ଆଇସିୟୁରୁ ସାଧାରଣ ୱାର୍ଡକୁ ଆସିଲା ବଳିଆ, ମା’ କୋଳରେ ଜଗା

ନୂଅାଦିଲ୍ଲୀ: ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ଥିବା ଜଗା-ବଳିଅାଙ୍କ ଭିତରୁ  ଜଗା ସୁସ୍ଥ ହୋଇ  ମା’ କୋଳକୁ ଫେରିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଜଗାର ଆଖି ପରୀକ୍ଷା କରାଯାଇଛି, ତା’ ଆଖି ଠିକ ଅଛି  ବୋଲି ଡାକ୍ତର କହିଛନ୍ତି। ତେଣେ ଅପରେସନ ପରେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଶୀଘ୍ର ଉନ୍ନତି ଆସିଥିଲେ ମଧ୍ୟ ବଳିଆ କ୍ଷେତ୍ରରେ ଏହା ଦେଖାଯାଇ ନ ଥିଲା। ତେଣୁ ଏମ୍‌ସର ଡାକ୍ତରମାନେ ବଳିଆର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିବା ବେଳେ ମଙ୍ଗଳବାର ବଳିଆ ଧିରେଧିରେ ସଙ୍କଟଜନକ ସ୍ଥିତିକୁ ଅତିକ୍ରମ କରିବାରେ ଲାଗିଛି ବୋଲି ଖବର ମିଳିଛି।  ଆଜି ବଳିଆକୁ ଆଇସିୟୁରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ଅପରେସନଟି ଥିଲା ବେଶ ଜଟିଳ, କାରଣ ଏଥିରେ ଲାଗି ରହିଥିବା ଉଭୟଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତର ଟିମ୍‌ ଗଠନ କରାଯାଇଥିଲା । ଏଥିରେ ନିଶ୍ଚେତକ, ହୃଦବିଭାଗ, ଶିଶୁ ଚିକିତ୍ସା ବିଭାଗ, ନ୍ୟୁରୋଲଜି ଆଦି ବିଭିନ୍ନ ବିଭାଗର ଡାକ୍ତର ରହିଥିଲେ ।

ଅପରେସନରେ ୨୦ ସର୍ଜନ ଓ ୧୦ ଆନାସଥେସିଆ ସ୍ପେଶାଲିଷ୍ଟ ଥିଲେ । ଅକ୍ଟୋବର ୨୫ତାରିଖ ସକାଳ ୬ଟା ୩୦ରେ ବିଶ୍ୱର ଏକ ବିରଳ ଅପରେସନ ପାଇଁ ଜଗା-ବଳିଆଙ୍କୁ ନିଆଗଲା । ୨୫ ଘଣ୍ଟାର ମାରାଥନ୍‌ ଅପରେସନ୍‌ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଶିଶୁଙ୍କୁ ସଠିକ୍‌ ନିଶ୍ଚେତକ ଦେବା । ନିଶ୍ଚେତକ ଦେବା ପରେ ପ୍ରାୟ ସାଢେ ୯ଟାରେ ୨୦ ଜଣିଆ ଡାକ୍ତରୀ ଟିମ୍‌ ଆରମ୍ଭ କଲେ ଅପରେସନ୍‌ । ରାତି ପ୍ରାୟ ୮ଟାରେ ଅଲଗା ହେଲା ଜଗା ବଳିଆଙ୍କ ଯୋଡା ମୁଣ୍ଡ । ମୁଣ୍ଡ ଅଲଗା ହେବା ପରେ ଖପୁରୀ କି ଚର୍ମ ନଥିଲା । ସେସବୁକୁ ଅଲଗା ପାଇଁ ପ୍ଲାଷ୍ଟିକ ସର୍ଜନଙ୍କୁ ୪ରୁ ୫ଘଣ୍ଟାର ସମୟ ଲାଗିଥିଲା। ସକାଳ ପ୍ରାୟ ସାଢେ ୩ଟାରେ ସରିଲା ପ୍ଲାଷ୍ଟିକ ସର୍ଜନଙ୍କ କାମ ।

ଏହା ପୂର୍ବରୁ ଅଗଷ୍ଟ ୨୮ତାରିଖରେ ଦିଲ୍ଲୀ ଏମ୍‌ସରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ୪୦ ଜଣିଆ ଡାକ୍ତରୀ ଦଳ ୨୦ଘଣ୍ଟାରୁ ଅଧିକ ସମୟ ଧରି ଏହି ଅପରେସନ କରିଥିଲେ । ଏଥିରେ ଜାପାନରୁ ଆସିଥିବା ବିଶେଷଜ୍ଞ ବି ସାମିଲ ହୋଇଥିଲେ । ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ମଧ୍ୟରୁ ବଳିଆର ରକ୍ତ ସଂଚାଳନ ଜଗାକୁ ହେଉଥିଲା । ବଳିଆର ମସ୍ତିଷ୍କ ଯୋଡ଼ି ହୋଇଥିଲା ଜଗାର ମସ୍ତିଷ୍କ ସହ । ବଳିଆକୁ ଦିଆଯାଉଥିବା ତରଳ ଖାଦ୍ୟ ଜଗା ଦେହକୁ ଯାଉଥିଲା ଫଳରେ ଜଗାର ଅଧିକ ପରିସ୍ରା ହେଉଥିଲା ।

ତେବେ ପ୍ରଥମ ପର୍ଯ୍ୟାୟ ଅପରେସନରେ ବଳିଆର ରକ୍ତ ସଂଚାଳନକୁ ଜଗାଠାରୁ ଅଲଗା କରାଯାଇଥିଲା । ଏଥିପାଇଁ କୃତ୍ରିମ ଶିରାପ୍ରଶିରା ରୋପଣ କରାଯାଇଥିଲା । କୃତ୍ରିମ ଶିରାପ୍ରଶିରାର ତିଆରି କରିବା ଏବଂ ଏହାକୁ ବଳିଆ ଦେହରେ ରୋପଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ଜାପାନରୁ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା।

ସମ୍ବନ୍ଧିତ ଖବର