ଭୁବନେଶ୍ୱର: ଗୋଟିଏ ପଟେ ଅଣସର ଘରେ ଜଗତରନାଥ ଜଗନ୍ନାଥ ଗତକାଲିି ସୁସ୍ଥ ହୋଇଥିିବା ନେଇ ଦଇତାପତି ସେବକମାନେ ଗଜପତି ମହାରାଜଙ୍କୁ ଜଣାଇଛନ୍ତି। ଏହା ପରେ ରଥଯାତ୍ରା ପାଇଁ ଚାଲିଥିିବା ପ୍ରସ୍ତୁତି ଜୋରଦାର ହୋଇଛି। ଶ୍ରୀକ୍ଷେତ୍ର ମଉଡ଼ମଣି ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀ ବଳରାମ ଓ କାମ୍ପିଲ୍ୟବାସିନୀ ମା ସୁଭଦ୍ରାଙ୍କ ସୁସ୍ଥ ହେବା ଖବର ଜଗନ୍ନାଥପ୍ରେମୀଙ୍କୁ ବେଶ୍ ଆନନ୍ଦ ଦେଇଛି। ଅପରପକ୍ଷେ ଦିଲ୍ଲୀର ଏମସରେ ଅପରେସନ୍ ହୋଇ ଅଲଗା ହେବା ପରେ ଚିକିତ୍ସିତ ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ବେଶ୍ ଉନ୍ନତି ଘଟିଛି। ଏହାକୁ ନେଇ ରାଜ୍ୟବାସୀ ମଧ୍ୟ ଆନନ୍ଦ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ପାଇ ଦିଲ୍ଲୀର ଏମ୍ସରେ ସଫଳ ଅସ୍ତ୍ରୋପଚାର ହୋଇଥିିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଲୁପଡା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ଏକ ଫଟୋରେ ଜଗାବଳିଆ ସୁସ୍ଥ ହୋଇ ଏମ୍ସସରେ ଖେଳୁଥିିବା ଦେଖିବାରୁ ମିଳିଛି। ଉଭୟ ଶିଶୁଙ୍କ ମୁଣ୍ଡରୁ ଷ୍ଟିଚ୍ ଖୋଲାଯାଇଛି । ବଳିଆଙ୍କ ମୁଣ୍ଡରେ କେତେକ ଶିରାପ୍ରଶିରା ପ୍ରତିରୋପଣ କରାଯାଇଛି।
ସୂଚନାଯୋଗ୍ୟ ଯେ ଗତ ୨୦୧୭ ମସିହା ଅକ୍ଟୋବର ମାସରେ ନୂଆଦିଲ୍ଲୀର ଏମ୍ସ ହସ୍ପିଟାଲରେ ନ୍ୟୁରୋ ସର୍ଜନ ଡା. ଅଶୋକ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କର ଅସ୍ତ୍ରୋପଚାର କରାଯାଇ ସେମାନଙ୍କୁ ଅଲଗା କରାଯାଇଥିଲା। ପରେ ସେହି ଦିନରୁ ଏମ୍ସରେ ରହି ଜଗାବଳିଆ ଚିକିତ୍ସିତ ହେଉଛନ୍ତି। ଜଗାବଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ଯୋଗାଇ ଦେଇଥିଲେ। ତେବେ ଡା. ଅଶୋକ ମହାପାତ୍ର କହିଛନ୍ତି ଯେ ଗତ ୩୦ ବର୍ଷ ମଧ୍ୟରେ ଏ ପ୍ରକାର ଅସ୍ତ୍ରୋପଚାର ସମଗ୍ର ପୃଥିବୀରେ ମାତ୍ର ୧୦/୧୨ଟି ହୋଇଛିି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ଦିଲ୍ଲୀ ଏମ୍ସରେ ସମସ୍ତ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ଥିବାରୁ ଜଗାବଳିଆଙ୍କ ଚିକିତ୍ସା ଖୁବ୍ ଭଲ ଭାବେ ହୋଇଛି। ଜଗାବଳିଆଙ୍କ ଚିିକିତ୍ସା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ତେବେ ରାଜ୍ୟ ସରକାର ଏହି ଦୁଇ ଶିଶୁଙ୍କ ଚିକତ୍ସା ପାଇଁ ଯେଉଁ ଆଗ୍ରହ ଦେଖାଇ ପ୍ରଥମେ ୧ କୋଟି ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ ତାହା ନିଶ୍ଚିତଭାବେ ଦୁଇ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ଵିତ କରିଥିଲା। ତେବେ ଏମ୍ସରେ ଜଗାବଳିଆଙ୍କ ଚିକିତ୍ସା ହେବା ପରେ ଏ ବାବଦ ଅଧିକାଂଶ ବ୍ୟୟ ଏମ୍ସ ପକ୍ଷରୁ ବହନ କରାଯାଇଥିଲା ବୋଲି ଡା. ମହାପାତ୍ର କହିଛନ୍ତି।
ତେବେ ବୁଧବାର ଜଗାବଳିଆଙ୍କ ସ୍ୱାସ୍ଥ୍ୟ ନେଇ ଏମ୍ସ ପକ୍ଷରୁ ଯେଉଁ ଫଟୋ ଜାରି କରାଯାଇଛି ତାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ଦେଖା ଯାଉଥିବାରୁ ଉଭୟ ଖୁବ ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହେବେ ବୋଲି ଡାକ୍ତରମାନେ ଆଶାବାଦୀ ଅଛନ୍ତି।ଉଭୟ ମଧ୍ୟ ଖେଳାଖେଳି କରୁଥିବା ଡାକ୍ତର କହିଛନ୍ତି ।