ଜେ.ବି. ରାଜ୍ୟରେ ଶିଳ୍ପର ଭିତ୍ତିଭୂମି ପକାଇଥିଲେ: ବିଶ୍ବଭୂଷଣ
ମୁଖ୍ୟମନ୍ତ୍ରୀ ଭାବେ ଅମଲାତନ୍ତ୍ରକୁ ନିୟନ୍ତ୍ରଣରେ ରଖିଥିଲେ, ଷଷ୍ଠ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ବର : ପ୍ରତି ଜିଲ୍ଲାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରି ଓଡ଼ିଶାରେ ଶିଳ୍ପର ଭିତ୍ତିଭୂମି ପକାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରାଜ୍ଞପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକ। ଦୀର୍ଘ ୧୪ ବର୍ଷର ଶାସନ କାଳରେ ସେ ନିଜେ ପ୍ରତ୍ୟକ୍ଷ ଭାବରେ ଶାସନ ପରିଚାଳନା କରୁଥିଲେ। ଅମଲାତନ୍ତ୍ରକୁ ବି ନିୟନ୍ତ୍ରିତ କରି ରଖିଥିଲେ। ଯୋଗ୍ୟ ବ୍ୟକ୍ତିଙ୍କୁ ରାଜନୀତିରେ ସୁଯୋଗ ଦେଉଥିଲେ। ନିଜେ ଅଖଣ୍ଡ କ୍ଷମତାଶାଳୀ ହୋଇ ମଧ୍ୟ ବିରୋଧୀ ଦଳର ପ୍ରସ୍ତାବକୁ ସମାନ ଗୁରୁତ୍ବ ଦେଉଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଏହିଭଳି ଭାବରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଷଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଭର୍ଚୁଆଲ ବୈଠକରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଜଣେ ରାଜନେତା, ସାହିତ୍ୟିକ, ସାମ୍ବାଦିକ, ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଭାବରେ ସ୍ବର୍ଗତ ପଟ୍ଟନାୟକ ଥିଲେ ଅନନ୍ୟ। ଓଡ଼ିଶା ଗଠନରେ ତାଙ୍କ ଭୂମିକା ଥିଲା ଅବିସ୍ମରଣୀୟ। ଦୀର୍ଘ ବର୍ଷ ଧରି ଶାସନରେ ରହିଥିଲେ ମଧ୍ୟ କ୍ଷମତାର ଅହଙ୍କାର ତାଙ୍କ ମଧ୍ୟରେ ନଥିଲା।
ଜାନକୀ ବାବୁଙ୍କ ସ୍ମୃତିଚାରଣ କରି ଶ୍ରୀ ହରିଚନ୍ଦନ ଆହୁରି କହିଥିଲେ ଯେ ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଥିଲେ ବିଧାନସଭାରେ ବିଜେପି ଦଳର ନେତା। ଏଥିପାଇଁ ସ୍ବାଭାବିକ ଭାବରେ ସେ ବିଭିନ୍ନ ପ୍ରସଙ୍ଗରେ ତତ୍କାଳୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ମାତ୍ର କେବେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରି ନାହାନ୍ତି। ତାଙ୍କ ସମୟରେ ଭୁବନେଶ୍ବରରେ ଚାଲିଥିବା ବସ୍ତି ଉଚ୍ଛେଦକୁ ବିରୋଧ କରି ଅନଶନ କରିଥିଲେ। ମାତ୍ର ଜାନକୀ ବାବୁ ଏହାକୁ ନେଇ କ୍ଷୁବ୍ଧ ହୋଇ ନାହାନ୍ତି। ବରଂ ତାଙ୍କ ବିରୋଧକୁ ସକାରାତ୍ମକ ଭାବରେ ଗ୍ରହଣ କରି ତାଙ୍କର ପ୍ରତ୍ୟେକ ଦାବିକୁ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟରେ ମନ୍ତ୍ରୀ ଥିବା ସମୟରେ ଜାନକୀ ବାବୁ ବିରୋଧୀ ଦଳର ନେତା ହେଲେ। ସେ ମଧ୍ୟ ତାଙ୍କୁ ଅପଦସ୍ତ କରି ନାହାନ୍ତି। ବରଂ ଅନେକ ସମୟରେ ତାଙ୍କ ବକ୍ତବ୍ୟ ବେଳେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରୁଥିଲେ ତାଙ୍କୁ ଅଟକାଇ ଦେଉଥିଲେ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲେ।
