଣ୍ଟି ପ୍ରତ୍ୟାହର ହେବା ପରେ ମଧ୍ୟ ତତ୍କାଳୀନ ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କରକରା କିପରି ଏହି ମିଲ୍‌କୁ ପୁଣି ୧ ରୁ ୬ ଥର ଧାନ ନେବା ପାଇ ସୁଯୋଗ ଦେଲେ ତାହା ତଦନ୍ତ ସାପେକ୍ଷ ବୋଲି ଦାବି ହେଉଛି। ଠିକ୍‌ ସେହି ସମୟରେ ଉକ୍ତ ଅଧିକାରୀ ସୁବର୍ଣ୍ଣପୁର ଜିଲ୍ଲାରୁ ସମ୍ବଲପୁର ଆଇପି ଇଣ୍ଡଷ୍ଟ୍ରିକୁ ୩୦ ହଜାର କ୍ବିଣ୍ଟାଲ୍‌ ଧାନ ଯୋଗାଇବା ଏବଂ ତାହା ଉକ୍ତ ତଦନ୍ତକାରୀ ଦଳ ଦ୍ବାରା ଅନୁସନ୍ଧାନ ପରେ ମିଥ୍ୟା ପ୍ରମାଣିତ ହୋଇଥିବା ଜଣାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ନିଲମ୍ବିତ ଯୋଗାଣ ନିରୀକ୍ଷକଙ୍କୁ ପ୍ରମୋସନ୍‌ ହେବା ଏବଂ ତତ୍କାଳୀନ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଚାଷୀ ମହଲକୁ ବିସ୍ମିତ କରିଛି।

ଉଲ୍ଲେଖଯୋଗ୍ୟ ସୁବର୍ଣ୍ଣପୁର ଜିଲ୍ଲାର ୬ଟି ମିଲର୍ସ କଷ୍ଟମ୍‌ ମିଲିଂ ପାଇଁ ନେଇଥିବା ଧାନ ହେର୍‌ଫେର କରିଥିବା ଯୋଗୁଁ ତାଙ୍କ ନାମରେ ବିଭିନ୍ନ ଥାନାରେ ଏତଲା ଦିଆଯାଇ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କୋର୍ଟରେ ବିଚାରାଧୀନ ଥିବା ଜଣାଯାଇଛି। ଗତ ୨୩/୦୮/୨୦୧୭ ସୁଦ୍ଧା ରାଣୀସତୀ ପେଡି ପ୍ରସେସିଂର ପରିଚାଳନା ନିର୍ଦ୍ଦେଶକ ନନ୍ଦ କିଶୋର ଅଗ୍ରୱାଲା ୨୦୦୯-୨୦୧୦ ମସିହାରେ ୩ ‌କୋଟି ୪୯ ଲକ୍ଷ ୩୦ ହଜାର ୮ ଟଙ୍କା ବକେୟା ରଖିଥିବା ଯୋଗୁଁ ତାଙ୍କ ନାମରେ ଗତ ୩/୫/୨୦୧୫ରେ ସୋନପୁର ଥାନାରେ ଓପିଡିଆର ଆକ୍ଟ୍‌ରେ ଦଫା ୪୦୯ ରେ କେସ୍‌ ରୁଜୁ ହୋଇଥିବା ଜଣାଯାଇଛି। ସେହିପରି ଉତ୍କଳ ରୋଲର ଫ୍ଳୋର୍‌ ମିଲର ମାଲିକ ୨୦୦୬-୦୭ରେ ୬୪ ଲକ୍ଷ ୯୧ ହଜାର ୯୭୦ ଟଙ୍କା ବକେୟା ରଖିଥିବା ଏବଂ ୨୦୧୦-୨୦୧୧ରେ ୨ କୋଟି ୨୯ ଲକ୍ଷ ୮୫ ହଜାର ୯୫୪ ଟଙ୍କା ବକେୟା ରଖିଥିବା ଯୋଗୁଁ କେସ୍‌ ନଂ ୭୯/୧୯/୦୭/୨୦୧୧ରେ ଦଫା ୪୦୯ ଓ ୪୨୦ ରେ ମୋକଦ୍ଦମା ରୁଜୁ କରାଯାଇଥିବା ଘଟଣା ସୋନପୁର ଜିଲ୍ଲାପାଳଙ୍କ କୋର୍ଟରେ ବିଚାରାଧୀନ ଥିବା ଜଣାଯାଇଛି। ମା’ ରାଇସ୍‌ ମିଲର ମାଲିକ ଦୟାନିଧି ତ୍ରିପାଠୀ ମଧ୍ୟ ୨୦୦୯-୨୦୧୦ରେ ୬୨ ଲକ୍ଷ ୯୧ ହଜାର ୪ଶହ ୪୪ ଟଙ୍କା ବକେୟା ରଖିଥିବା ଯୋଗୁଁ ଓପିଡିଆର ଆକ୍ଟ୍‌ ଅନୁଯାୟୀ ତରଭା ଥାନାରେ ୪୦୯ ଦଫାରେ କେସ୍‌ ରୁଜୁ ହୋଇଛି। ବସନ୍ତ ରାଇସ୍‌ ମିଲ୍‌ ମାଲିକ ରାଜକୃଷ୍ଣ ମିଶ୍ର ୨୦୧୨-୨୦୧୩ ରେ ୩ କୋଟି ୬୭ ଲକ୍ଷ ୬୫ ହଜାର ୨୬୮ ଟଙ୍କା ବକେୟା ରଖିଥିବା ଯୋଗୁଁ ତାଙ୍କ ନାମରେ କେସ୍‌ ରୁଜୁ କରାନଯାଇ ପରିଶୋଧ କରିବା ପାଇଁ ସୁଯୋଗ ଦେଇ ଅଡିଟ୍‌ ରିପୋର୍ଟ ପରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ନବୀନ ରାଇସ୍‌ ମିଲ୍‌ ମାଲିକ ନବୀନ କିଶୋର ସାହୁ ମଧ୍ୟ ୨୦୧୩-୧୪ରେ ୧ କୋଟି ୫୩ ଲକ୍ଷ ୯୪ ହଜାର ୬୫୪ ଟଙ୍କା କଷ୍ଟମ ମିଲିଂ ଧାନ ହେର୍‌ଫେର କରି ଟଙ୍କା ପରିଶୋଧ କରି ନଥିବାରୁ ତାଙ୍କ ନାମରେ ଗତ ୧୬/୦୬/୧୫ରେ ଡୁଙ୍ଗୁରିପାଲି ଥାନାରେ ୪୦୯/୪୨୦ରେ କେସ୍‌ ରୁଜୁ ହୋଇଥିବା ଜଣାଯାଇଛି। ବନ୍ଧପାଲି କଲ୍ୟାଣୀ ପେଡି ପ୍ରସେସିଂର ମାଲିକ ଅରୁଣ ଅଗ୍ରୱାଲା ୨୦୧୧-୧୨ ମସିହାରେ ୨ କୋଟି ୫୨ ଲକ୍ଷ ୮୬ ହଜାର ୫୨୬ ଟଙ୍କା ପରିଷୋଧ କରି ନଥିବାରୁ ତାଙ୍କ ନାମରେ ଓପିଡିଆର ଆକ୍ଟରେ ତରଭା ଥାନାରେ କେସ ରୁଜୁ ହୋଇ ଜିଲ୍ଳାପାଳ ସୋନପୁରଙ୍କ କୋର୍ଟରେ ବିଚାରାଧୀନ ଥିବା ଜଣାଯାଇଛି।

ଏ ନେଇ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ସୂପକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ, ସେ କହିଲେ ଇନ୍ଦୁରେଖା ରାଇସ୍‌ ମିଲ୍‌ ଠାରେ ଥିବା ବକେୟା କଷ୍ଟମ୍ ମିଲିଂ ଚାଉଳ ଗତ ୨୦ ତାରିଖରେ ଦେଇଦେଇଛି। ବ୍ୟାଙ୍କ୍‌ ଗ୍ୟାରେଣ୍ଟି ଦେଲେ ପୁଣି ତାକୁ ସୁଯୋଗ ଦିଆଯିବ ବୋଲି ସିଏସ୍‌ଓ ଶ୍ରୀ ସୂପକାର କହିଛନ୍ତି।