ଦୁଃସାଧ୍ୟ ଚର୍ମରୋଗରେ ଆକ୍ରାନ୍ତ ଜଗାର ବଦଳିଲା ଚେହେରା

ଶେରଗଡ଼ : ଦୁଃସାଧ୍ୟ ଚର୍ମରୋଗରେ (ଅଟୋସମାଲ୍ ଜେନେଟିକ୍ ଡିଜ୍‌ଅର୍ଡର) ଆକ୍ରାନ୍ତ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ସାନପୁଅ ଜଗା ମୁହଁରେ ହସ ଫୁଟିଛି। ଜଗାର ଯନ୍ତ୍ରଣା ଖବର ‘ସମ୍ବାଦ’ରେ କ୍ରମାଗତ ଭାବେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ କ୍ରମେ ରାଜ୍ୟ ସରକାର ତାର ଚିକିତ୍ସା ଦାୟିତ୍ବ ହାତକୁ ନେଇଥିଲେ। ତାକୁ ଭୁବନେଶ୍ବରସ୍ଥିତ ଏମ୍‌ସରେ ଭର୍ତ୍ତି କରା ଯାଇଥିଲା। ସେଠାରେ ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ଜଗାର ପ୍ରଥମ ପର୍ଯ୍ୟାୟ ଚିକିତ୍ସା ସରିଛି। ଜଗା ଗାଁକୁ ଫେରିବା ପରେ ତାର ଚେହେରାରେ ବିରାଟ ପରିବର୍ତ୍ତନ ହୋଇଛି।

ପୂର୍ବାପେକ୍ଷା ଜଗା ସତେଜ ଦିଶିବା ସହ କଳା ରଙ୍ଗର ଚର୍ମ ବାହାରି ଯାଇଛି। ତାର ସ୍ବାସ୍ଥ୍ୟାବସ୍ଥାରେ ବି ଉନ୍ନତି ଘଟିଛି। ପୁଣି ଆସନ୍ତା ୨୪ ତାରିଖରେ ଜଗା ଏମ୍‌ସ ଯିବ ବୋଲି ବାପା ପ୍ରଭାକର କହିଛନ୍ତି। ଭଗବାନଙ୍କ ଭରସାରେ ଜଗାର ପୂରା ଶରୀରରେ ଏଭଳି ପରିବର୍ତ୍ତନ ନେଇ ତାର ବାପା ମା ବେଶ୍‌ ଆଶାବାଦୀ ଅଛନ୍ତି। ଏଥିପାଇଁ ସେମାନେ ‘ସମ୍ବାଦ’କୁ ସାଧୁବାଦ ଜଣାଇଛନ୍ତି। ପ୍ରକାଶ ଥାଉକି, ଏହି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ପୂର୍ବରୁ ଜଗାର ଛଅ ଭାଇଭାଉଣୀଙ୍କ ମୃତ୍ୟୁ ହୋଇସାରିଛି। କିନ୍ତୁ ୧୦ ବର୍ଷ ବୟସର ଜଗାକୁ ସୁସ୍ଥ କରିବାକୁ ବାପା ମା ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର