ଭୁବନେଶ୍ବର: ମାୟାବିନୀ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଆଜି ଅପରାହ୍ଣରେ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ଆଜି ସକାଳୁ ଜଗବନ୍ଧୁଙ୍କୁ ଗିରଫ କରାଯିବା ପରେ ତାଙ୍କୁ ପ୍ରଥମେ ଖଣ୍ଡଗିରି ଥାନାକୁ ନିଆଯାଇ ପଚରାଉଚରା କରାଯାଇଥିଲା। ଏହା ପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ କୋର୍ଟ ଚାଲାଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ କମିସନରେଟ୍ ପୁଲିସ ଆଜି ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଥିଲା। ଆଜି ସକାଳେ ଲେଡି ବ୍ଲାକମେଲର ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୁଲିସ ଉଠାଇ ନେଇଥିଲା। ଜଗବନ୍ଧୁଙ୍କୁ ତାଙ୍କ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇ ପୁଲିସ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଥିଲା। ଅର୍ଚ୍ଚନାଙ୍କ ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ସଂପୃକ୍ତ ଥିବା ସନ୍ଦେହ କରିବା ସହ ଅନ୍ୟ କୌଣସି ଠୋସ୍ ପ୍ରମାଣ ପାଇବା ପରେ ପୁଲିସ ଗିରଫ କରିଥିବା କୁହାଯାଉଛି।
ଏହା ପୂର୍ବରୁ ପୁଲିସ ଜଗବନ୍ଧୁଙ୍କୁ ଥାନାକୁ ଡାକି ଛାଡ଼ିଦେଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଛଡ଼ା ଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏଣେ ଜଗବନ୍ଧୁ ଚାନ୍ଦଙ୍କ କାରନାମାର ବହୁ ଗୁମର ପଦାକୁ ଆସିବାରେ ଲାଗିଛି। ଜଗବନ୍ଧୁ ବାବଦରେ ମିଳିଥିବା ତଥ୍ୟ ବି ଆଖି ଖୋସିହୋଇଗଲା ଭଳି। ବହୁ ଦିନରୁ ସେ ଚୀନ୍ ଓ ଜାପାନର ରୂପଜୀବୀମାନଙ୍କ ଯୋଗାଯୋଗରେ ରହି ଜୁଆ ଖେଳୁଥିଲା ବୋଲି ଜଣାପଡ଼ିଛି। ଜଗବନ୍ଧୁଙ୍କ ଆକାଉଣ୍ଟ୍ ଯାଞ୍ଚ୍କୁ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ତା’ର ସଂପୃକ୍ତି କେବଳ ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ନଥିଲା, ଅନ୍ଲାଇନ୍ ଜରିଆରେ ସେ ବିଦେଶୀ ରୂପଜୀବୀଙ୍କ ଯୋଗାଯୋଗରେ ଥିଲା। ହ୍ବାଟ୍ସଆପ୍ ଗ୍ରୁପ୍ କରି ସେଥିରେ ସେ ଚାଟିଂ କରୁଥିଲା। ସେ ଯେଉଁ ଗ୍ରୁପ୍ରେ ଥିଲା ତା’ର ଆଡମିନ୍ ବା ମୁଖ୍ୟ ଥିଲା ଜାପାନର ଜିଓଙ୍ଗ। ପ୍ରାଥମିକ ତଦନ୍ତରୁ ଜିଓଙ୍ଗ ଜାପାନର ଅଧିବାସୀ ବୋଲି ଜଣାପଡ଼ିଛି।
ସାମାଜିକ ଗଣମାଧ୍ୟମରେ ତା’ ନାଁରେ ମାଳମାଳ ଆକାଉଣ୍ଟ୍ ଓ ଫ୍ୟାନ୍ କ୍ଲବ୍ ରହିଛି। ବହୁ ଯୁବତୀ ବା ରୂପଜୀବୀଙ୍କ ଅର୍ଦ୍ଧନଗ୍ନ ଫଟୋରେ ନମ୍ବର ଦିଆଯାଇ ଲୋକଙ୍କୁ ଉକ୍ତ ଆକାଉଣ୍ଟ୍ ପ୍ରତି ଆକର୍ଷିତ କରାଯାଉଥିଲା। ଏହାକୁ ମାଧ୍ୟମ କରି ସେ ଚୀନ୍ ଓ ଜାପାନର ନିର୍ଦ୍ଦିଷ୍ଟ କିଛି ଅନଲାଇନ୍ ଗେମ୍ ମଧ୍ୟ ଖେଳୁଥିଲା, ଯାହାକି ଏକପ୍ରକାର ଜୁଆ ଖେଳ ବୋଲି କୁହାଯାଉଛି। ୨୦୧୫ ମସିହା ବେଳକୁ ସେ ଅନଲାଇନ୍ ସଫ୍ଟୱେର୍ ଡେଭେଲପର୍ ନାଁ’ରେ ଆକାଉଣ୍ଟ ଖୋଲିଥିଲା। ଉକ୍ତ ଆକାଉଣ୍ଟ୍ ଜରିଆରେ ସେ ଜାପାନର କିଛି ରୂପଜୀବୀଙ୍କ ସହ ଯୋଡ଼ି ହୋଇଥିଲା। ସେମାନଙ୍କ ସହିତ ଗେମ୍ ଖେଳିବାକୁ ଜଗବନ୍ଧୁ ନିୟମିତ ଯୋଗାଯୋଗରେ ରହୁଥିଲା। ତେବେ ଅନଲାଇନର ଜୁଆ ଓ ରୂପଜୀବୀଙ୍କ ବାବଦରେ ଯେମିତି କିଛି ତଥ୍ୟ ପଦାକୁ ନ ଆସିବ, ସେଥିପାଇଁ ଉଭୟ ଜଗବନ୍ଧୁ ଓ ଅର୍ଚ୍ଚନା ସାମାଜିକ ଗଣମାଧ୍ୟମରେ ପ୍ରାୟ ୨୦ରୁ ଅଧିକ ଆକାଉଣ୍ଟ ଖୋଲିଥିଲେ।