କଟକ : ଜଗା ଖେଳୁଛି। କଟକ ବଡ ମେଡିକାଲ ୱାର୍ଡ ବାହାରେ ବୁଲୁଛି ଓ ଲୋକଙ୍କ ସହ କଥା ବି ହେଉଛି। କିଛିଟା ଦୁଷ୍ଟାମି କରୁଛି। କିନ୍ତୁ ବଳିଆ ଆଇସିୟୁରେ । ଆଜି ବିଶେଷଜ୍ଞ ଡାକ୍ତରୀ ଦଳ ବଳିଆର ଆଖି ପରୀକ୍ଷା କରିଥିଲେ। ବଳିଆର ବାମ ଆଖିର ପତା ପଡୁନି। ଶୋଇଲେ ମଧ୍ୟ ଆଖି ଅଳ୍ପ ଖୋଲାରହୁଛି। ଦିଲ୍ଲୀ ଏମ୍ସରେ ଥିବାବେଳଠାରୁ ଏହି ସମସ୍ୟା ରହିଛି। ଏମ୍ସ ଡାକ୍ତରୀ ଦଳ ମଲମ ଲଗାଇ ଶୋଇବାକୁ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ବଳିଆର ଆଖି ଚିକିତ୍ସା ଚାଲିବ। ସ୍ବଚ୍ଛପଟଳର ତଳଭାଗରେ ଦାଗ ରହିଛି। ଆଖି ଏଭଳି ଖୋଲା ରହିଲେ ଏକ ଦାଗ ପଡିଥାଏ ବୋଲି ବିଶେଷଜ୍ଞଙ୍କ ସୂତ୍ରରୁ ଜଣାପଡିଛି।
ଚନ୍ଧୁ ବିଶେଷଜ୍ଞଙ୍କ ସହ ପଲ୍ୟୁମୁନାରି ମେଡିସିନ୍, ନ୍ୟୁରୋଲୋଜି, ନ୍ୟୁରୋସର୍ଜରି ବିଭାଗ ବିଶେଷଜ୍ଞ ଡାକ୍ତରଙ୍କ ସହ ଅଧୀକ୍ଷକ ପ୍ରମୁଖ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ବଳିଆକୁ ଜ୍ବର ଆସୁଥିବା ଓ ପୁଣି ଜ୍ବର ଛାଡି ଯାଉଥିବାରୁ ଏହା ଚିନ୍ତାର ବିଷୟ ହୋଇଛି। ଯାହାକୁ ନେଇ ଏମ୍ସ ଡାକ୍ତରୀ ଦଳ ଓ ଏସ୍ସିବିରେ ବିଶେଷଜ୍ଞ ଦଳଙ୍କ ଭିତରେ ଆଜି ପୁଣି ଆଲୋଚନା କରାଯାଇଥିଲା। ଖୁବ୍ଶୀଘ୍ର ଏମ୍ସ ବିଶେଷଜ୍ଞ ଦଳ ଓ ଏସ୍ସିବି ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଏକ ହ୍ବାଟସ୍ ଅପ୍ ଗ୍ରୁପ୍ ତିଆରି କରାଯିବ। ସେଥିରେ ଚିକିତ୍ସା ସଂପର୍କରେ ବିଚାର ବିମର୍ଶ କରାଯିବ। ଏମ୍ସର ନର୍ସିଂ କର୍ମଚାରୀ ହେଉ ବା ଡାକ୍ତର କେହି ବି ଭୁଲିପାରୁନାହାନ୍ତି ଜଗା-ବଳିଆଙ୍କୁ। ସେମାନେ ଅନେକ ସମୟରେ ଭିଡିଓ କଲ୍ କରି କଥା ହେଉଛନ୍ତି ଜଗା ସହିତ।
କଟକ ବଡ଼ ମେଡିକାଲ୍ରେ ଜଗା-ବଳିଆ ଶନିବାର ଦିନ ଭର୍ତ୍ତି ହେବା ପରଠାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ସମସ୍ତଙ୍କ ନଜର ରହିଛି। ଏସ୍ସିବିରେ ସେମାନଙ୍କ ଚିକିତ୍ସା ପାଇଁ ଗଠିତ ହୋଇଥିବା ୧୪ଜଣିଆ ବିଶେଷଜ୍ଞ ଦଳ ପ୍ରତି ଘଣ୍ଟା ବ୍ୟବଧାନରେ ସେମାନଙ୍କ ସ୍ଥିତି ତଦାରଖ କରୁଛନ୍ତି। ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ୧୪ଜଣିଆ ଡାକ୍ତର କମିଟିର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ପଲ୍ୟୁମୁନାରି ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଏମ୍.ଆର. ପଟ୍ଟନାୟକ, ଚକ୍ଷୁ ବିଭାଗର ଏଚ୍ଓଡି ପ୍ରଫେସର ଡାକ୍ତର ପ୍ରଶାନ୍ତ ନନ୍ଦଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତରମାନେ ବଳିଆର ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ଆଜି ସକାଳେ ବଳିଆକୁ ୧୦/୧୫ମିନିଟ୍ ପାଇଁ ଜ୍ବର ଆସିଥିଲା। ପୁଣି କମିଯାଇଥିଲା। ତେବେ କଣ ପାଇଁ ବାରମ୍ବାର ଜ୍ବର ଆସୁଛି, ତାର କାରଣ ଖୋଜାଯିବ ବୋଲି ଏସସିବି ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।