ଏସ୍‌ସିବିରେ ଚାଲିଛି ଚିକିତ୍ସା : ଜଗା ଖାଇଲା ଭାତ-ଚିକେନ୍‌; ବଳିଆର ଆଖି ପରୀକ୍ଷା

କଟକ : କଟକ ବଡ଼ ମେଡିକାଲ୍‌ରେ ଜଗା-ବଳିଆ ଶନିବାର ଭର୍ତ୍ତି ହେବା ପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ଉଭୟଙ୍କ ଉପରେ ରହିଛି। ସ୍ବାସ୍ଥ୍ୟାବସ୍ଥା କେମିତି ଅଛି; ସୁଧୁରୁଛି ନା ସ୍ଥିର ରହିଛି; ସେ ସଂପର୍କରେ ସମସ୍ତେ ଜାଣିବାକୁ ଚାହୁଁଥିବାବ‌େଳେ ଆଜି ବି‌ଶେଷଜ୍ଞ ଡାକ୍ତରୀ ଦଳ ଉଭୟଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ବଳିଆର ଡାହାଣ ଆଖିକୁ ଠିକ୍‌ ଭାବରେ ଦେଖାଯାଉନଥିବା ସନ୍ଦେହ କରାଯାଉଛି। ଯେହେତୁ ସେ କିଛି କହିପାରୁନି, ତେଣୁ ସେ ସଂପର୍କରେ ଡାକ୍ତରୀ ଦଳ ସ୍ପଷ୍ଟ ହୋଇପାରୁନାହାନ୍ତି। ଏଭଳି ସ୍ଥିତିରେ ଦୃଷ୍ଟି ଶକ୍ତି ନେଇ ଅଧିକ ପରୀକ୍ଷା ଓ ତର୍ଜମା କରାଯାଉଥିବା ବିଶେଷଜ୍ଞ ଦଳ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଭୂଷଣ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ରବିବାର ସକାଳୁ କିଛି ସମୟ ବଳିଆକୁ ସାମାନ୍ୟ ଜ୍ବର ଆସିଥିଲା। ପରେ ପୁଣି ଠିକ୍‌ ହେଇଥିଲା। ବଳିଆକୁ ହଠାତ୍‌ ଜ୍ବର ଆସୁଥିବାରୁ ସେ ନେଇ ସତର୍କ ଦୃଷ୍ଟି ରଖାଯାଇଛି। ଅନ୍ୟପଟେ ସୁସ୍ଥ ଥିବା ଜଗା ଆଜି ସ୍ବ‌ାଭାବିକ ଭାବେ ଭାତ-ଚିକେନ୍‌ ଖାଇଥିବା ଜଗାର ବାପା ଭୂୟାଁ କହଁର କହିଛନ୍ତି। ଅନ୍ୟପକ୍ଷରେ ଜଗା କେଉଁ ସ୍କୁଲକୁ ଯିବ ଏବଂ ବଳିଆର ଚିକିତ୍ସା ପାଇଁ କ’ଣ ଅଧିକ ବ୍ୟବସ୍ଥା ଗ୍ରହଣ କରାଯିବ, ସେ ସଂପର୍କରେ ସୋମବାର ବିଶେଷଜ୍ଞ ଦଳ ବୈଠକ ବସିପାରେ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଏମ୍‌ସରୁ ସ୍ବତନ୍ତ୍ର ବିଶେଷଜ୍ଞ ଦଳଙ୍କ ସହିତ ଜଗା-ବଳିଆ ଶନିବାର ଅପରାହ୍ନରେ ଆସି କଟକ ବଡ ମେଡିକାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରମା କେୟାର ଆଇସିୟୁ ସଂଲଗ୍ନ କ୍ୟାବିନ୍‌ରେ ଭର୍ତ୍ତି କରାଯାଇଥିଲା। ‌ତେବେ ଉଭୟଙ୍କ ଚିକିତ୍ସା ପାଇଁ ଗଠିତ ଏମ୍‌ସ ଓ ଏସ୍‌ସିବିର ୧୪ଜଣିଆ ଡାକ୍ତରୀ ଦଳ ଏବେ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଏପରିକି, ଏମ୍‌ସରେ ହେଇଥିବା ଜଗା-ବଳିଆଙ୍କ ଚିକିତ୍ସା ସଂପର୍କିତ ସମସ୍ତ ରିପୋର୍ଟ ଏସ୍‌ସିବି କର୍ତୃପକ୍ଷଙ୍କୁ ଦିଆଯାଇଛି। ସେପ‌ଟେ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ସରକାର ସବୁପ୍ରକାର ସହାୟତା କରିବେ। ଖୋଦ୍‌ ମୁଖ୍ୟମନ୍ତ୍ରୀ ବି ଜଗା-ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଟିକିନିଖି ତଥ୍ୟ ରଖୁଥିବା ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର