କଟକ : ଜଗାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାକୁ କଟକ ବଡ ମେଡିକାଲକୁ ଅଣାଯାଇଛି। ପ୍ରାୟ ଦେଢ ବର୍ଷ ବ୍ୟବଧାନରେ ତାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଶୁକ୍ରବାର ଦିନ କଟକ ବଡ ମେଡିକାଲରେ ନ୍ୟୁରୋସର୍ଜରି ବିଭାଗ ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଜଗାର ଏମ୍ଆରଆଇ କରାଯାଇଛି।
ଦିଲ୍ଲୀ ଏମ୍ସରୁ ଜଗାର ଅସ୍ତ୍ରୋପଚାର କରିଥିବା ଡାକ୍ତର ଦୀପକ ଗୁଣ୍ଡାଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଟିମ୍ ୧୮ଓ ୧୯ ତାରିଖ ଦୁଇ ଦିନ ଧରି ଏସ୍ସିବିରେ ଜଗାର ସ୍ବାସ୍ଥ୍ୟାବସ୍ଥା ଯାଂଚ କରିବେ। ୭ ବର୍ଷୀୟ ଜଗାକୁ ଏବେ ଟ୍ରମା କାଜୁଆଲିଟିର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଛି। ଜଗା ସେଠାରେ ମୋବାଇଲ ଧରି ଖେଳୁଛି। ମୁଣ୍ଡରେ ହେଲମେଟ୍ ପିନ୍ଧିଛି। ସମସ୍ତଙ୍କ ସହିତ କଥା ହେଉଛି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ମିଲିପଦା ଅଞ୍ଚଳର ଭୁବନ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କର ୨୦୧୫ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜନ୍ମ ହୋଇଥିଲେ। ଦୁଇ ଶିଶୁ ଜଗା-ବଳିଆଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ସମସ୍ତ ସହଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ପର୍ଯ୍ୟାୟରେ ୧ କୋଟି ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ଜଗା-ବଳିଆଙ୍କୁ ୨୦୧୭ ମସିହା ଜୁଲାଇ ମାସରେ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯାଇ ଜଗା ଓ ବଳିଆଙ୍କୁ ଅଲଗା କରାଯାଇଥିଲା। ୨୦୧୯ ମସିହାରେ ଉଭୟ ଏସ୍ସିବି ମେଡ଼ିକାଲକୁ ଆସିଥିଲେ। ନ୍ୟୁରୋସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଉଭୟ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ୧୪ ଜଣିଆ ଟିମ୍ ଗଠନ କରାଯାଇ ଚିକିତ୍ସା କରାଯାଉଥିଲା। କିନ୍ତୁ ୨୦୨୦ ଡିସେମ୍ବର ୨୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ଏସ୍ସିବିରେ ମୃତ୍ୟୁ ଘଟିଥିଲା। ଏହାପରେ ଜଗା କନ୍ଧମାଳ ଫେରିଯାଇଥିଲା।