ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର : ହାତଗୋଡ଼ ହଲାଉଛି ଜଗା

ନୂଆଦିଲ୍ଲୀ :୧୮ ଘଣ୍ଟାର ସଫଳ ଅସ୍ତ୍ରୋପଚାରରେ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅଲଗା କରାଯିବା ପରେ ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ଶନିବାର  ଦୁଇ ଶିଶୁଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ କହିଛନ୍ତି ଯେ ବଳିଆ ଅପେକ୍ଷା ଜଗାର ସ୍ୱାସ୍ଥ୍ୟାବସ୍ଥା ତୁଳନାତ୍ମକ ଭାବେ ଭଲ ରହିଛି। ଜଗା ହାତଗୋଡ ହଲାଇବା ସହ ଆଖି ଖୋଲୁଛି ବୋଲି ବୋଲି ସେମାନଙ୍କ ସୂତ୍ରରୁ ପ୍ରକାଶ। ଏବେ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ତାହା ଉପରେ ୨୦ ଜଣିଆ ଡାକ୍ତରୀ ଦଳ ଓ ୨୫ ଜଣ ନର୍ସ ତୀକ୍ଷ୍‌ଣ ନଜର ରଖିଛନ୍ତି।

ଅସ୍ତ୍ରୋପଚାର ପରର ଜଟିଳତା ଏବଂ ସଂକ୍ରମଣକୁ ରୋକିବା ପାଇଁ ଡାକ୍ତରୀ ଦଳ ସେମାନଙ୍କୁ ଲଗାତାର ନିରୀକ୍ଷଣ କରୁଛନ୍ତି। ସେମାନଙ୍କ ଠାରୁ ନିଶ୍ଚେତକର ପ୍ରଭାବ ଅପସରିଯାଇଛି କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ ରହିଛି। ତେବେ ୭୨ ଘଣ୍ଟା ପରେ ହିଁ ଏ ବାବଦରେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଅନୁମାନ କରାଯାଉଛି।

ଅସ୍ତ୍ରୋପଚାର ପରେ ମସ୍ତିଷ୍କ ଏବଂ ହୃତ୍‌ପିଣ୍ଡ ସଂକ୍ରାନ୍ତ କୌଣସି ସମସ୍ୟା ଦେଖାଦେଲେ ତତ୍କାଳ ପଦକ୍ଷେପ ପାଇଁ ଡାକ୍ତରୀ ଦଳ ସଜାଗ ରହିଛନ୍ତି। ଅପରପକ୍ଷେ, ଦିଲ୍ଲୀ ଏବଂ ଏନ୍‌ସିଆର୍‌ରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ପ୍ରାର୍ଥନା କରିବା ସହ ଦୁଇ ଭାଇଙ୍କ ଆଶୁ ଆରୋଗ୍ୟତା କାମନା କରିଛନ୍ତି। ପ୍ରବାସୀ ଓଡ଼ିଆମାନେ ଏମ୍ସ ପରିସରରେ ବିଭିନ୍ନ ଡାକ୍ତରମାନଙ୍କଠାରୁ ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଲଗାତାର ଖବର ରଖୁଛନ୍ତି। ତେବେ ଅସ୍ତ୍ରୋପଚାର ପରେ ଜଗା ବଳିଆଙ୍କ ବାପା ମା’ ଏଯାବତ୍‌ ଦୁଇ ଶିଶୁଙ୍କୁ ଦେଖିପାରିନାହାନ୍ତି। ସଂକ୍ରମଣ ଆଶଙ୍କା ଥିବା ହେତୁ ସେମାନଙ୍କୁ ଶିଶୁଙ୍କ ନିକଟକୁ ଯିବା ଲାଗି ବାରଣ କରାଯାଇଛି। କିନ୍ତୁ ସେମାନେ ଟିଭିରେ ନିଜ ପିଲା ଦୁହିଁଙ୍କୁ ଅଲଗା କରାଯାଇଥିବାର ଫଟୋ ଦେଖି ବେଶ୍‌ ଖୁସି ଅଛନ୍ତି ଏବଂ ସନ୍ତାନ ଦ୍ୱୟଙ୍କର ଶୀଘ୍ର ଉପଶମ କାମନା କରି ପୂଜାର୍ଚ୍ଚନା କରୁଛନ୍ତି।

 

ସମ୍ବନ୍ଧିତ ଖବର