ଭଞ୍ଜନଗର: ସଂପ୍ରତି ବ୍ୟସ୍ତ ବହୁଳ ସମାଜରେ ନିଜର ଓ ପରିବାରର ସ୍ବାର୍ଥ ପାଇଁ ମଣିଷ ଏକ ଅଦୃଶ୍ୟ ପ୍ରତିଯୋଗିତାରେ ଦୌଡ଼ିବାରେ ଲାଗିଛି। ଗରିବ ଅସହାୟଙ୍କ ପ୍ରତି କାହା ପାଖରେ ସମୟ ହିଁ ରହୁନି। କିନ୍ତୁ ସମାଜରେ ଆଜି ମଧ୍ୟ ଏଭଳି ମଣିଷ ଅଛନ୍ତି ଦୃଷ୍ଟି ଆଢୁଆଳରେ ରହିଯାଉଥିବା ଅସହାୟ ବୃଦ୍ଧବୃଦ୍ଧା ଓ ଗରିବ ମୁହଁରେ ହସ ଖେଳାଇବାକୁ ଚେଷ୍ଟା କରୁଛନ୍ତି। ଜୀବନର ପରିଣତ ବୟସରେ କାଳିଆ ଦର୍ଶନରୁ ବଞ୍ଚିତ ରହିଥିବା କେତେକ ଅସହାୟ ଗରିବ ଲୋକଙ୍କୁ ଶ୍ରୀକ୍ଷେତ୍ର ପୁରୀ ସମେତ କିଛି ଦର୍ଶନୀୟ ସ୍ଥାନ ନେଇ ନିଆରା ପରିଚୟ ସୃଷ୍ଟି କରି ପାରିଛନ୍ତି ଭଞ୍ଜନଗର ‘ବିପଦର ବନ୍ଧୁ’ ଅନୁଷ୍ଠାନର ସଦସ୍ୟମାନେ।

Advertisment

ମଙ୍ଗଳବାର ରାତିରେ ବସଷ୍ଟାଣ୍ଡ ପରିସରରୁ ଏକ ଘରୋଇ ବସ୍‌ରେ ଅନୁଷ୍ଠାନର ସଦସ୍ୟ ତଥା ବସ୍ ମାଲିକ ବିବେକାନନ୍ଦ ମହାପାତ୍ରଙ୍କ ସହାୟତାରେ ମାଗଣାରେ ପ୍ରାୟ ୫୨ ବୃଦ୍ଧବୃଦ୍ଧାଙ୍କୁ ନେଇ ଅନୁଷ୍ଠାନର ସଦସ୍ୟ ମାନେ ବୁଧବାର ପୁରୀ ମନ୍ଦିରରେ ଜଗନ୍ନାଥ ଦର୍ଶନ କରିବା ସହ ଚନ୍ଦ୍ରଭାଗାରେ ସ୍ନାନ କରାଇ କୋଣାର୍କ, ରାମଚଣ୍ଡି, ସାକ୍ଷୀ ଗୋପାଳ, ବାଟ ମଙ୍ଗଳା ଭଳି ବିଭିନ୍ନ ତୀର୍ଥ କ୍ଷେତ୍ର ବୁଲାଇଛନ୍ତି।

ମଙ୍ଗଳବା ରାତିରେ ଯାତ୍ରା ଆରମ୍ଭ ସମୟରେ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ନଡ଼ିଆ ଭାଙ୍ଗି ଯାତ୍ରା ଶୁଭାରମ୍ଭ କରିବା ସହ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଉପସ୍ଥିତ ଥିଲେ ଅନୁଷ୍ଠାନର ସଦସ୍ୟ ଅରକ୍ଷିତ ପରିଚ୍ଛା, ପ୍ରଦୀପ କୁମାର ଜେନା, ଶ୍ୟାମଚାନ୍ଦ ସରାଫ, ଶାନ୍ତନୁ ଭୂୟାଁ, ଗୌରୀ ଶଙ୍କର ପରିଡ଼ା, ସୋମ ପାତ୍ର, ସଞ୍ଜୟ ପ୍ରଧାନ, ଶାନ୍ତି କୁମାରୀ ପ୍ରଧାନ, ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ । ଏଥିସହ ଶ୍ରୀ ରାୟ ଏଥିପୂର୍ବରୁ ପୁରୀରେ କାର୍ଯ୍ୟ କରିଥିବାରୁ ସେଠାରେ ବୃଦ୍ଧବୃଦ୍ଧାଙ୍କୁ କିଭଳି ସହଜରେ ମନ୍ଦିରରେ ପହଞ୍ଚାଯିବା ସହ ଦର୍ଶନ କରାଯିବ ସେ ନେଇ ବନ୍ଦୋବସ୍ତ ମଧ୍ୟ କରିଥିଲେ। ଏହି ସମୟରେ ପ୍ରାକ୍ତନ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜି, ବନ୍ୟପ୍ରାଣୀ ତତ୍ତ୍ବବଧାରକ ଶୂଳପାଣି ଶତପଥୀ, ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା, କେ.ଶଙ୍କର ନାରାୟଣ ପାତ୍ର, ଯଶୋବନ୍ତ ସୁବୁଦ୍ଧି, ଜିତୁନ ପାତ୍ର, ପପୁ ପାତ୍ର, ସୁକାନ୍ତ କୁମାର ଦିଗାଲ, ନଚିକେତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ଅସହାୟ ଲୋକଙ୍କୁ ତୀର୍ଥକ୍ଷେତ୍ର ପରିଦର୍ଶନ କରାଇବା ଯୋଜନା ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ବିଶେଷ କରି କରୋନା ସମୟରେ ଲୋକଙ୍କୁ ଅନୁଷ୍ଠାନ ପକ୍ଷରୁ ସହାୟତାର ହାତ ବଢାଇବା ସହ ଦୁର୍ଘଟଣା ଠାରୁ ଆରମ୍ଭ କରି ଅଗ୍ନି ବିପନ୍ନଙ୍କୁ, ରୋଗୀଙ୍କୁ ଚିକିତ୍ସା ଓ ପାଠ ପଢା କ୍ଷେତ୍ରରେ ଗରୀବ ଲୋକଙ୍କୁ ସହାୟତାର ହାତ ବଢାଇ ଅନୁଷ୍ଠାନ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଜୀବନର ଶେଷ ସମୟରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିପାରିଥିବାରୁ ବୃଦ୍ଧାବୃଦ୍ଧଙ୍କ ମୁହଁରେ ଖୁସୀ ଦେଖିବାକୁ ମିଳିଥିଲା।