୬ ସନ୍ତାନଙ୍କୁ ହରାଇଥିଲେ, ଏବେ ଜଗା ପାଇଁ ଆଶା : ଜନ୍ମରୁ ବିରଳ ଚର୍ମରୋଗରେ ପୀଡ଼ିତ, ଭୁବନେଶ୍ବର ଏମ୍‌ସ୍‌କୁ ନେବା ପାଇଁ ପ୍ରସ୍ତୁତି

ଶେରଗଡ଼ : ବିରଳ ଚର୍ମରୋଗ (ଅଟୋସମାଲ୍ ଜେନେଟିକ୍ ଡିଜ୍‌ଅର୍ଡ଼ର୍)ରେ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ପୁଅ ଜଗା ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ଏମ୍‌ସ୍‌କୁ ଯିବ। ଆସନ୍ତାକାଲି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଗତକାଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗ୍ରାମକୁ ଯାଇ ଜଗାର ବାପା ପ୍ରଭାକରଙ୍କ ସହ ଆଲୋଚନା କରିବା ସହ ଉଚ୍ଚମାନର ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ପୂର୍ବରୁ ଏହି ରୋଗରେ ହିଁ ୬ ସନ୍ତାନକୁ ହରାଇଥିବା ପ୍ରଭାକରଙ୍କ ମନରେ ଜଗା ସୁସ୍ଥ ହେବା ନେଇ ନୂଆ ଆଶା ସଞ୍ଚାର ହୋଇଛି।

ଅନ୍ୟପକ୍ଷରେ ଆମ ପ୍ରତିନିଧି ଆଜି ଗୋଠଗାଁରେ ଜଗାର ବାପା ପ୍ରଭାକର ଓ ସୁଷମାଙ୍କ ସହ ସେମାନଙ୍କ ୬ ସନ୍ତାନସନ୍ତତିଙ୍କ ମୃତ୍ୟୁ ଓ ପରିବାରର ସ୍ଥିତି ବିଷୟରେ ଆଲୋଚନା କଲାବେଳେ ଅତି କରୁଣ ଚିତ୍ର ସାମ୍ନାକୁ ଆସିଥିଲା। ପରିବାର ପାଇଁ ଅଭିଶାପ ପାଲଟିଥିବା ଏହି ରୋଗରେ ଆକ୍ରାନ୍ତ ହୋଇ ସେମାନଙ୍କ ୬ଟି ସନ୍ତାନର ଜୀବନ ଦୀପ କିଭଳି ଅକାଳରେ ଲିଭି ଯାଇଥିଲା ଏହି ଦୁଃଖଦ ଅନୁଭୂତିକୁ ବଖାଣିଥିଲେ ପ୍ରଧାନ ଦମ୍ପତି।

ସୁଷମାଙ୍କ ଗର୍ଭରୁ ଜନ୍ମିତ ପ୍ରଥମ ଝିଅଠାରେ ଏହି ରୋଗ ଦେଖିବାକୁ ମିଳିଥିଲା। ସେ ମାତ୍ର ୮ ଦିନ ପରେ ଜୀବନ ସହ ସଂଘର୍ଷ କରି ଆଖି ବୁଜି ଦେଇଥିଲା। ସେହିପରି ଦ୍ବିତୀୟ ସନ୍ତାନ ଭାବେ ଝିଅ ମାତ୍ର ଦୁଇ ଦିନ, ତୃତୀୟ ସନ୍ତାନ ପୁଅ କେବଳ ଚାରି ମାସ, ଚତୁର୍ଥ ସନ୍ତାନ ପୁଅ ବି ଚାରି ମାସ, ପଞ୍ଚମ ସନ୍ତାନ ଝିଅ ଏକ ବର୍ଷ ଓ ଷଷ୍ଠ ସନ୍ତାନ ଝିଅ ମଧ୍ୟ ଚାରି ବର୍ଷ ପରେ ପ୍ରାଣ ହରାଇଥିଲେ। ସମସ୍ତ ସନ୍ତାନଙ୍କ ଚର୍ମ ପଲିଥିନ୍ ସଦୃଶ ଥିଲା। କିଛି ସମୟ ବ୍ୟବଧାନରେ ଏହା ଝଡ଼ିବା ଆରମ୍ଭ ହେଉଥିଲା।

ତେ‌େବ‌ ଭଗବାନଙ୍କ ଦୟାରୁ ସୁଷମାଙ୍କ ସପ୍ତମ ଓ ଅଷ୍ଟମ ଗର୍ଭରୁ ସୁସ୍ଥ ସନ୍ତାନ ଜନ୍ମ ହୋଇଥିଲେ। ଏଥିପାଇଁ ସୁଷମା ଚେରମୂଳି ଔଷଧ ବି ଖାଇଥିଲେ। କିନ୍ତୁ ନବମ ସନ୍ତାନ ଭାବେ ଜନ୍ମିତ ଜଗା ପୁଣି ଚର୍ମରୋଗରେ ଆକ୍ରାନ୍ତ ହେବାରୁ ପରିବାର ମୁଣ୍ଡରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ବର୍ତ୍ତମାନ ଜଗାକୁ ୧୦ ବର୍ଷ ବୟସ। ତଥାପି ଏହି ଭୟଙ୍କର ରୋଗରୁ ତାକୁ ମୁକ୍ତି ମିଳିନି। ପ୍ରଭାକର ଏଥିପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରି ସାରିଥିଲେ ବି କୌଣସି ସୁଫଳ ମିଳୁନି।

ଏ ନେଇ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଚର୍ମରୋଗ ବିଭାଗ ମୁଖ୍ୟ ପ୍ରଫେସର ଡା.ସତ୍ୟଦର୍ଶୀ ପଟ୍ଟନାୟକ କହନ୍ତି, ଏହା ଜେନେଟିକ୍ ଡିଜ୍‌ଅର୍ଡ଼ର୍ ଜନିତ ସମସ୍ୟା। ପରିବାର ସଂପର୍କୀୟଙ୍କ ମଧ୍ୟରେ ବିବାହ ଦ୍ବାରା ଏଭଳି ରୋଗରେ ସେମାନଙ୍କ ଜନ୍ମିତ ଶିଶୁ ଆକ୍ରାନ୍ତ ହେବା ସମ୍ଭାବନା ଥାଏ। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ତଥା ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସାନୁଦେବୀ କହିଛନ୍ତି, ଏହା ଏକ ଜିନ୍‌ଗତ ସମସ୍ୟା। ଏହାକୁ ‘ଇଥାଓସିସ୍’ ରୋଗ ବୋଲି ମଧ୍ୟ କୁହାଯାଏ। ଜଗାର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅବଗତ ଅଛନ୍ତି। ଭୁବନେଶ୍ୱର ସ୍ଥିତ ଏମ୍‌ସ୍‌କୁ ନେଇ ତାର ଚିକିତ୍ସା କରାଯିବ।

ସମ୍ବନ୍ଧିତ ଖବର