ଏମ୍‌ସ୍‌ରେ ଜଗାର ଚିକିତ୍ସା ଆରମ୍ଭ; ରକ୍ତ, ଚର୍ମ ନମୁନା ସଂଗ୍ରହ, ୩୦ ପରୀକ୍ଷା ହେବ

ଶେରଗଡ଼ : ଭୁବନେଶ୍ବରସ୍ଥିତ ଏମ୍‌ସ୍‌ରେ ଆଜିଠୁ ଦୁଃସାଧ୍ୟ ଚର୍ମରୋଗ(ଅଟୋସମାଲ୍ ଜେନେଟିକ୍ ଡିଜ୍‌ଅର୍ଡ଼ର) ଆକ୍ରାନ୍ତ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ସାନପୁଅ ଜଗାର ଚିକିତ୍ସା ଆରମ୍ଭ ହୋଇଛି। ଚର୍ମ ବିଭାଗ ଇନ୍‌ଡୋର୍‌ରେ ତାକୁ ଭର୍ତ୍ତି କରାଯାଇଛି। ଆଜି ତାର ରକ୍ତ ଓ ଚର୍ମ ନମୁନା ସଂଗ୍ରହ କରାଯାଇଛି। ପର୍ଯ୍ୟାୟ କ୍ରମେ ତାର ୩୦ ପ୍ରକାର ବିଭିନ୍ନ ପରୀକ୍ଷା କରାଯିବ। ଆସନ୍ତାକାଲି ରକ୍ତ ନମୁନା ରିପୋର୍ଟ ଆସିବା ପରେ ଜଗାର ଚିକିତ୍ସା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏମ୍‌ସ୍‌ ଚର୍ମରୋଗ ବିଭାଗ ମୁଖ୍ୟ ଡା.ଅପର୍ଣ୍ଣା ପାଲିତ୍‌ଙ୍କ ତତ୍ତ୍ବାବଧାନରେ ଆଜି ଜଗାର ପ୍ରାଥମିକ ‘ଲାମେଲାର୍ ଇଚିଓସିକ୍ ଚିକିତ୍ସା କରା ଯାଇଥିଲା। ଜଗା ବର୍ତ୍ତମାନ ଚର୍ମ ବିଭାଗର ୭ ନମ୍ବର ଶଯ୍ୟାରେ ରହିଥିବା ବେଳେ ପାଖରେ ବାପା ପ୍ରଭାକର ଅଛନ୍ତି। ସୂଚନା ଥାଉକି, ଦୁଃସାଧ୍ୟ ଚର୍ମରୋଗରେ ଜଗା ଆକ୍ରାନ୍ତ ନେଇ ଗତ ୧୧ ତାରିଖରେ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ଶେରଗଡ଼ ରାଷ୍ଟ୍ରୀୟ ବାଳ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଡା.ସତ୍ୟନାରାୟଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜଗାକୁ ନେଇ ଏମ୍‌ସ୍‌ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର