ଯୋଡ଼ା, ବଡ଼ବିଲ ପାଲଟିବ ଶ୍ରେଷ୍ଠ ସହର : ୯୧୩ କୋଟିର ପ୍ରକଳ୍ପ ପାଇଁ ନକ୍ସା ପ୍ରସ୍ତୁତ

ଭୁବନେଶ୍ୱର : ଖଣିଖାଦାନଘେରା କେନ୍ଦୁଝର ଜିଲ୍ଲାର ଧୂଳି ଧୂସରିତ ଯୋଡ଼ା ଓ ବଡ଼ବିଲ ସହରର ନକ୍ସା ବଦଳିଯିବ। ଏହି ଦୁଇଟି ସହରକୁ ଶ୍ରେଷ୍ଠ ସହର ଭାବେ ବିକଶିତ କରାଯିବ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ନକ୍ସାକୁ ରାଜ୍ୟ ପ୍ରଶାସନିକ ସ୍ତରରେ ନୀତିଗତ ଅନୁମୋଦନ ଲାଭ କରିଛି। ଏଥିପାଇଁ ପ୍ରାରମ୍ଭିକ ଭାବେ ପ୍ରାୟ ୯୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଉଭୟ ଯୋଡ଼ା ଓ ବଡ଼ବିଲ୍‌ ସହରାଞ୍ଚଳ ପାଇଁ ନକ୍ସା ଓ ପ୍ରକଳ୍ପ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍‌। ସୂଚନା ଅନୁଯାୟୀ ଏହି ୨ଟି ସହରର ଆଖପାଖରେ ଦେଶର ବୃହତ୍ତମ ଲୁହା ଓ ମାଙ୍ଗାନିଜ୍‌ ଖଣିଗୁଡ଼ିକ ଅବସ୍ଥିତ। ଯୋଡ଼ା ଅଞ୍ଚଳରେ ୨୧ଟି ଖଣି ଥିବା ବେଳେ ବଡ଼ବିଲ ଅଞ୍ଚଳରେ ରହିଛି ୫ଟି ଖଣି। ଏହି ୨ଟି ସହରର ଜନସଂଖ୍ୟା ପ୍ରାୟ ୧.୧୩ ଲକ୍ଷ। ସେଥିମଧ୍ୟରୁ ଅନୁସୂଚିତ ଜନଜାତି ଓ ଜାତି ସମ୍ପ୍ରଦାୟର ଲୋକସଂଖ୍ୟା ୪୫ରୁ ୪୮ ପ୍ରତିଶତ। ପ୍ରତିଦିନ ଏହି ୨ଟି ସହର ଦେଇ ପ୍ରାୟ ୭ ହଜାର ଟ୍ରକ ଖଣିଜ ପରିବହନ କରି ରେଳ ସାଇଡିଂ ଓ ବନ୍ଦରକୁ ଯାତାୟାତ କରିଥାନ୍ତି।

ବୈଠକରେ ଶ୍ରେଷ୍ଠ ସହରର ୪ଟି ମୁଖ୍ୟ ଉପାଦାନ ଯଥା: ଜୀବନଧାରା ପାଇଁ ଉନ୍ନତ ପରିବେଶ, ଭିତ୍ତିଭୂମି, ଆର୍ଥିକ ପଦ୍ଧତି ପରିବର୍ତନ, ପ୍ରକୃତି ଓ ସଂସ୍କୃତି ମଧ୍ୟରେ ସଂହତିକୁ ଚିହ୍ନଟ କରାଯାଇଛି। ଏଗୁଡ଼ିକର ରୂପାୟନ ନିମନ୍ତେ ସବୁଜ ସହର, ସୁଖ ଯାତ୍ରା, ନିରାପଦ ନଗର, ସମୃଦ୍ଧି, କୌଶଳ ଜୀବିକା ଓ ପ୍ରକୃତି ଓ ସଂସ୍କୃତି ସହିତ ୧୪ଟି ବିଭିନ୍ନ କାର୍ଯ୍ୟ ଯୋଜନା ପ୍ରସ୍ତାବ ରଖାଯାଇଛି। ଏଥିମଧ୍ୟରେ ରହିଛି ରାସ୍ତା ଧୂଳି ନିୟନ୍ତ୍ରଣ, ରେଳ ସାଇଡିଂ ଧୂଳି ନିୟନ୍ତ୍ରଣ, ନିୟମିତ ରୂପେ ବାୟୁର ଗୁଣାତ୍ମକ ମାନ ଯାଞ୍ଚ, ସବୁଜ ସ୍ଥାନ ସୃଷ୍ଟି, ଇ-ରିକ୍ସା ଭଳି ଅଣ-ମୋଟରଯାନ ପରିବହନ ବ୍ୟବସ୍ଥା, ରାସ୍ତା ଅବସ୍ଥାର ଉନ୍ନତୀକରଣ, ଜୀବିକା ସୁଯୋଗ ସୁବିଧା ବୃଦ୍ଧି ଇତ୍ୟାଦି।

ଏସବୁ କାର୍ଯ୍ୟକାରୀ କରିବା ନିମନ୍ତେ ୯୧୩ କୋଟିର ବ୍ୟୟ ଅଟକଳ କରାଯାଇଛି। ସେହି ଅର୍ଥ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ଓମ୍‌ବାଡ୍‌ସି, ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ବିଭାଗୀୟ ଯୋଜନା ବାବଦରୁ ଅଣାଯାଇ ଏହି ୨ଟି ସହରକୁ ଶ୍ରେଷ୍ଠ ସହର ଭାବେ ଗଢ଼ାଯିବ। ବହୁମୁଖୀ ଓ ସମନ୍ଵିତ ପଦକ୍ଷେପ ଜରିଆରେ ଏହି ପ୍ରକଳ୍ପ କାର୍ଯ୍ୟ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ବୈଠକର ନିଷ୍ପତ୍ତି ମୁତାବକ ଏହି ଅନୁମୋଦିତ ନକ୍ସାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ସ୍ତରରେ ଷ୍ଟିୟରିଂ କମିଟି ଏବଂ ସହରାଞ୍ଚଳ ସ୍ତରରେ କାର୍ଯ୍ୟକାରୀ କମିଟି ଗଠନ କରାଯିବ। ଏହି ୨ଟି କମିଟି କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯୋଜନା, କାର୍ଯ୍ୟାନ୍ଵୟନ ଓ ଅନୁଧ୍ୟାନ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର