କଟକ: ବଳିଆ ପାଇଁ ଆଉ ଭେଣ୍ଟିଲେଟର ଦରକାର ପଡୁନି। ଆଗ ଭଳି ତାକୁ ଜ୍ବର ବି ଆସୁନି। ଧୀରେ ଧୀରେ ସେ ସୁସ୍ଥ ହେବାରେ ଲାଗିଛି। କିନ୍ତୁ ଶଯ୍ୟା ଛାଡୁନି। ସେ ଆଗ ଭଳି କେବଳ ଶୋଇରହୁଛି। ଜଗା ଭଳି ଚଳପ୍ରଚଳ ହେଉନି ସେ। ହେଲେ ଜଗା ପ୍ରଥମରୁ ଭଲ ଅଛି। ତାର ପାଠପଢ଼ା ବୟସ ହେଲାଣି। କିନ୍ତୁ ଏଯାଏ ତାର ପଢ଼ା ଆରମ୍ଭ ହୋଇନି। ପଢ଼ା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ନିଜ ପ୍ରତିଶ୍ରୁତି ଭୁଲିଗଲେଣି।
ଜଗା ସୁସ୍ଥ ଥିଲେ ମଧ୍ୟ ସଂପୂର୍ଣ୍ଣ ବିପଦମୁକ୍ତ ନୁହେଁ। ସ୍କୁଲ ଗଲେ କାଳେ କିଛି ଅଘଟଣ ଘଟିବ ସେଥି ପାଇଁ ଘରୋଇ ପାଠ ପଢାଯିବା ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା। ଏହି କାରଣରୁ ଜଗାକୁ ବାହାରକୁ ନ ଛାଡି ଚିକିତ୍ସକଙ୍କ ତତ୍ତ୍ବାବଧାନରେ ଏସ୍ସିବିରେ ଘରୋଇ ଶିକ୍ଷକ ଜରିଆରେ ପଢ଼ାଯିବାକୁ ସରକାର ଯୋଜନା ତଥା ଘୋଷଣା କରିଥିଲେ। ସରକାରଙ୍କ ଘୋଷଣାକୁ ତିନିମାସ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ଜଗା ପାଠପଢା ଆରମ୍ଭ ହୋଇପାରିନି। ଏହାକୁ ନେଇ ବାପାମା ମଧ୍ୟ ଚିନ୍ତାରେ। ଜଗାର ମା ପୁଷ୍ପାଞ୍ଜଳି କହଁର ଗତମାସରେ ଏସ୍ସିବି ଅଧୀକ୍ଷକଙ୍କୁ ସାକ୍ଷାତ କରି ଜଗାକୁ ଗାଁକୁ ନେବା ପାଇଁ ଲିଖିତ ଭାବେ ଜଣାଇଥିଲେ। ଏହାକୁ ରାଜ୍ୟ ସରକାର ମନା କରିବା ସହି ଜଗା ଗାଁକୁ ନିଆଯାଇପାରିବନି ବୋଲି ସ୍ପଷ୍ଟ କରିଦେଲେ। ଜଗାର ବୟସ ଗଡ଼ିଚାଲିଥିବା ବେଳେ ତାର ପଢ଼ା ଆରମ୍ଭ ନହେବା ବାପାମାଙ୍କୁ ଚିନ୍ତାରେ ପକାଇଛି। ସେମାନେ ମୁହଁ ଖୋଲି କହିପାରୁ ନଥିବା ବେଳେ ମନରେ କିନ୍ତୁ କ୍ଷୋଭ ରହିଛି।
ସୂଚନା ଯୋଗ୍ୟ, କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କର ଏମ୍ସରେ ସଫଳ ଅସ୍ତ୍ରୋପଚାର ଘଟଣା ଲିମ୍କା ବୁକ୍ସରେ ସ୍ଥାନ ପାଇଥିଲା। ଦିଲ୍ଲୀ ଏମ୍ସରୁ ବାହାରି ଦୁଇ ଶିଶୁ ତିନିମାସ ହେଲା ଏସ୍ସିବିରେ ଚିକିତ୍ସିତ ହେଉଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୮ରେ ଦୁଇ ଶିଶୁ ଦିଲ୍ଲୀ ଏମ୍ସରୁ ଆସି ଏସ୍ସିବିରେ ଭର୍ତ୍ତି ହୋଇଥିଲେ। ବଳିଆର ସ୍ବାସ୍ଥ୍ୟବସ୍ଥାରେ କିଛିଟା ଉନ୍ନତି ହୋଇଥିବା ବେଳେ ଜଗା ସଂପୂର୍ଣ୍ଣ ସୁସ୍ଥ ରହିଛି। ତେବେ ଭର୍ତ୍ତି ହେବା ଦିନ ହିଁ ଜଗା ସ୍କୁଲ ଯାଇପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ପରେ କିନ୍ତୁ ଜଗା ହେଲମେଟ୍ ପିନ୍ଧି ରହୁଥିବା ଓ ମସ୍ତିଷ୍କର ଉପର ଭାଗର ଅବସ୍ଥା ସୁଧୁରି ନଥିବାରୁ ସ୍କୁଲ ଗଲେ କାଳେ ବିପଦ ହେବ ବୋଲି କୁହାଯାଇଥିଲା। ଫଳରେ ଜଗା ପାଠପଢା ପାଇଁ ଘରୋଇ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ ହୋଇଥିଲା। ଆଜି ପର୍ଯ୍ୟନ୍ତ କେବଳ ଜଗା ଶିକ୍ଷାରମ୍ଭ କେବଳ ନିଷ୍ପତ୍ତିରେ ଅଟକିଛି। ଜଗା-ବଳିଆଙ୍କ ବାପା-ମା ଗାଁକୁ ଜଗାକୁ ନେଇ ଯାଇ ପାରିବେନି। ସେମାନଙ୍କ ପାଇଁ ସରକାର ଅନ୍ୟ କିଛି ଯୋଜନା ଚଳାଇଥିବା ଜଣାପଡିଛି। ଅନ୍ୟପଟେ ଜଗା-ବଳିଆଙ୍କ ସଂପର୍କିତ କୌଣସି ନିଷ୍ପତ୍ତି ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ବିନା ଅନୁମତି ଏସ୍ସିବି କର୍ତ୍ତୃପକ୍ଷ ମତ ରଖିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିପାଇଁ ଏସ୍ସିବି କର୍ତ୍ତୃପକ୍ଷ କୌଣସି ମତାମତ ଦେଇନାହାନ୍ତି।