ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଜାଗା ମିସନ୍କୁ ‘ୱାର୍ଲଡ୍ ହାବିଟାଟ୍ ଆୱାର୍ଡ’ ମିଳିବା ଘଟଣାକୁ ସମାଲୋଚନା କରିଛି ବିଜେପି। ରାଜ୍ୟ ସରକାର ଆୱାର୍ଡ ସମ୍ପର୍କରେ ମିଛ କହୁଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ, ୱାର୍ଲଡ୍ ହାବିଟାଟ୍ ଅଫିସିଆଲ୍ ୱେବ୍ସାଇଟ୍ରେ କର୍ଣ୍ଣାଟକର ଆଦିବାସୀ ଅଞ୍ଚଳରେ କାମ କରୁଥିବା ଏକ ସଂସ୍ଥା ଓ ସ୍ପେନ୍ର ଏକ ସଂସ୍ଥାକୁ ପ୍ରଥମ ପୁରସ୍କାର ମିଳିଥିବା ଉଲ୍ଲେଖ ଅଛି। ରାଜ୍ୟ ସରକାରଙ୍କ ଜାଗା ମିସନ୍ ପ୍ରକଳ୍ପକୁ ଏହି ପୁରସ୍କାର ପାଇଁ ଫାଇନାଲ୍ ରାଉଣ୍ଡ୍କୁ ମନୋନୀତ କରାଯାଇଥିଲା। ଏହା ୱେବ୍ସାଇଟ୍ରେ ସ୍ପଷ୍ଟ ଉଲ୍ଲେଖ ଅଛି। କିନ୍ତୁ ରାଜ୍ୟ ସରକାରଙ୍କ ସରକାରୀ ବିଜ୍ଞାପନ ଓ ବିଭାଗୀୟ ମନ୍ତ୍ରୀଙ୍କ ବକ୍ତବ୍ୟରେ ନିଜକୁ ବିଜେତା ବୋଲି ଦାବି କରିବା ବିଭ୍ରାନ୍ତିକର।
ଶ୍ରୀମତୀ ସାମନ୍ତସିଂହାର ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହାରେ ଜାଗା ମିସନ୍ ଉଦ୍ଘାଟନ କଲା ବେଳେ ୧୦ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ମିଳିବ ବୋଲି କହିଥିଲେ। ବିଭିନ୍ନ ସମୟରେ ସରକାରୀ ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୦ ଲକ୍ଷ ଲୋକଙ୍କୁ ଜାଗା ମିସନ୍ରେ ଜମି ମିଳିବାର ଯୋଜନା ରହିଛି। ତେବେ ୱାର୍ଲଡ୍ ହାବିଟାଟ୍ ଆୱାର୍ଡ ୱେବ୍ସାଇଟ୍ରେ ଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ଜାଗା ମିସନ୍ରେ ହିତାଧିକାରୀ ସଂଖ୍ୟା ହେଉଛି ୧୮ ଲକ୍ଷ। ଏହାର ଅର୍ଥ ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼େଇ ବଢ଼େଇ ସରକାର ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥାକୁ ଦେଇଛନ୍ତି। ଯେଉଁ ୫୧୦୪୧ ପରିବାରଙ୍କୁ ଜମି ଅଧିକାର ସାର୍ଟିଫିକେଟ୍ ମିଳିଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି, ତାହା ମଧ୍ୟ ମିଛ। ଆଉ ଯେଉଁମାନଙ୍କୁ ମିଳିଛି ବୋଲି ଦାବି କରୁଛନ୍ତି, ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ପଟ୍ଟା ମିଳି ନାହିଁ। ଜାଗା ମିସନ୍ ସମ୍ପର୍କିତ ରାଜ୍ୟ ସରକାରଙ୍କ ୱେବ୍ସାଇଟ୍ କାର୍ଯ୍ୟ କରୁ ନାହିଁ। ଅସଲ ହିତାଧିକାରୀଙ୍କୁ ଜମି ଯୋଗାଇ ଦେବା ପାଇଁ ରହିଥିବା ସୋପାନଗୁଡ଼ିକୁ ରାଜ୍ୟ ସରକାର ପାଳନ କରି ନାହାନ୍ତି। ଦଳୀୟ ଆଧାରରେ ନାମକୁ ମାତ୍ର କାଗଜଟିକୁ ଧରାଇ ଦେଇ ପଟ୍ଟା ପ୍ରଦାନ କରିଥିବାର ପ୍ରହସନ କରୁଛନ୍ତି। ସରକାର ବାରମ୍ବାର ମିଛର ଆଶ୍ରୟ ନ େନଇ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଜାଗା ଦେବାକୁ ବିଜେପି ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ ଦାଶ ଓ ମୁଖପାତ୍ର ଉର୍ମିଳା ମହାପାତ୍ର ଉପସ୍ଥିତ ଥିଲେ।