୭ଦିନ ଭିତରେ ଜଗା-ବଳିଆଙ୍କ ସଂପର୍କରେ ନିଷ୍ପତ୍ତି

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା; ଏସ୍‌ସିବିରେ ପ୍ରସ୍ତୁତି ସରିଛି

ଭୁବନେଶ୍ବର/କଟକ: ଆସନ୍ତା ୭ଦିନ ଭିତରେ ଜଗା-ବଳିଆଙ୍କ ଓଡ଼ିଶାର ପ୍ରତ୍ୟାବର୍ତନ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଆଜି ଗଣମାଧ୍ୟମକୁ ଶ୍ରୀ ଦାସଙ୍କ କହିଛନ୍ତି ଯେ, ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଭୁବନେଶ୍ବର ଏମ୍‌ସ ସହ ଆଲୋଚନା ହୋଇଥିଲା। ମାତ୍ର ଏମ୍‌ସ କର୍ତୃପକ୍ଷ ଏଥିପାଇଁ ମନା କରିବା ପରେ ଏସ୍‌ସିବି ମେଡିକାଲ କଲେଜରେ ଜଗା-ବଳିଆଙ୍କ ଚିକିତ୍ସା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ସପ୍ତାହ ଭିତରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଏସ୍‌ସିପିରେ ସମସ୍ତ ପ୍ରସ୍ତୁତି କରାଯାଇଛି। ନ୍ୟୁରୋସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରୀ ବିଭାଗ, ଶିଶୁ ରୋଗ ବିଭାଗ, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରୀ ବିଭାଗ, ଜରୁରିକାଳୀନ ମେଡିକାଲ ଅଫିସଙ୍କୁ ନେଇ ୬ଜଣିଆ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଛି। ପ୍ରକାଶଥାଉକି, କନ୍ଧମାଳ ଫିରିଙ୍ଗିଆ ବ୍ଲକ୍‌ର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ ହେବାପରେ ଦୀର୍ଘ ଦୁଇବର୍ଷ ହେଲା ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି। ଜଗା-ବଳିଆଙ୍କ ବାପା-ମା’ ଆଉ ଦିଲ୍ଲୀରେ ରହିବା ପାଇଁ ରାଜି ନ ହେବା ଓ ସେମାନଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରିବା‌ ପାଇଁ କହିଥିଲେ। କିନ୍ତୁ, ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବା ଦର୍ଶାଇ ଭୁବନେଶ୍ବର ଏମ୍‌ସରେ ସେ ଦୁହିଁଙ୍କୁ ରଖିବା ପାଇଁ ମନା କରିଥିଲେ। ଶେ‌ଷରେ ଜଗା-ବଳିଆଙ୍କୁ କଟକ ବଡ଼ ମେଡିକାଲରେ ରଖି ଚିକିତ୍ସା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଭୁବନେଶ୍ବରରେ ସୂଚନା ଦେଇଥିଲେ। ଜଗା-ବଳିଆଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର