କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରଙ୍ଗଡିହି ଠାରୁ ଫୁଲଝର ଦେଇ ଜଗଦଳା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଦୀର୍ଘ ବର୍ଷ ହେଲା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି । ଫଳରେ ଏହି ରାସ୍ତାରେ ଚଳାଚଳ କରିବାରେ ନାହିଁ ନଥିବା ସମସ୍ୟା ହେଉଛି। ଏହାସତ୍ତ୍ବେ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ରାସ୍ତା ଅବସ୍ଥା ଏବେ ଅତି ଶୋଚନୀୟ ହୋଇପଡ଼ିଛି। ରାସ୍ତା ମଝିରେ ମଝିରେ ବଡ ବଡ ଖାଲ ହୋଇ ପାଣି ଜମି ରହୁଥିବାରୁ ଗମନାଗମନରେ ବାଧକ ସୃଷ୍ଟି ହେଉଛି । କେତେକ ସ୍ଥାନରେ ପିଚୁ ଉଠି ଗଲାଣି ତ ଆଉ କେତେକ ସ୍ଥାନରେ ମେଟାଲ ବାହାରି ଗାଡ଼ିମୋଟର ଚାଲିବାରେ ସମସ୍ୟା ସୃଷ୍ଟି କରୁଛି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାଟିର ଲମ୍ବ ୨୮ କିଲୋମିଟର। ୨୮ କିଲୋମିଟର ରାସ୍ତା ଉପରେ ପାଖାପାଖି ୧୦ ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି।
ରାସ୍ତାରେ ପ୍ରତ୍ୟହ ଶହ ଶହ ଗାଡ଼ିମୋଟର, ସାଇକଲ ଚଳପ୍ରଚଳ କରୁଛି । ହଜାର ହଜାର ଲୋକ ରାସ୍ତା ଉପରେ ନିର୍ଭରଶୀଳ । ବିଜୁ ଗାଁ ଗାଡ଼ି ମଧ୍ୟ ରାସ୍ତାରେ ଯାଆସ କରୁଛି। ରାସ୍ତା ଉପରେ ଫୁଲଝର, ଅଁରାରେ ଥିବା ୨ଟି କାରଖାନାର ଭାରୀଯାନ ଚଳାଚଳ କରୁଛି। ଭାରୀଯାନ ଚଳାଚଳକୁ ଦେଖି ରାସ୍ତା ନିର୍ମାଣ ହୋଇ ନଥିବାରୁ ରାସ୍ତା ଭାଙ୍ଗି ନଷ୍ଟ ହୋଇପଡ଼ିଛି। ଡିଏମ୍ଏଫ ଅର୍ଥରେ ପୂର୍ତ୍ତ ବିଭାଗ ଜଗଦଳାଠାରୁ ଫୁଲଝର ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ କରାଯାଇଥିଲେ ହେଁ କମ ଦିନରେ ଭାଙ୍ଗି ଯିବାରୁ ରାସ୍ତାର ପ୍ରାୟ ୧୨ କିଲୋମିଟର ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଯାତ୍ରୀବାହି ଗାଡ଼ି ଯିବାକୁ ଅମଙ୍ଗ ହେଉଥିବାରୁ ସ୍ଥାନୀୟ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗୁଛନ୍ତି। ଫୁଲଝର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଯିବା ଆସିବାରେ ନାନଦି ସମସ୍ୟାରେ ପଡୁଛନ୍ତି ।
ଅନେକ ସମୟରେ ଆମ୍ବୁଲାନ୍ସ, ଦମକଳ ଗାଡ଼ି ପରି ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ି ମଧ୍ୟ ସଠିକ୍ ସମୟରେ ଆସି ପାରୁନାହିଁ । ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଯିବା ଆସିବା କରିବାରେ ସମସ୍ୟା ଦେଖାଦେଉଛି । ବର୍ଷା ଦିନରେ ଅଭିଭାବକ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଛାଡ଼ିବାକୁ ନିରାପଦ ମଣୁନାହାଁନ୍ତି । ଅନେକ ସମୟରେ ଯିବା ଆସିବା କରୁଥିବା ଟ୍ରକର ଯନ୍ତ୍ରାଂଶ ଭାଙ୍ଗି ବ୍ରେକଡାଉନ ହେଉଥିବାରୁ କାରଖାନାକୁ ଲୁହାପଥର ପରିବହନ ବାଧାପ୍ରାପ୍ତ । ସ୍ଥାନୀୟ ଲୋକଙ୍କ ପ୍ରତିବାଦ ହେଲେ ଯେଉଁ ମରାମତି କରାଯାଉଛି ତାହା ମଧ୍ୟ ଅଳ୍ପଦିନରେ ଭାଙ୍ଗି ପୂର୍ବପରି ହୋଇଯାଉଛି। ଖରାଦିନରେ ଧୂଳିଧୂଆଁ ଉଡ଼ି ଗାଁ ଗଣ୍ଡାରେ ପ୍ରଦୂଷଣ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି।
କାଳିଆପାଳ ନାଳ ପାଖରେ ଏକ କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ଗାଡ଼ି ଚଳାଚଳ ହୋଇପାରୁନାହିଁ । ଏହି ଅଞ୍ଚଳରେ ଥିବା ଦୁଇଟି କାରଖାନାକୁ ପ୍ରତିଦିନ ଶହଶହ ଭାରୀଯାନ ଏହି ରାସ୍ତା ଦେଇ ଚଳାଚଳ କରୁଛନ୍ତି। ବହୁ ସଂଖ୍ୟାରେ ଭାରୀଯାନ ଚଳାଚଳ ହେଉଥିବାରୁ ରାସ୍ତାର ଅବସ୍ଥା ସଙ୍ଗିନ ହୋଇପଡିଛି ବୋଲି ଫୁଲଝର ଗ୍ରାମର କ୍ଷେତ୍ରମୋହନ ମହାନ୍ତ ଏବଂ କାଳିଆପାଳ ଗ୍ରାମର ବେଣୁଧର ନାୟକ କହିଛନ୍ତି। ଏଣୁ ପ୍ରଶାସନ ଯାତାୟାତ କରୁଥିବା ଭାରୀଯାନର କ୍ଷମତାକୁ ଦେଖି ଉଚ୍ଚ ମାନର ତଥା ସୁଦୃଢ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି। ସମିତି ସଭ୍ୟ ସୁରେଶ ବାରିକ, ୱାର୍ଡ ମେମ୍ବର ଶୁକଦେବ ନାୟକ, ରାମ ନାୟକ, ବାବନ ନାୟକ ଇନ୍ଦ୍ରମଣି ନାୟକ, ନବ ନାୟକ, ଶୈଳ ନାୟକ, ନୀଳାମ୍ବର ନାୟକ, ମଦନ ମୁଣ୍ଡା, ଆଇରା ମୁଣ୍ଡା, ଶ୍ରାବଣୀ ନାୟକ, ତ୍ରିବେଣୀ ନାୟକ ସମେତ ଆଖପାଖ ଅଞ୍ଚଳର ଲୋକ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ମରାମତି ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।