ଏସ୍‌ସିବିକୁ ଆସିବେ ଜଗା-ବଳିଆ, ଦିଲ୍ଲୀ ଗଲେ ଦୁଇ ଡାକ୍ତର

କଟକ : ଜଗା-ବଳିଆଙ୍କୁ ଆଣିବା ପାଇଁ ଆଜି ଦିଲ୍ଲୀ ଗଲେ ଶିଶୁରୋଗ ବିଭାଗର ଦୁଇ ଜଣ ଡାକ୍ତର। ସେମାନେ ଦିଲ୍ଲୀ ଏମ୍‌ସରେ ପହଞ୍ଚି ଜଗା-ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅନୁଧ୍ୟାନ କରିବେ। ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶିବ ଶଙ୍କର ବରିହା ଓ ବିଭୁ ପ୍ରସାଦ ନାୟକ ଜଗା-ବଳିଆଙ୍କୁ ନେଇ ଏସ୍‌ସିବି ଆସିବେ। ତାଙ୍କ ସହ ଏମ୍‌ସର ୩ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଓ ଜଣେ ନର୍ସ ମଧ୍ୟ ଏସ୍‌ସିବି ଆସିବେ। ରାଜଧାନୀ ଏକ୍ସପ୍ରେସରେ ସେମାନଙ୍କର କଟକ ଆସିବା ବ୍ୟବସ୍ଥା ରହିଛି। ଜଗା-ବଳିଆଙ୍କ ପାଇଁ ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର କ୍ୟାବିନ୍‌ ନମ୍ବର ୨ରେ ବ୍ୟବସ୍ଥା କରାଯାଇଛି।

କନ୍ଧମାଳ ଫିରିଙ୍ଗିଆ ବ୍ଲକ୍‌ର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ କରାଯାଇଥିଲା। ତେବେ ଦିଲ୍ଲୀ ଏମ୍‌ସରୁ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ ମେଡିକାଲକୁ ଅଣାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏଥିପାଇଁ ଏସ୍‌ସିବିରେ ପ୍ରସ୍ତୁତି କରାଯାଇଥିଲା। ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରି ବିଭାଗ, ଶିଶୁ ରୋଗ ବିଭାଗ, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରି ବିଭାଗ, ଜରୁରିକାଳୀନ ମେଡିକାଲ ଅଫିସର, ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଟିମ ଗଠନ କରାଯାଇଛି। ଏଥିସହ ଏମ୍‌ସରେ କିପରି ଜଗା-ବଳିଆଙ୍କ ଚିକିତ୍ସା ଚାଲିଛି ସେ ସଂପର୍କରେ ବିସ୍ତୃତ ଡାକ୍ତରୀ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‌ସ କର୍ତ୍ତୃପକ୍ଷଙ୍କୁ ଚିଠି ଦିଆଯାଇଛି। ଅସ୍ତ୍ରୋପଚାର ପରେ ଜଗାବଳିଆ ଦିଲ୍ଲୀ ଏମ୍‌ସରେ ଦୀର୍ଘ ଦୁଇ ବର୍ଷ ହେଲା ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର