ସମସ୍ତ ପ୍ରସ୍ତୁତି ଶେଷ, ସପ୍ତାହକ ମଧ୍ୟରେ ଓଡ଼ିଶା ଫେରିବେ ଜଗା ବଳିଆ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ସପ୍ତାହକ ମଧ୍ୟରେ ଓଡ଼ିଶା ଫେରିବେ ଜଗାବଳିଆ । ଦିଲ୍ଲୀ ଏମ୍ସରୁ କଟକ ଏସସିବିକୁ ସ୍ଥାନାନ୍ତର ହେବେ ଜଗାବଳିଆ । ତେବେ ସେମାନଙ୍କ ଲାଗି ଏଥିପାଇଁ ଉଭୟ କ୍ୟାବିନ ଓ ଡାକ୍ତର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏମ୍ସର ନିଷ୍ପତ୍ତିରେ କିଛିଟା ବିଳମ୍ବ ହେଉଥିବା ବିଷୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ପ୍ରଥମେ ଦିଲ୍ଲୀ ଏମ୍ସ ତରଫରୁ ଜଗାବଳିଆଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା । ଏ ନେଇ ରାଜ୍ୟ ସରକାର ଭୁବନଶ୍ୱର ଏମ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ଭୁବନେଶ୍ୱର ଏମ୍ସ ଜଗା ବଳିଆଙ୍କୁ ରଖି ଚିକିତ୍ସା କରିବାକୁ ରୋକଠୋକ ମନା କରିଦେବାରୁ ଏସସିବିରେ ଜଗା ବଳିଆଙ୍କ ଚିକିତ୍ସା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

କନ୍ଧମାଳର ଫିରିଙ୍ଗିଆ ବ୍ଲକ୍‌ର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ ହେବା ପରେ ଦୀର୍ଘ ଦୁଇ ବର୍ଷ ହେଲା ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି। ଜଗା-ବଳିଆଙ୍କ ବାପା ମା’ ଆଉ ଦିଲ୍ଲୀରେ ରହିବା ପାଇଁ ରାଜି ନ ହେବା ଓ ସେମାନଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରିବା‌ ପାଇଁ କହିଥିଲେ। କିନ୍ତୁ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବା ଦର୍ଶାଇ ଭୁବନେଶ୍ବର ଏମ୍‌ସ ସେମାନଙ୍କୁ ରଖିବା ପାଇଁ ମନା କରିଥିଲେ। ଶେ‌ଷରେ ଜଗା-ବଳିଆଙ୍କୁ କଟକ ବଡ଼ ମେଡିକାଲରେ ରଖି ଚିକିତ୍ସା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର