ଦିଲ୍ଲୀ ଏମ୍‌ସ ଛାଡ଼ିଲେ ଜଗା-ବଳିଆ, ଆସନ୍ତାକାଲି ପହଞ୍ଚିବେ ଏସ୍‌ସିବି

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଶୁକ୍ରବାର ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ) ଛାଡ଼ିଛନ୍ତି। ଉଭୟ ଶିଶୁ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ କଟକ ଆସୁଛନ୍ତି। ଜଗା-ବଳିଆ ଶନିବାର (ସେପ୍ଟେମ୍ବର ୭)ରେ କଟକରେ ପହଂଚିବେ। ଏଠାରେ ପହଂଚିବା ପରେ ଜଗା-ବଳିଆଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ନିଆଯିବ। ଦିଲ୍ଲୀ ଏମ୍‌ସରେ ସାମ୍ବାଦିକ ସମ୍ମିଳନୀ ପରେ ଜଗା-ବଳିଆଙ୍କୁ ଆଜି ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ରେଳ ଷ୍ଟେସନ୍‌ ନିଆଯାଇଥିଲା।

ସୂଚନାଯୋଗ୍ୟ ଜଗା-ବଳିଆଙ୍କ ସାଥିରେ ୧୧ ଜଣିଆ ଟିମ୍‌ ଆସୁଛନ୍ତି। ଏଥିରେ ୬ ଜଣିଆ ଡାକ୍ତର ସାମିଲ ଅଛନ୍ତି। ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଏସ୍‌ସିବିର ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର କ୍ୟାବିନ୍‌ ନମ୍ବର ୨ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ କରାଯାଇଥିଲା। ତେବେ ଦିଲ୍ଲୀ ଏମ୍‌ସରୁ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ ମେଡିକାଲକୁ ଅଣାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏଥିପାଇଁ ଏସ୍‌ସିବିରେ ପ୍ରସ୍ତୁତି କରାଯାଇଥିଲା। ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରି ବିଭାଗ, ଶିଶୁ ରୋଗ ବିଭାଗ, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରି ବିଭାଗ, ଜରୁରିକାଳୀନ ମେଡିକାଲ ଅଫିସର, ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଟିମ ଗଠନ କରାଯାଇଛି। ଏଥିସହ ଏମ୍‌ସରେ କିପରି ଜଗା-ବଳିଆଙ୍କ ଚିକିତ୍ସା ଚାଲିଛି ସେ ସଂପର୍କରେ ବିସ୍ତୃତ ଡାକ୍ତରୀ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‌ସ କର୍ତ୍ତୃପକ୍ଷଙ୍କୁ ଚିଠି ଦିଆଯାଇଛି।

ସମ୍ବନ୍ଧିତ ଖବର