କଟକ : ଶ୍ରୀଜଗନ୍ନାଥ ମନ୍ଦିର ଗର୍ଭ ଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ ବିମଳ ପ୍ରସାଦ ଦାସ ତଦନ୍ତ କମିସନ୍‌ଙ୍କ ନିକଟରେ ରିପୋର୍ଟ ଦାଖଲ ହୋଇଛି। ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଏକ ବିସ୍ତତ ରିପୋର୍ଟ କମିସନଙ୍କ ନିକଟରେ ଦାଖଲ କରାଯାଇଛି। ଗର୍ଭଗୃହ ଫଟୋ ଭାଇରାଲ କିଏ କରିଥିଲେ ଓ କେଉଁ ପରିସ୍ଥତିରେ ଏପରି ଘଟଣା ଘଟିଥିଲା ସେ ନେଇ ରିପୋର୍ଟରେ ତଥ୍ୟ ପ୍ରଦାନ କରାଯାଇଛି। ଏହି ପ୍ରସଂଗରେ ଶ୍ରୀମନ୍ଦିର ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରିଛି ସେ ସଂପର୍କରେ ମଧ୍ୟ ତଥ୍ୟ ରହିଛି।

Advertisment

ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀଜଗନ୍ନାଥ ମନ୍ଦିର ଗର୍ଭ ଗୃହ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ପ୍ରସଂଗକୁ ଗୁରତର ସହିତ ନେଇ କମିସନ୍‌ ଏ ପ୍ରସଂଗରେ ରିପୋର୍ଟ ତଲବ କରିଥିଲେ। ନଭେମ୍ବର ୨୧ରେ ଏ ନେଇ ପ୍ରତିକ୍ରିୟା ରଖି ଜଷ୍ଟିସ ବିମଳ ପ୍ରସାଦ ଦାସ କହିଥିଲେ ଯେ ରେକର୍ଡ ଅଫ୍‌ ରାଇଟସ୍‌ ଅନୁସାରେ ଶ୍ରୀମନ୍ଦିର ଭିତରକୁ କ୍ୟାମେରା ନିଆଯାଇ ପାରିବ ନାହିଁ। ଗର୍ଭଗୃହର ଫଟୋ ଉଠାଇ ଭାଇରାଲ କରିବା ଏକ ଦୋଷାବହ କାର୍ଯ୍ୟ। ଏହି ଫଟୋ ଭାଇରାଲ ଘଟଣାରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କମିସନଙ୍କୁ ତଦନ୍ତ ପାଇଁ ପ୍ରଦାନ କରାଯାଇଥିବା ଟର୍ମସ ଅଫ୍‌ ରେଫରେନ୍ସରେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରସଂଗ ମଧ୍ୟ ସ୍ଥାନ ପାଇଛି।

ଏ ସଂପର୍କରେ କମିସନ୍‌ ୨୦୧୭, ଏପ୍ରିଲ ୨୦ରେ ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହା ସତ୍ୱେ ଏପରି ଘଟଣା ଘଟିବା ଉଦବେଗଜନକ। ଗର୍ଭଗୃହ ଭିତରର ଫଟୋ ଭାଇରାଲ ହେବା ଘଟଣାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ସ୍ପଷ୍ଟ ହୋଇଛି। ଶ୍ରୀମନ୍ଦିର ଭିତରକୁ କ୍ୟାମେରା ନେବା ଉପରେ କଟକଣା ରହିଥିବା ବେଳେ ଆଜିକାଲି ମୋବାଇଲରେ କ୍ୟାମେରା ରହୁଛି। ତେଣୁ ଶ୍ରୀମନ୍ଦିରରେ ମୋବାଇଲ୍‌ ସଂପୂର୍ଣ୍ଣ ନିଷେଧ କରାଯାଉ। ନଚେତ କ୍ୟାମେରା ନଥିବା ମୋବାଇଲ୍‌ ବ୍ୟବହାର ସୁନିଶ୍ଚିତ କରାଯାଉ ବୋଲି ଜଷ୍ଟିସ ଦାସ କହିଥିଲେ। ଅନ୍ୟପକ୍ଷରେ କମିସନ ସରକାରଙ୍କୁ ପ୍ରଦାନ କରିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଏ ପ୍ରସଂଗରେ ମଧ୍ୟ ପରାମର୍ଶ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।