ଗାଁକୁ ଫେରିଯିବ ଜଗା, କାଳିଆ ବି ଡିସଚାର୍ଜ ହେବ

କଟକ: ଜଗା ଫେରିଯିବ ଗାଁକୁ। କନ୍ଧମାଳର ଫିରିଙ୍ଗିଆରେ ଥିବା ତାର ଗାଁକୁ ନେଇଯିବା ପାଇଁ ଯୋଜନା କରିଛନ୍ତି ତାଙ୍କ ପରିବାର। ଏନେଇ ଏସ୍‌ସିବି ଅଧୀକ୍ଷକଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ଜଗାର ମା ପୁଷ୍ପାଞ୍ଜଳି କହଁର। ଅନ୍ୟପଟେ ଏସସିବି କର୍ତ୍ତୃପକ୍ଷ ବି ଜଗା ଫିଟ୍‌ ଥିବାରୁ ତାକୁ ଡିସ୍‌ଚାର୍ଜ କରାଯାଉ ବୋଲି ଗଲା ଦେଢ ମାସ ହେଲାଣି ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। କିନ୍ତୁ ସରକାରୀସ୍ତରରେ ଏନେଇ କୌଣସି ଚୂଡାନ୍ତ ନି‌ଷ୍ପତ୍ତି ହୋଇପାରିନି। ସେହିଭଳି ବଳିଆ ଇତିମଧ୍ୟରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ତାକୁ ମଧ୍ୟ ଡିସ୍‌ଚାର୍ଜ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବ ବୋଲି କହିଛନ୍ତି ଜଗା-ବଳିଆଙ୍କୁ ଚିକିତ୍ସା କରୁଥିବା କମିଟିର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର। କିନ୍ତୁ ଏ ସଂପର୍କରେ ଏବେ ସ୍ବାସ୍ଥ୍ୟ ବିଭାଗ‌ର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

କନ୍ଧମାଳ ଫିରିଙ୍ଗିଆ ବ୍ଲକ୍‌ର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଏମ୍‌ସରେ ସଫଳ ଅସ୍ତ୍ରୋପଚାର ଘଟଣା ଲିମକା ବୁକ୍‌ସରେ ସ୍ଥାନ ପାଇଥିବା ବେଳେ ଦୁଇ ଶିଶୁ ଏବେଅଢେଇ ମାସ ହେଲା ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଥିବା ବେଳେ ଜଗା ସଂପୂର୍ଣ୍ଣ ସୁସ୍ଥ ରହିଛି। ସେପ୍ଟେମ୍ବର ୮ ତାରିଖରେ ଉଭୟ ଦିଲ୍ଲୀ ଏମ୍‌ସରୁ ଆସି ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ଆଜି ଜଗାର ମା ପୁଷ୍ପାଞ୍ଜଳି କହଁର ଏସ୍‌ସିବି ଅଧୀକ୍ଷକ ପ୍ରଫେସର ସରୋଜ କାନ୍ତ ସାହୁଙ୍କୁ ସାକ୍ଷାତ କରି ଜଗାକୁ କିଛି ଦିନ ପାଇଁ ଗାଁକୁ ନେଇ ଯିବାକୁ ଚାହୁଁଥିବା ସଂପର୍କରେ ଲିଖିତଭାବେ ଜଣାଇଛନ୍ତି। ଏହି ପ୍ରସଙ୍ଗରେ ଦୁଇ ତିନି ଦିନ ଭିତରେ ଏକ ବୈଠକ ବସିବ ବୋଲି ସୂଚନା ମିଳିଛି। ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ କହିଛନ୍ତି ଯେ ଜଗାର ମା ଜଗାକୁ କିଛି ଦିନ ପାଇଁ ଘରକୁ ନେବା ପାଇଁ ଲିଖିତଭାବେ ଜଣାଇଛନ୍ତି। ଏ ସଂପର୍କରେ ଚିକିତ୍ସା କରୁଥିବା ନ୍ୟୁରୋସର୍ଜରି ବିଭାଗ ମୁଖ୍ୟଙ୍କୁ ଚିଠିର ନକଲ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର