ସ୍କୁଲ ଯିବନି ଜଗା, ମୁଣ୍ଡରେ ହେବ ଖପୁରୀ ପ୍ରତିରୋପଣ: ମନ୍ତ୍ରୀ

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ଖପୁରୀ ପ୍ରତିରୋପଣ ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଜଗା ସ୍କୁଲ ଯାଇପାରିବ ନାହିଁ। ଖପୁରି ପ୍ରତିରୋପଣ ପରେ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଂଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଭେଟିବା ପରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ରବିବାର ଏହି ସୂଚନା ଦେଇଛନ୍ତି। ଜଗାର ପ୍ରତିରୋପଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିବେ। ମନ୍ତ୍ରୀ କହିଛନ୍ତି, ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ବଳିଆର ସ୍ୱାସ୍ଥ୍ୟ ସାମାନ୍ୟ ହୋଇନାହିଁ। ଉଭୟଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍‌ ଲାଗିଛନ୍ତି।

ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆ ଦୁଇବର୍ଷ ପରେ ଓଡ଼ିଶା ଫେରି କଟକସ୍ଥିତି ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଦୁଇଭାଇଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଯାଇଛି। ତାଙ୍କୁ ସ୍ୱତନ୍ତ୍ର ଆଇସିୟୁ ସଂଲଗ୍ନ କ୍ୟାବିନ୍‌ରେ(ଟ୍ରମା ଆଇସିୟୁ ପାଖରେ) ରଖାଯାଇଛି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ମିଲିପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।

ସମ୍ବନ୍ଧିତ ଖବର