ଜଗଦ୍ଦେବ ବିଜେଡିରେ ନାହାନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବେ ବିଜେଡିରେ ନାହାନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ଠାରୁ ବିଜେଡି ଦାବି କରିସାରିଛି। ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ନିଶ୍ଚିତ। ବିଜେପି ନେତା ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଏମିତି ଜବାବ ଦେଇଛି ବିଜେଡି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଗତକାଲି ଦାବି କରିଥିଲା। ଏହା ଜାଣିବା ସତ୍ତ୍ୱେ ଏହି ବର୍ବର ଘଟଣାକୁ ରାଜନୀତିକରଣ କରିବାକୁ ବିଜେପି ଅନାବଶ୍ୟକ ଭାବରେ ବିଜେଡିକୁ ଟାଣିବାକୁ ଯେଭଳି ଚେଷ୍ଟା କରୁଛି ତାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ। ଏପରି ଘଟଣାକୁ ନେଇ ରାଜନୀତି କରିବାର ପ୍ରୟାସକୁ ଏଡ଼ାଇବାକୁ ହେବ। ଏହି ପ୍ରସଙ୍ଗରେ ଆମେ ରାଜନୀତି କରିବା ଉଚିତ ନୁହେଁ ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ବ୍ୟକ୍ତିଗତ ଭାବେ କହିଛନ୍ତି।

ଆମେ ଓଡ଼ିଶା ବିଜେପିକୁ ମନେ ପକାଇବାକୁ ଚାହୁଁଛୁ ଯେ ଯେତେବେଳେ ସେମାନଙ୍କ ଦଳ ଶାସନ କରୁଥିବା ରାଜ୍ୟରେ ଏହିଭଳି ସମାନ ଘଟଣା ଘଟିଥିଲା, ସେତେବେଳେ ସେମାନେ ସେହି ପ୍ରସଙ୍ଗକୁ ରାଜନୀତିକରଣ ନ କରିବାକୁ ନିବେଦନ କରିଥିଲେ। ଆଇନକୁ ତା ବାଟରେ କାର୍ଯ୍ୟ କରିବାକୁ ଦିଅନ୍ତୁ ବୋଲି କହିଥିଲେ। କିନ୍ତୁ ଓଡ଼ିଶା ବିଜେପି ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଏକ ଆଭିମୁଖ୍ୟ ଗ୍ରହଣ କରୁଛି। ଏହିପରି ସମ୍ବେଦନଶୀଳ ପ୍ରସଙ୍ଗରେ ଦୋମୁହାଁ ନୀତି ନ ଆପଣେଇବାକୁ ଆମେ ବିଜେପିକୁ ନିବେଦନ କରୁଛୁ। ଚିଲିକା ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୁଲିସ ଗତକାଲି ଏକ ବିବୃତି ଜାରି କରିସାରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର