ଭୁବନେଶ୍ବର : ୭୦ ଦଶକରେ ଓଡ଼ିଶାର ଛାତ୍ର ରାଜନୀତିରେ ସକ୍ରିୟ ହେବା ସହ ପରବର୍ତୀ ସମୟରେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ ଚର୍ଚ୍ଚାରେ ରହିଥିବା ଜଗଦୀଶ ମହାନ୍ତି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଶ୍ରୀ ମହାନ୍ତି ଯୋଗଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ଧର୍ମନି‌ରପେକ୍ଷତା, ଏକତା, ସାମାଜିକ ନ୍ୟାୟ ଓ କଲ୍ୟାଣ କ୍ଷେତ୍ରରେ କଂଗ୍ରେସ ସବୁବେଳେ କାମ କରୁଛି। କଂଗ୍ରେସର ଗରିବ ହଟାଓ ଓ ୨୦ ସୂତ୍ରୀ କାର୍ଯ୍ୟକ୍ରମ, ଇନ୍ଦିରା ଆବାସ, ଆଦିବାସୀ କଲ୍ୟାଣ, ଅନୁସୂଚିତ ଜାତି ବିକାଶର ବିଭିନ୍ନ କାର୍ଯ୍ୟକ୍ରମ ବେଶ ଉଚ୍ଚକୋଟୀର। ଦଳର ଉଦାରବାଦୀ ଆର୍ଥିକ ନୀତି ତାଙ୍କୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ କୃଷକ କଲ୍ୟାଣ, ଅନୁସୂଚିତ ଜାତି, ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀ ତଥା ଆଦିବାସୀଙ୍କ କଲ୍ୟାଣ, ଯୁବ ବିକାଶ ଓ କ୍ରୀଡ଼ା, ପାନୀୟ ଜଳ କ୍ଷେତ୍ର ବହୁ ପରିମାଣରେ ଅନୁପ୍ରାଣିତ କରିଛି। ଏଥିସହ ୧୩୩ ବର୍ଷ ଧରି କଂଗ୍ରେସ ପକ୍ଷରୁ ଦେଶ ପାଇଁ କରାଯାଇଥିବା ଐତିହାସିକ କାର୍ଯ୍ୟ ଓ ମୌଳିକ ନୀତି ଅନୁସାରେ ଦେଶରେ ଏକତା, ଅଖଣ୍ଡତା, ସାମାଜିକ, ସମାନତା, ଧର୍ମନିରପେକ୍ଷତା ଅକ୍ଷୁଣ୍ଣ ରଖିବାର ଲକ୍ଷ୍ୟ ନେଇ କଂ‌ଗ୍ରେସରେ ଯୋଗ ଦେଇଥିବା ସେ କହିଛନ୍ତି।

ଶ୍ରୀ ମହାନ୍ତି ୧୯୮୫ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ‌ହୋଇଥିଲେ। ରାଜସ୍ଥାନରେ ୩୩ବର୍ଷ ଧରି କାର୍ଯ୍ୟ କରିଥିଲେ। ଯୁବକମାନଙ୍କୁ ତାଲିମ ‌ଦେଇ ରୋଜଗାରକ୍ଷମ କରାଇବା କ୍ଷେତ୍ରରେ ଶ୍ରୀ ମହାନ୍ତିଙ୍କ ବିଶେଷ ଯୋଗଦାନ ହେତୁ ରାଜସ୍ଥାନ ସରକାର ତାଙ୍କୁ ସ୍କିଲ୍‌ ଡେଭଲପମେଣ୍ଟ କର୍ପୋରେସନର ଚେୟାରମ୍ୟାନ୍‌ ଭାବେ ଦାୟିତ୍ବ ଦେଇଥିଲେ। ଆଦିବାସୀଙ୍କୁ ଜଙ୍ଗଲ ସହ ଯୋଡ଼ିବା ପାଇଁ ‘ବନ-ଜନ-ଶକ୍ତି’ ନାମକ କାର୍ଯ୍ୟକ୍ରମ ତାଙ୍କ ଦ୍ବାରା ଲାଗୁ ହୋଇଥିଲା। କ୍ରୀଡ଼ା ଓ ଯୁବ ବିକାଶ ବିଭାଗ ଦାୟିତ୍ବରେ ରହି କ୍ରୀଡ଼ାବିତ୍‌ଙ୍କ ଲୋକପ୍ରିୟ ହୋଇପାରିଥିଲେ।