ରାୟଗଡ଼ା: ହୀରାଖଣ୍ଡ ପରେ ସମଲେଶ୍ବରୀ ଏକ୍ସପ୍ରେସରେ ଯୋଡ଼ି ହେବାକୁ ଯାଉଛି ଏଲଏଚଭି କୋଚ୍। ଜର୍ମାନ୍ ଜ୍ଞାନକୌଶଳରେ ନିର୍ମିତ ଏହି କୋଚ୍ ସହ ଆସନ୍ତା ୧୫ ତାରିଖରୁ ହାୱଡା-ଜଗଦଲପୁର ମଧ୍ୟରେ ଚଳାଚଳ କରିବ। ଏଲଏଚଭି କୋଚ୍ ବହୁତ ହାଲକା ସହ ଅତ୍ୟନ୍ତ ଆରାମ ଦାୟକ, ଜର୍କ ବିହୀନ ହୋଇଥିବାରୁ ଏଣିକି ଜଗଦଲପୁର-ହାୱଡ଼ା, ହାୱଡା-ଜଗଦଲପୁର ମଧ୍ୟରେ ରେଳ ଯାତ୍ରା ବେଶ୍ ଆରାମ ଦାୟକ ହେବ।
ରେଳ ବିଭାଗ ସୂଚନାନୁଯାୟୀ, ଆସନ୍ତା ୧୫ ତାରିଖରୁ ସମଲେଶ୍ବରୀ ଏକ୍ସପ୍ରେସ୍ ହାୱଡାରୁ ନୂଆ କୋଚ୍ ସହ ଗଡ଼ିବ। ସେହିପରି ୧୭ ତାରିଖରୁ ଜଗଦଲପୁରରୁ ନୂଆ ଏଲଏଚଭି କୋଚ୍ ସହ ହାୱଡା ଅଭିମୁଖେ ଯିବ। କରୋନା ସଂକ୍ରମଣ ବଢ଼ିବା ପରେ ଗତ ଦେଢ଼ ବର୍ଷ ହେଲା ଏହି ଟ୍ରେନ୍ ଚଳାଚଳକୁ ବନ୍ଦ ରଖିଥିଲା ରେଲୱେ ବୋର୍ଡ। ଫଳରେ ଦୈନିକ ଓଡ଼ିଶା-ଛତିଶଗଡ଼-ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଯାତ୍ରୀ ଏହି ଟ୍ରେନ୍ ସେବାରୁ ବଞ୍ଚିତ ହୋଇଥିଲେ। ଏପରିକି ଅବିଭକ୍ତ କୋରାପୁଟରୁ କୋଲକାତାକୁ କୌଣସି ସିଧାସଳଖ ଟ୍ରେନ୍ ନଥିବାରୁ ଯାତ୍ରୀମାନେ ନାର୍ହିନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବହୁ ଦାବି ପରେ ଗତ ୧ ମାସ ତଳେ ରେଳ ବିଭାଗ ସମଲେଶ୍ବରୀ ଏକ୍ସପ୍ରେସ୍ ଚଳାଚଳକୁ ଅନୁମତି ପ୍ରଦାନ କରିଥିଲା।
ଦୈନିକ ଚଳାଚଳ କରୁଥିବା ଏହି ଟ୍ରେନ୍ ୨୫ ଘଣ୍ଟା ୧୫ ମିନିଟର ଯାତ୍ରା ମଧ୍ୟରେ ୧୧୬୫ କିମି ଅତିକ୍ରମ କରି ଗନ୍ତବ୍ୟସ୍ଥଳରେ ପହଞ୍ଚୁଛି। ୩ଟି ରାଜ୍ୟର ୨୧ଟି ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଅଟକୁଥିବା ଏହି ଟ୍ରେନରେ ଦ୍ବିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ଶୀତତାପ କୋଚ୍ ସହ ଶୟନ କୋଚ୍ ଓ ଅସଂରକ୍ଷିତ କୋଚ୍ ରହିଛି। କୋଚ୍ ଗୁଡ଼ିକ ବହୁ ପୁରୁଣା ହୋଇଥିବାରୁ ରେଲୱେ ବୋର୍ଡ ପୁରୁଣା କୋଚ୍ ହଟାଇ ନୂତନ ଏଲଏଚଭି କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନେଇଛି। ନୂଆ କୋଚ୍ ସଂଯୋଗ ପରେ ଏହି ଟ୍ରେନରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି କୋଚ୍, ଦୁଇଟି ଦ୍ବିତୀୟ ଶ୍ରେଣୀ ଏସି କୋଚ୍, ଦୁଇଟି ତୃତୀୟ ଶ୍ରେଣୀ ଏସି କୋଚ୍, ୬ଟି ସ୍ଲିପର କ୍ଲାସ୍ କୋଚ୍, ଦୁଇଟି ସାଧାରଣ କୋଚ୍ ଓ ଲଗେଜ୍ କୋଚ୍ ଯୋଡ଼ିହେବ। ଏହା ପୂର୍ବରୁ ଭୁବନେଶ୍ବର-ଜଗଦଲପୁର ମଧ୍ୟରେ ଗଡ଼ୁଥିବା ହୀରାଖଣ୍ଡ ଏକ୍ସପ୍ରେସରେ ଏଲଏଚଭି କୋଚ୍ ସଂଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/RGD_Samaleswari-Express.jpg)