ମୁଖ୍ୟବକ୍ତା ପ୍ରଫେସର ହରେକୃଷ୍ଣ ଶତପଥୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଓଡ଼ିଶାର ବିକଳ୍ପ ବିହୀନ ବିଶ୍ବକର୍ମା ବୋଲି ଅଭିହିତ କରିଥିଲେ। ସେ ସାହିତ୍ୟ ଏଭଳି ରଚନା କରୁଥିଲେ ଯେ ପାଠକ ବିଭୋର ହୋଇ ଯାଉଥିଲେ। ରାଜନୀତି କରୁ ନ ଥିଲେ ବରଂ ରାଷ୍ଟ୍ରନୀତିଜ୍ଞ ଥିଲେ। ହିମାଳୟ ଭଳି କଠୋର ପ୍ରଶାସକ, କିନ୍ତୁ ହୃଦୟ ଥିଲା ଅତି କୋମଳ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି କହିଲେ ଯେ ଛାତ୍ର ସମୟରୁ ହିଁ ଜାନକୀ ବାବୁ ଜଣେ ଦୃଢ଼ମନା ବ୍ୟକ୍ତିତ୍ବ। ରାଜ୍ୟରେ ୧୯୮୦ ମସିହାରେ ତାଙ୍କ ନେତୃତ୍ବରେ ପ୍ରଥମ ସ୍ଥାୟୀ ସରକାରର ଗଠନ ହୋଇଥିଲା। ପୂର୍ବତନ ମନ୍ତ୍ରୀ ରାହାସ ବିହାରୀ ବେହେରା କହିଥିଲେ, ତାଙ୍କ ଶାସନ ସମୟରେ ହଜାରେ ଦିନରେ ହଜାରେ ଶିଳ୍ପ, କୃଷିଭିତ୍ତିକ ଶିଳ୍ପ କାର୍ଯ୍ୟକାରୀ କରିଥିଲେ। ତାଙ୍କ ନେତୃତ୍ବରେ କଳାହାଣ୍ଡି ଓଡ଼ିଶାର ଅନେକ କ୍ଷେତ୍ରରେ ଅଗ୍ରଣୀ ହୋଇଥିଲା। ଓଡ଼ିଶା ଦେଶରେ ବିଶେଷ ପରିଚୟ ଲାଭ କରିଥିଲା। ସ୍ବର୍ଗତ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଜଗନ୍ନାଥ ସଂସ୍କୃତି, ମଠ ସଂସ୍କୃତି ବିକାଶ ଦିଗରେ ଅନେକ କାର୍ଯ୍ୟକ୍ରମ ହୋଇଥିବା କହିଥିଲେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ଓ ସ୍ବାମୀ ଜଗଦାନନ୍ଦ ସରସ୍ବତୀ ମହାରାଜ।
କାର୍ଯ୍ୟକ୍ରମ ପରିଚାଳନା କରି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ, ରାଜ୍ୟରେ ୩ ଥର ମୁଖ୍ୟମନ୍ତ୍ରୀ ଥିବା ଜାନକୀ ବାବୁଙ୍କ ସ୍ମୃତି ଓ ସମ୍ମାନ ଦିଗରେ ଓଡ଼ିଶା ସରକାର ଗୁରୁତର ଅବହେଳା କରିଛନ୍ତି। ଓଡ଼ିଶାରେ ଥିବା କୌଣସି ବିଶ୍ବବିଦ୍ୟାଳୟର ନାମକରଣ ତାଙ୍କ ନାମରେ କରିବା ପାଇଁ ୬ ବର୍ଷ ପୂର୍ବରୁ ଦାବି କରାଯାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ପାଳନ ହେଲାନାହିଁ। ଏପରିକି ରାଜଧାନୀରେ ତାଙ୍କର ଏକ ପ୍ରତିମୂର୍ତ୍ତିଟିଏ ମଧ୍ୟ ପ୍ରତିଷ୍ଠା ନହେବା ଦୁର୍ଭାଗ୍ୟଜନକ। ଭର୍ଚୁଆଲ ବୈଠକରେ ଜାନକୀ ବାବୁଙ୍କ କନ୍ୟା ଅଧ୍ୟାପିକା ସୁଦତ୍ତା ପଟ୍ଟନାୟକ, ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ, ବିୟୋତପ୍ରଜ୍ଞା ତ୍ରିପାଠୀ ମଧ୍ୟ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ସମାଜସେବା ପାଇଁ ପୂର୍ବତନ ମନ୍ତ୍ରୀ ରାହାସ ବିହାରୀ ବେହେରା, ଭାଷା-ସାହିତ୍ୟ ପାଇଁ ବିଭୂତି ପଟ୍ଟନାୟକ ଏବଂ ସାମ୍ବାଦିକତା ପାଇଁ ବିଜୟ ଅଗ୍ରୱାଲଙ୍କୁ ଜାନକୀ ପଟ୍ଟନାୟକ ସ୍ମୃତି କମିଟି ସମ୍ମାନିତ କରିବ ବୋଲି ଘୋଷଣା କରିଥିଲେ। ଭର୍ଚୁଆଲରେ ତାଙ୍କ ମାନପତ୍ର ଅତିଥିମାନେ ପାଠ କରିଥିଲେ। ବଦ୍ରିନାଥ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ।